ମହାନଦୀ ପୋଲ ପାଲଟିଛି ମରଣଯନ୍ତା

ବୌଦ୍ଧ: ଗୋଟିଏ ପଟେ ଜିଲା ପ୍ରଶାସନ ପକ୍ଷରୁ ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଅନ୍ୟପଟେ ଜିଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବୌଦ୍ଧ କିଆକଟା ମହାନଦୀ ସେତୁର ଦୂରାବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ବହୁ ପ୍ରତୀକ୍ଷିତ ଏହି ସେତୁ ନିର୍ମାଣ ପରେ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ପୂର୍ବ ଓଡ଼ିଶା ମଧ୍ୟରେ ସିଧାସଳଖ ସଂପର୍କ ସୃଷ୍ଟି ହୋଇଥିଲା। ଉତ୍ତର ପ୍ରଦେଶ ବ୍ରିଜ ନିର୍ମାଣ କମ୍ପାନୀ ଦ୍ୱାରା ୨୦୦୨ ମସିହାରେ ଏହି ସେତୁ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା। ଏହାର ନିର୍ମାଣକୁ ନେଇ କମ୍ପାନୀ ସହିତ ପୁର୍ତ୍ତ ବିଭାଗ ମଧ୍ୟ ଖୁବ ପ୍ରଶଂସା ସାଉଣ୍ଟିଥିଲା। ପ୍ରାୟ ଦୁଇକିଲୋମିଟର ଲମ୍ବ ଏହି ବ୍ରିଜ ସେତେବେଳେ ମହାନଦୀ ଉପରେ ଦ୍ୱିତିୟ ଦୀର୍ଘତମ ସେତୁ ଭାବରେ ମାନ୍ୟତା ପାଇଥିଲା। ଏହି ସେତୁ ଉପରେ ଦୈନିକ ପ୍ରାୟ ୫ ହଜାରରୁ ଅଧିକ ଗାଡ଼ିମଟର ଯିବା ଆସିବା କରୁଥିବାବେଳେ ବର୍ତ୍ତମାନ କଟକ ସମ୍ବଲପୁର ରାସ୍ତା ନିର୍ମାଣ କାମ ଚାଲିଥିବା ଯୋଗୁଁ ବହୁ ସଂଖ୍ୟାରେ ଭାରିଯାନ ମଧ୍ୟ ଏହି ସେତୁ ଉପର ଦେଇ ଯିବା ଆସିବା କରୁଛି। ଫଳରେ ମୂଳ ସେତୁର କୌଣସି କ୍ଷତି ହୋଇନଥିଲେ ବି ସେତୁ ଉପରେ ଢଳାଯାଇଥିବା କଂକ୍ରିଟ ଆସ୍ତରଣ ବାରମ୍ବାର ଫାଟି ଲୁହାଛଡ ସବୁ ବିପଦଜନକ ଭାବରେ ବାହାରକୁ ବାହାରି ରହିଛି। ପୁର୍ତ୍ତ ବିଭାଗ ପକ୍ଷରୁ ଏହାର ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପଦିନ ପରେ ପୁଣିଥରେ କଂକ୍ରିଟ ଫାଟି ଛଡସବୁ ବାହାରି ଖାଲ ସୃଷ୍ଟି ହୋଇଯାଉଥିବା ଦେଖାଯାଉଛି। ଏହି ସେତୁ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜନ ଜୀବନ ଯାଇସାରିଲାଣି । ହେଲେ ସେତୁ ଉପରେ ସୃଷ୍ଟି ହୋଇଥିବା ଖାଲ ଓ ବାହାରିଥିବା ଛଡ଼ର ସ୍ଥାୟୀ ମରାମତି କରାଯାଉନଥିବାରୁ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି। ଗୋଟିଏବର୍ଷ ପୂର୍ବରୁ ଏହି ସେତୁର ଆଲୋକୀକରଣ କରି ଜିଲାପାଳ ସାଧାଣରେ ଅନେକ ପ୍ରଶଂସା ସାଉଣ୍ଟିବା ସହିତ ଅନ୍ୟଜିଲାରେ ଏହାକୁ ଉଦାହରଣ ଭାବରେ ଗ୍ରହଣ କରାଯାଇ ସେଠାକାର ସେତୁକୁ ମଧ୍ୟ ଆଲୋକୀକରଣ କରାଯାଇଥିଲା। କିନ୍ତୁ ବର୍ତମାନ ବୌଦ୍ଧ ମହାନଦୀ ସେତୁର ଅବସ୍ଥା ଦେଖିଲେ ଏତେ ଟଙ୍କା ଖର୍ଚ୍ଚ କରି ଆଲୋକୀକରଣର କୌଣସି ଅର୍ଥ କିଛି ବୁଝାପଡୁନାହିଁ। ବର୍ତ୍ତମାନ ଜିଲାରେ ମହାନଦୀ ଉପରେ ଧଳପୁର ଆଠମଲ୍ଲିକ ଓ ବୌଦ୍ଧ ମର୍ଜାକୁଦ ମଧ୍ୟରେ ଦୁଇଗୋଟି ସେତୁ ନିର୍ମାଣ କରାଯାଇ ଉଦଘାଟନ ଅପେକ୍ଷାରେ ଥିବାବେଳେ ମାତ୍ର ୨୦ ବର୍ଷ ତଳେ ନିର୍ମିତି ବୌଦ୍ଧ କିଆକଟା ସେତୁର ସୁରକ୍ଷା ପ୍ରତି ପୁର୍ତ୍ତ ବିଭାଗ ପକ୍ଷରୁ ଦୃଷ୍ଟି ଦିଆନଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଅଛି। ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ବୌଦ୍ଧ କିଆକଟା ସେତୁ ଉପରେ ବିପଦଜନକ ଭାବରେ ବାହାରି ରହିଥିବା ଛଡ ଓ ସୃଷ୍ଟି ହୋଇଥିବା ଖାଲର ତୁରନ୍ତ ମରାମତି କରାଯିବାକୁ ଦାବି ହୋଇଛି।

Comments are closed.