ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ଛତିଶଗଡ଼ ସରକାରଙ୍କ ଜବାବ ; ବିବାଦ ଓଡ଼ିଶା ସରକାରଙ୍କ ନିଜସ୍ୱ ସୃଷ୍ଟି

0
ସତ୍ୟପାଠରେ ଦର୍ଶାଯାଇଥିବା ଯୁକ୍ତି :
-ତଥ୍ୟ ଲୁଚାଉଛନ୍ତି ଓଡ଼ିଶା ସରକାର, -ଜଳ ପ୍ରବାହରେ ପ୍ରଭାବ ପକାଇବ ନାହିଁ ବ୍ୟାରେଜ
-ମହାନଦୀ ଜଳ ବ୍ୟବହାର ଅଧିକାର ଛତିଶଗଡ଼ର ଅଛି, -କାହିଁକି ଟିକରପଡ଼ା ଓ ନରାଜରେ ଜଳଭଣ୍ଡାର ନିର୍ମାଣ କରାଯାଇନି
-ପରିବର୍ତ୍ତିତ ଚାଷ ପ୍ରଣାଳୀ, ଶିଳ୍ପକୁ ପାଣି ସମସ୍ୟାର କାରଣ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଓଡ଼ିଶା ସରକାରଙ୍କ ନିଜସ୍ୱ ସୃଷ୍ଟି। ଏକ୍ଷେତ୍ରରେ ଓଡ଼ିଶା ସରକାର ତଥ୍ୟ ଲୁଚାଉଛନ୍ତି। ମହାନଦୀ ଜଳ ବ୍ୟବହାର ଯୋଜନାର ଅଭାବ ଓ ଉପଲବ୍ଧ ଜଳର ସଠିକ୍‌ ବିନିଯୋଗ ନ କରିପାରିବା କାରଣରୁ ଓଡ଼ିଶା ସରକାର ଅଯଥାରେ ଛତିଶଗଡ଼ ଉପରେ ଦୋଷ ଲଦୁଛନ୍ତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ନିର୍ମାଣାଧୀନ ୬ଟି ବ୍ୟାରେଜ(ଆନିକଟ)ର ମହାନଦୀ ଜଳ ବିବାଦ ସହ କୌଣସି ସଂପର୍କ ନାହିଁ। ଏପରିକି ଏହି ବ୍ୟାରେଜ୍‌ ଗୁଡିକ ମହାନଦୀର ଜଳ ପ୍ରବାହ ଉପରେ ଓଡ଼ିଶାରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବନାହିଁ। ପରିବର୍ତ୍ତିତ ଚାଷ ପ୍ରଣାଳୀ, ଅଧିକ ଜମିକୁ ଜଳସେଚନ ସୁବିଧା, ଶିଳ୍ପକୁ ପାଣି ଓ ଅଣମୌସୁମୀ ସମୟରେ ଜଳବିଦ୍ୟୁତ୍‌ ଉତ୍ପାଦନ ଆଦି ଯୋଗୁଁ ଜଳ ସମସ୍ୟା ସୃଷ୍ଟି ହେଉଛି। ତେବେ ଓଡ଼ିଶା ଭଳି ମହାନଦୀ ଜଳ ବ୍ୟବହାର ଉପରେ ଛତିଶଗଡ଼ର ମଧ୍ୟ ଅଧିକାର ରହିଛି। ମହାନଦୀ ଜଳର ସଠିକ୍ ବିନିଯୋଗ ଲାଗି ଓଡ଼ିଶା ସରକାର ନରାଜ ଓ ଟିକରପଡ଼ାରେ ଏ ପର୍ଯ୍ୟନ୍ତ କାହିଁକି ଜଳଭଣ୍ଡାର(ଡ୍ୟାମ୍‌) ନିର୍ମାଣ କରିନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଛି ଛତିଶଗଡ଼।
ସୋମବାର ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ଛତିଶଗଡ଼ ସରକାର ଜବାବ ଦାଖଲ କରି ସମସ୍ତ ଦୋଷ ଓଡ଼ିଶା ସରକାରଙ୍କ ଉପରେ ପାଲଟା ଲଦିଛନ୍ତି। ଟ୍ରାଇବୁନାଲରେ ଓଡ଼ିଶା ସରକାରଙ୍କ ଆପତ୍ତିର ଜବାବ ଦାଖଲ କରି ଛତିଶଗଡ଼ ସରକାର ଉପରୋକ୍ତ ଯୁକ୍ତି ଦର୍ଶାଇଛନ୍ତି। ଛତିଶଗଡ଼ ସରକାର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଓଡ଼ିଶାରେ ମହାନଦୀ ଜଳ ବ୍ୟବହାର ଯୋଜନା ଅଭାବ ଓ ଉପଲବ୍ଧ ଜଳର ସଠିକ୍‍ ବିନିଯୋଗ ଅଭାବ କାରଣରୁ ଅଯଥାରେ ଛତିଶଗଡ଼ ଉପରେ ଦୋଷ ଲଦା ଯାଉଛି। ମହାନଦୀ ଉପରେ ଛତିଶଗଡ଼ରେ ନିର୍ମାଣାଧୀନ ଛଅଟି ବ୍ୟାରେଜ ସହ ମହନଦୀ ଜଳ ବିବାଦର କୌଣସି ସଂପର୍କ ନାହିଁ ବୋଲି ଛତିଶଗଡ଼ ସରକାର ସତ୍ୟପାଠରେ କହିଛନ୍ତି। ମହାନଦୀ ଜଳ ବ୍ୟବହାର ପ୍ରସଙ୍ଗରେ ୧୯୪୫ରେ ପ୍ରସ୍ତୁତ ଡିପିଆର ଅନୁଯାୟୀ ଓଡ଼ିଶାର ହୀରାକୁଦ, ଟିକରପଡ଼ା ଓ ନରାଜଠାରେ ଜଳଭଣ୍ଡାର ନିର୍ମାଣ ପ୍ରସ୍ତାବ ରହିଥିଲା। କେନ୍ଦ୍ର ସରକାରଙ୍କ ଅନୁଦାନରେ ହୀରାକୁଦରେ ଜଳଭଣ୍ଡାର ଓ ନରାଜ ଠାରେ ଆନିକଟ ନିର୍ମାଣ କରାଯାଇଛି। ତେବେ ୧୯୪୫ ଡିପିଆର ଅନୁଯାୟୀ ଓଡ଼ିଶା ସରକାର କାହିଁକି ମହାନଦୀ ଜଳ ସଠିକ୍‍ ବ୍ୟବହାର ପାଇଁ ଟିକରପଡ଼ା ଓ ନରାଜ ଠାରେ ଦୁଇଟି ଜଳଭଣ୍ଡାର ନିର୍ମାଣ କରିନାହାନ୍ତି ବୋଲି ଛତିଶଗଡ଼ ସରକାରଙ୍କ ତରଫରୁ ପ୍ରଶ୍ନ କରାଯାଇଛି।
ବିଗତ ଦିନରେ ଚାଷ ପ୍ରଣାଳୀରେ ପରିବର୍ତ୍ତନ, ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା, ଶିଳ୍ପକୁ ପାଣି ଯୋଗାଣ ଓ ଅଣମୌସୁମୀ ସମୟରେ ଜଳବିଦ୍ୟୁତ ଉତ୍ପାଦନ ଯୋଗୁଁ ଓଡ଼ିଶାରେ ମହାନଦୀ ଅବବାହିକାରେ ଜଳ ସମସ୍ୟା ଦେଖାଦେଇଛି। ହୀରାକୁଦ ଜଳଭଣ୍ଡାର ଜଳ ବ୍ୟବହାର ବିଷୟରେ ଅନୁଧ୍ୟାନ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଆର ଜୟସୀଲନ ବିଶେଷଜ୍ଞ କମିଟି ତଥ୍ୟ ଅନୁଯାୟୀ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଓ ଜଳସେଚନର ସୁବିଧା ଯୋଗୁଁ ଅଣମୌସୁମୀ ସମୟରେ ୧୪୮ରୁ ୧୭୦ ପ୍ରତିଶତ ଅଧିକ ଚାଷ ଜମିରେ ଜଳସେଚନ ଆବଶ୍ୟକ ପଡ଼ୁଛି। ଫଳରେ ଜଳ ଚାହିଦା ୧.୨୫ ଏମଏଏଫରୁ ୧.୩୬ ଏମଏଏଫରେ ପହଞ୍ଚି ଯାଉଛି। ଅଣମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହ ବିଷୟରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଓ ଟ୍ରାଇବୁନାଲରେ ନଭେମ୍ବର-ମେ ମାସ ମଧ୍ୟର ତଥ୍ୟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାର ଜାଣିଶୁଣି ଅକ୍ଟୋବରର ତଥ୍ୟ ଲୁଚାଉଛନ୍ତି ବୋଲି ଛତିଶଗଡ଼ ସରକାର ସତ୍ୟପାଠରେ ଅଭିଯୋଗ କରିଛନ୍ତି।
ସେହିପରି ୧୯୫୨ ମସିହା ଡ୍ୟାମ ପ୍ରୋଜେକ୍ଟ ରିପୋର୍ଟରେ କୌଣସି ଶିଳ୍ପାନୁଷ୍ଠାନକୁ ମହାନଦୀ ଜଳ ଦେବା ଯୋଜନା ନଥିଲା। ଓଡ଼ିଶା ସରକାର ଏବେ ନାଲକୋ, ଟାଟା ରିଫ୍ରାକଟ୍ରିଜ, ଓରିଏଣ୍ଟ ପେପର ମିଲ ସମେତ ବହୁ ଶିଳ୍ପାନୁଷ୍ଠାନକୁ ହୀରାକୁଦ ଜଳ ଭଣ୍ଡାରରୁ ଜଳ ଦେଉଛନ୍ତି। ସମ୍ବଲପୁର ସହର ପାଇଁ ହୀରାକୁଦ ଜଳ ଭଣ୍ଡାରରୁ ପାନୀୟ ଜଳ ଆସୁଛି। ଏପରିକି ଆଲମୁନିୟମ ଶିଳ୍ପ ଓ ତାପଜ ବିଦ୍ୟୁତ ଶିଳ୍ପ ସ୍ଥାପନ ପରେ ଜଳଭଣ୍ଡାରରୁ ଜଳ ଆବଶ୍ୟକତା ବାର୍ଷିକ ୦.୩୫ ଏମଏଏଫରୁ ବୃଦ୍ଧି ପାଇ ୦.୬୪୫ରେ ପହଞ୍ଚିଯିବ ବୋଲି ସତ୍ୟପାଠରେ କୁହାଯାଇଛି।
ଛତିଶଗଡ଼ର ଛଅଟି ବ୍ୟାରେଜ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବନାହିଁ। ସିଡବ୍ଲୁସି ରିପୋର୍ଟ ଅନୁଯାୟୀ ମୌସୁମୀ ଋତୁରେ ହୀରାକୁଦ ଜଳ ଭଣ୍ଡାର ଛତିଶଗଡ଼ରୁ ଆସୁଥିବା ମହାନଦୀ ପାଣିରେ ତିନି ଥର ଭର୍ତ୍ତି ହୋଇପାରିବ। ହୀରାକୁଦ ଜଳ ଭଣ୍ଡାରରୁ ଅଣମୌସୁମୀ ସମୟରେ ଜଳ କମିବା ସଂପୂର୍ଣ୍ଣ ମିଥ୍ୟା। ଅର୍ପା ଭଇଁଶାଯୋର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ପ୍ରକଳ୍ପ ଉପରେ ଇଞ୍ଜକସନ(ସ୍ଥିତାବସ୍ଥା) ଜାରି ନିବେଦନରୁ କାହିଁକି ଓହରିଲା ବୋଲି ଛତିଶଗଡ଼ ସରକାର ପ୍ରଶ୍ନ କରିଛନ୍ତି। ଛଅଟି ବ୍ୟାରେଜ ପ୍ରକଳ୍ପ ଯୋଗୁଁ ବିଶେଷ କ୍ଷତି ହେବ ସେନେଇ କୌଣସି ପ୍ରାମାଣିକ ତଥ୍ୟ ଓଡ଼ିଶା ସରକାର ଉପସ୍ଥାପିତ କରିପାରିନାହାନ୍ତି। ଏପରିକି ଅାନ୍ତଃରାଜ୍ୟ ଜଳ ବିବାଦ ଆଇନ-୧୯୫୬ରେ ଜଳ ବିବାଦ ପ୍ରସଙ୍ଗରେ ଅନ୍ତରୀଣ ନିର୍ଦେଶନାମାର କୌଣସି ବ୍ୟବସ୍ଥା ନଥିବାରୁ ଟ୍ରାଇବୁନାଲରେ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିବା ପାଇଁ ଛତିଶଗଡ଼ ସରକାର ନିବେଦନ କରିଛନ୍ତି।
ସତ୍ୟପାଠରେ ଦର୍ଶାଯାଇଛି ଯେ ଓଡ଼ିଶା ତୁଳନାରେ ଛତିଶଗଡ଼ରେ ମହାନଦୀ ଅବବାହିକା ଅଞ୍ଚଳ ଅଧିକ ରହିଛି। ଛତିଶଗଡ଼ର ଜୀବନରେଖା ଭାବେ ପରିଚିତ ମହାନଦୀ କୂଳରେ ରାଜ୍ୟର ୭୮ ପ୍ରତିଶତ ଜନତା ୨୦ଟି ଜିଲାରେ ବସବାସ କରୁଛନ୍ତି। ରାଜ୍ୟର କୃଷି, ଶିଳ୍ପ, ପାନୀୟ ଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜଳର ଆବଶ୍ୟକତା ରହିଛି। ନିଜ ରାଜ୍ୟ ମଧ୍ୟରେ କୌଣସି ଜଳ ପ୍ରକଳ୍ପ କଲେ ପଡ଼ୋଶୀ ରାଜ୍ୟକୁ ଜଣାଇବାର ଆବଶ୍ୟକତା ନାହିଁ। ରାଜ୍ୟର ସୀମା ମଧ୍ୟରେ କୌଣସି ନଦୀର ଜଳ ବ୍ୟବହାର କରିବାର ଅଧିକାର ଛତିଶଗଡ଼ର ରହିଛି ବୋଲି ସତ୍ୟପାଠରେ କୁହାଯାଇଛି।

Leave A Reply