ମହାନଦୀ ପାଣି ପାଇଁ ଓଡିଶାର ସ୍ୱାର୍ଥ ଜଗିଛି କିଏ ; ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତିରେ ବିଶ୍ୱାସ କରନ୍ତି-ନିରଞ୍ଜନ

ଭୁବନେଶ୍ୱର: ମହାନଦୀ ଜଳବିବାଦକୁ ନେଇ ଛତିଶଗଡ ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ଏକ ପ୍ରେସ୍‌ ବାର୍ତ୍ତାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତିରେ ବିଶ୍ୱାସ କରନ୍ତି। ଏବେ କିନ୍ତୁ ସତ୍ୟ ସାମ୍ନାକୁ ଆସିଛି। ଓଡିଶାର ଦାବି ଥିଲା ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ସର୍ବନିମ୍ନ ୧.୨ ମିଲିଅନ୍ ଏକର ଫୁଟ୍ ପାଣି ଛତିଶଗଡ ସରକାର ଛାଡନ୍ତୁ। କିନ୍ତୁ ଛତିଶଗଡ ବିଜେପି ସରକାର ରୋକଠୋକ ନାହିଁ କରିଦେଲେ। ହୀରାକୁଦ ବନ୍ଧ ଗୋଟେ କେନ୍ଦ୍ରୀୟ ଯୋଜନା। ଡିପିଆରରେ ସ୍ପଷ୍ଟ ଭାବେ ଉଲ୍ଲେଖିତ ଅଛି ଓଡିଶାର ଅଂଶ ୧୨.୨୮ ମିଲିୟନ ଏକର ଫୁଟ ଏବଂ ଛତିଶଗଡ ଭାଗ ୮.୩୩ ମିଲିୟନ ଏକର ଫୁଟ। ଛତିଶଗଡ ବିଜେପି ସରକାର ଅଣମୌସୁମୀ ସମୟରେ ପାଣି ଛାଡିବାକୁ ମନା କରିଦେଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହେଲା। କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସରୁ ମଇ ମାସ ପର୍ଯ୍ୟନ୍ତ ୬୨୪ ରୁ ୬୧୭ ଫୁଟ ପର୍ଯ୍ୟନ୍ତ ଜଳଭଣ୍ଡାରରେ ଥିଲା। ଯାହାକି ଅନ୍ୟ ବର୍ଷ ତୁଳନାରେ ୧୦ ରୁ ୧୫ ଫୁଟ ଅଧିକ। ଏ ବର୍ଷ ଛତିଶଗଡ କଂଗ୍ରେସ ସରକାର ୧.୬ ଏକର ଫୁଟ ପାଣି ଛାଡିଛନ୍ତି। ପାଣି ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। ଓଡିଶାକୁ ୨ ଲକ୍ଷ ମିଲିୟନ ଏକର ଫୁଟ ପାଣି ଦେଲେ ଅଣମୌସୁମୀ ସମୟରେ ଓଡିଶାର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପିସିସି ସଭାପତି। ଏହି କଥାକୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ। କିନ୍ତୁ ତାହା ନକରି ସୁପ୍ରିମ୍କୋର୍ଟ ଓ ଟ୍ରିବୁନାଲ୍ ଯିବାକୁ ପଡିଲା। ସବୁ କଥାରେ ବିଜେଡି ସରକାର ବିଜେପିକୁ ସମର୍ଥନ କରୁଛନ୍ତି। ଓଡିଆ ଲୋକଙ୍କ ସ୍ୱାର୍ଥ ପାଇଁ କାହିଁକି ଏତିକି କରିପାରିଲେ ନାହିଁ ବା କରିପାରୁ ନାହାନ୍ତି। ଏହାର ସନ୍ତୋଷଜନକ ଉତର ଓଡିଶାବାସୀଙ୍କୁ କିଏ ଦେବ ବିଜେପି ନା ବିଜେଡି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Comments are closed.