ମହାନଦୀ ପାଲଟିଛି ବିଦେଶାଗତ ପକ୍ଷୀଙ୍କ ଶୈଳନିବାସ

ସୋନପୁର: ସୁବର୍ଣ୍ଣପୁର ଜିଲା ଦେଇ ଚିରସ୍ରୋତା ମହାନଦୀ କୁଳୁକୁଳୁ ନାଦରେ ବହି ଯାଉଛି କାହିଁ କେତେ କାଳରୁ। ଏହି ନଦୀ ଦିନେ ମଣିଷ ସଭ୍ୟତାର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବର୍ତ୍ତମାନ ଶୀତ ଦିନେ ରାଜ୍ୟ ତଥା ଦେଶ ବାହାର ପକ୍ଷୀଙ୍କ ପାଇଁ ଏହି ନଦୀ ପାଲଟିଛି ଶୈଳ ନିବାସ। ହାଡଭଙ୍ଗା ଶୀତରେ ଆସୁଥିବା ଏହି ପକ୍ଷୀମାନେ ସ୍ୱଚ୍ଛନ୍ଦରେ ଉଡି ବୁଲି ନିଜର ତୀକ୍ଷ୍ଣ ଦୃଷ୍ଟି ପ୍ରୟୋଗରେ ନଦୀଗର୍ଭର ନୀଳ ଜଳରାଶୀରୁ ନିଜର ମୁନିଆଁ ଥଣ୍ଟରେ ମାଛକୁ ଗର୍ଭସ୍ଥ କରିଥାନ୍ତି। ପରେ ବାଲୁକା ଶଯ୍ୟାର ବିସ୍ତୀର୍ଣ୍ଣ ପଡ଼ିଆରେ ମନଇଚ୍ଛା ବିଚରଣ କରି ଅନ୍ତିମ ସୂର୍ଯ୍ୟଙ୍କ ରଙ୍ଗୀନ କିରଣ ଦେହରେ ପଡ଼ିବା ମାତ୍ରେ ନିକଟ ପଥର କୋରଡରେ ଆଶ୍ରୟ ନେଇ ପୁଣି ସକାଳ ହେଲେ ଚାଲି ଯାଇଥାନ୍ତି ନିଜ ନିଜର ଗନ୍ତବ୍ୟସ୍ଥଳକୁ। କିଛି ବର୍ଷ ହେଲା ମହାନଦୀରେ ବେଆଇନ ବ୍ଲାଷ୍ଟିଂ ଯୋଗୁଁ ନଦୀଜଳ ପ୍ରଦୂଷଣ ସାଙ୍ଗକୁ ମାଛମରା ନାଁରେ ରାସାୟନିକ ଔଷଧ ପ୍ରୟୋଗ ଓ ବିଶେଷ କରି ପକ୍ଷୀ ଶୀକାର ପ୍ରଭାବରେ ଏଭଳି ବିରଳ ପକ୍ଷୀ ଅଦୃଶ୍ୟ ହୋଇଯାଇଥିଲେ ମହାନଦୀରୁ। ଲାଗୁଥିଲା ସତେ ଯେମିତି କିଛି ଖଳ ପ୍ରକୃତିଙ୍କ ଦୌରାତ୍ମ୍ୟରେ ମହାନଦୀ ହଜାଇ ଦେଇଛି ନିଜର ପ୍ରାକୃତିକ ନୈସର୍ଗୀକତାକୁ। ଅନ୍ତିମ ସୂର୍ଯ୍ୟାସ୍ତର ସେହି ରଙ୍ଗୀନ କିରଣରେ ଦଳଦଳ ହୋଇ ନିଜ ବସାକୁ ଫେରୁଥିବା ଦୃଶ୍ୟ ଜନମାନସରୁ ଉଭେଇ ଯାଇଥିଲା କିଛି ବର୍ଷ ଧରି। ପ୍ରକୃତିର ବିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ନପାରି କିଛି ପକ୍ଷୀ ବର୍ତ୍ତମାନ ଇତିହାସ ବହିରେ ସ୍ଥାନ ପାଇ ସାରିଥିବା ବେଳେ କିଛି ବଞ୍ଚିବାକୁ ସଂଗ୍ରାମ ଜାରି ରଖିଛନ୍ତି ବର୍ତ୍ତମାନ ସୁଦ୍ଧା। କିନ୍ତୁ ମହାନଦୀ ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଗାଁରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ସୁରକ୍ଷା ପାଇଁ ସଚେତନତା ଓ ପକ୍ଷୀ ଶୀକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପରେ ଚଳିତ ବର୍ଷ ମହାନଦୀ ଜଳ ପୂର୍ବ ବର୍ଷଗୁଡିକ ଭଳି ଅତ୍ୟଧିକ ପ୍ରଦୂଷିତ ନହେବା ସହ ପକ୍ଷୀ ଶୀକାର ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି।

ଫଳରେ ପୁଣି ଏହି ବର୍ଷ ମହାନଦୀର ନୀଳ ଜଳରାଶୀ କୁଳୁକୁଳୁ ନାଦ ଦେଇ ବହି ଯାଉଛି ତାର ଗନ୍ତବ୍ୟସ୍ଥଳକୁ। ଆଉ ଏହି ନୀଳ ଜଳରାଶୀରେ ବିଚରଣ କରିବାକୁ ଆସି ସାରିଲେଣି ଶହଶହ ବାହାର ରାଜ୍ୟ ତଥା ବିଦେଶୀ ପକ୍ଷୀ।
ବର୍ତ୍ତମାନ ମହାନଦୀରେ ୟୁରୋପୀୟ ମହାଦେଶରୁ ଆସିଥିବା ରୁଡି ସଲ୍‍ଡକ୍‍, ପୂର୍ବ ମହାଦେଶର ରୋଜୀ ଷ୍ଟଲିଂ, ଭର୍ଡିଟର ଫ୍ଲାଏକେଚର୍‍, ରେଡ୍‍ କ୍ରେଷ୍ଟେଟ୍‍ ପୋଚାର୍ଡ, ଲିଟିଲ୍‍ ଗ୍ରେବ, ବ୍ଲାକ ବେଲିଡ୍‍ ଟେର୍ଣ୍ଣ, ପେଲିକାନ ପରି ଅନେକ ବିରଳ ପକ୍ଷୀ। ଏମାନେ ଯେତିକି ମହାନଦୀର ଶୋଭା ବର୍ଦ୍ଧନ କରୁଛନ୍ତି ତାଠାରୁ ଅଧିକ ପରିବେଶକୁ ସୁରକ୍ଷା ଦେଉଛନ୍ତି। ନଦୀଗର୍ଭରେ ଥିବା ଅନେକ କ୍ଷତିକାରକ ଜୀବକୁ ଏମାନେ ନିଜେ ଗର୍ଭସ୍ଥ କରି ମଣିଷକୁ ଏକ ସୁସ୍ଥ ଜୀବନ ଯାପନରେ ବେଶ ସହାୟକ ହୋଇ ପାରିଛନ୍ତି। ପକ୍ଷୀ ମାନଙ୍କ ସମ୍ପର୍କରେ ବିଶେଷ ଆଗ୍ରହ ରଖିଥିବା ତଥା ପକ୍ଷୀ ସମ୍ପର୍କରେ ଅଧିକ ଗବେଷଣା କରୁଥିବା ଦିନେଶ ରଞ୍ଜନ ମିଶ୍ର ଓ ଓମ ପ୍ରକାଶ ରାଉତଙ୍କ ମତରେ ବ୍ଲାକ ବେଲିଡ୍‍ ଟେର୍ଣ୍ଣ ନାମକ ପକ୍ଷୀ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ୟୁନିୟନ ଅଫ୍‍ କଞ୍ଜର୍‍ଭେସନ୍‍ ଅଫ୍‍ ନେଚର୍‍(ଆଇଏନସିଏନ୍‍) ଦ୍ୱାରା ଏକ ବିରଳ ପକ୍ଷୀ ଭାବେ ସ୍ଥାନ ପାଇଛି ଯାହାକି ବର୍ତ୍ତମାନ ମହାନଦୀରେ ଦେଖିବାକୁ ମିଳୁଛି। କେବଳ ବ୍ଲାକ ବେଲିଡ୍‍ ଟେର୍ଣ୍ଣ ପକ୍ଷୀ କାହିଁକି ଅନେକ ବିରଳ ପ୍ରଜାତୀର ପକ୍ଷୀ ଏବେ ମହାନଦୀ ଗର୍ଭକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବରେ ବାଛି ନେଇଛନ୍ତି। ତେଣୁ ମହାନଦୀ ଶଯ୍ୟାକୁ ଆସୁଥିବା ଏଭଳି ବିରଳ ପକ୍ଷୀଙ୍କ ସୁରକ୍ଷା ପାଇଁ ନଦୀଗର୍ଭରୁ ଗାଡି ମାନଙ୍କରେ ବେଆଇନ ବାଲି ପଥର ଚାଲାଣ ବନ୍ଦ କରିବାର ଆବଶ୍ୟକତା ରହିଛି। ସେହିପରି ବର୍ତ୍ତମାନ ଶୀତ ଦିନେ ଏଭଳି ପକ୍ଷୀ ମାନେ ବାଲି ପଥର କୋରଡ ଆଦିରେ ଅଣ୍ଡା ଦେଉଥିବାରୁ ସେଭଳି ଅଞ୍ଚଳକୁ ମଣିଷର ପ୍ରବେଶ କିମ୍ବା ହସ୍ତକ୍ଷେପ ବନ୍ଦ କରିବା ଜରୁରୀ ରହିଛି। ଏହା ସହିତ ମଣିଷ ଦ୍ୱାରା ହେଉଥିବା ଜଳ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାର ଆବଶ୍ୟକତା ରହିଛି।

Comments
Loading...