ମହାନଦୀ ଜଳ ବିବାଦ ପୁଣି ବସିବ ଓଡ଼ିଶା-ଛତିଶଗଡ଼ ବୈଠକ

ନୂଆଦିଲ୍ଲୀ: ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ଋତୁରେ ଦୁଇ ମିଲିଅନ ଏକର ଫୁଟ ଜଳପ୍ରବାହ ସୁନିଶ୍ଚିତ କରିବାକୁ ଓଡ଼ିଶା ସରକାରଙ୍କ ଅନ୍ତରୀଣ ଆବେଦନ ଶୁଣାଣି ପୂର୍ବରୁ ଅନ୍ତରୀଣ ଜଳ ପରିଚାଳନା ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଦଳ ପୁଣି ଥରେ ବୈଠକରେ ଏକାଠି ହୋଇ ଆଲୋଚନା କରିବାକୁ ସମ୍ମତ ହୋଇଛନ୍ତି। ଆଜି ମହାନଦୀ ଜଳ ବିବାଦ ଟ୍ରାଇବୁନାଲଙ୍କ ଅଧ୍ୟକ୍ଷ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ ଆଉ ଥରେ ଆଲୋଚନା ପାଇଁ ଅନୁମତି ଲୋଡ଼ିଥିଲେ। ଅଣମୌସୁମୀ ଋତୁରେ ଜଳପ୍ରବାହ ପ୍ରସଙ୍ଗରେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କ ପ୍ରସ୍ତାବ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ତଥ୍ୟ ଉପସ୍ଥାପନ ଲାଗି କମନ ଇନଫରମେସନ ଫର୍ମାଟ ଅଦ୍ୟାବଧି ଚୂଡ଼ାନ୍ତ ହୋଇପାରି ନଥିବା ବିଷୟ ଉଭୟ ରାଜ୍ୟ ତରଫରୁ ଟ୍ରାଇବୁନାଲଙ୍କୁ ଅବଗତ କରାଯାଇଥିଲା। ଡିସେମ୍ବର ୧୪ରୁ ୧୮ ମଧ୍ୟରେ ଆସେସରଙ୍କ ସହ ଉଭୟ ରାଜ୍ୟର ବୈଷୟିକ ଦଳ ଆଲୋଚନା କରି ଟ୍ରାଇବୁନାଲରେ ତଥ୍ୟ ଉପସ୍ଥାପନ ପାଇଁ କମନ ଇନଫରମେସନ ଫର୍ମାଟ ଚୂଡ଼ାନ୍ତ କରିବେ ବୋଲି ଉଭୟ ରାଜ୍ୟ ଜଣାଇଥିଲେ। କମନ ଇନଫରମେସନ ଫର୍ମାଟ ଚୂଡ଼ାନ୍ତ ହେବା ପରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୂଳ ମାମଲାର ଟ୍ରାଏଲ ଟ୍ରାଇବୁନାଲରେ ସାରିବାକୁ ସମୟସୀମା ସ୍ଥିର କରାଯିବ। ଟ୍ରାଇବୁନାଲ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬କୁ ଧାର୍ଯ୍ୟ କରିଛନ୍ତି।

Comments are closed.