ମହାନଦୀ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ହରଭଙ୍ଗା ତହସିଲଦାର

ହରଭଙ୍ଗା: ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଯୋଗୁଁ ତେଲ ଏବଂ ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ତଳ ମୁଣ୍ଡରେ ଥିବା ହରଭଙ୍ଗା ତହସିଲର ୫୫ଟି ନଦୀକୂଳିଆ ଗ୍ରାମ ବନ୍ୟାରେ ପ୍ରଭାବିତ ହେବା ଆଶଙ୍କା କରାଯାଇଛି। ବୌଦ୍ଧଜିଲ୍ଲା ରେଡଜୋନରେ ଥିବାରୁ ଜିଲ୍ଲାରେ ଆଗାମୀ ଦୁଇଦିନ ମଧ୍ୟରେ ଆହୁରି ପ୍ରବଳ ବର୍ଷାହେବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାକୁ ଦୃଷ୍ଟିରେ ରଖି ଏସଆରସି ଜିଲ୍ଲାପାଳମାନଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୃଷ୍ଟିରୁ ଗୁରୁବାର ସକାଳେ ହରଭଙ୍ଗା ତହସିଲଦାର ହରି ଓମ ଭୋଇ ହରଭଙ୍ଗା କୋଡାଶିଙ୍ଗା ଏବଂ ପାଣିଘରା ଭଳି ନଦୀ କୂଳିଆ ଗ୍ରାମ ପରିଦର୍ଶନ କରିବା ସହିତ ମହାନଦୀର ବନ୍ୟାସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ସେଭଳି କୌଣସି ବନ୍ୟା ପରିସ୍ଥିତି ଆଶଙ୍କା ନଥିବା ତହସିଲଦାର ଶ୍ରୀ ଭୋଇଙ୍କ ପକ୍ଷରୁ ସୂଚନା ମିଳିଛି।