କୂଳ ଲଂଘୁଛି ମହାନଦୀ, ନାଲିଫିତା ତଳେ ରିଙ୍ଗବନ୍ଧ

ତଟ ସୁରକ୍ଷା ନ ହେଲେ ନଦୀରେ ଲୀନ ହେବ ୫୫ ରାଜସ୍ୱ ଗାଁ

ହରଭଙ୍ଗା: କେଉଁ ପୁରାତନ ସମୟରୁ ଓଡିଶାର ଜୀବନଧାରା ଭାବେ ମହାନଦୀ ପ୍ରଭାବିତ ହୋଇଆସୁଛି। ଏହି ନଦୀର ସୁଦୀର୍ଘ ପଥ ୮୫୦କି.ମି ଯେଉଁଥିରେ ଓଡିଶାରେ ୪୯୪ କିଲୋମିଟର ପ୍ରବାହିତ ହୋଇଛି। ଏହି ନଦୀର ଉପନଦୀଗୁଡିକ ଇବ୍, ଅଙ୍ଗ, ତେଲ୍, ବାଘ, ଜୀରା, ସାଲୁଙ୍କୀ, କୂଆଖାଈ, ଦୟା, ଭାର୍ଗବୀ, କୁଶଭଦ୍ରା, ଦେବୀ, ବିରୂପା ଇତ୍ୟାଦି ବଙ୍ଗୋପସାଗରରେ ପଡିଛନ୍ତି। ସେଥିପାଇଁ ଏହାକୁ ଓଡିଶାର ବଡନଦୀ ମାନ୍ୟତା ମିଳିଛି। ମହାନଦୀ ଅବବାହିକାରେ ବୌଦ୍ଧଜିଲ୍ଲା ଅବସ୍ଥିତ ଥିବାରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଂଟାମାଳ ବ୍ଲକର କେତେକ ଅଂଚଳର ଲୋକେ ଚାଷବାସ ପାଇଁ ନଦୀ ଉପତ୍ୟକାରେ ବସବାସ କରିଥାଇପାରନ୍ତି ବୋଲି ଅନେକ ମତଦିଅନ୍ତି। ଯେଉଁ ନଦୀ ଦିନେ ଏହି ଲୋକଙ୍କ ଜୀବନଧାର ହୋଇରହିଥିଲା ବର୍ତମାନ ସେହି ନଦୀ ପାଇଁ ଲୋକଙ୍କୁ ସର୍ବସ୍ୱ ହରାଇବାକୁ ପଡିଛି। ଫଳରେ ହରଭଙ୍ଗା ଲୋକଙ୍କ ପାଇଁ ମହାନଦୀ ଦୁଃଖ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ଜିଲ୍ଲାର ହରଭଙ୍ଗା ଗ୍ରାମ ମହାନଦୀ କୂଳରେ ଅବସ୍ଥିତ ରହିଥିବାବେଳେ ଏହି ତହସିଲର କୋଡାଶିଙ୍ଗା, ଅତଲସରା, ମାରଡା, ତିରଡ, କୁମାରୀ, ପାଣିଘରା, ଖଣ୍ଡିଧଳପୁର, ହାଟଗାଁ, କରଡି ଭଳି ୫୫ଟି ରାଜସ୍ୱ ଗ୍ରାମ ପୂରା ନଦୀ କୂଳରେ ଅବସ୍ଥିତ। ମହାନଦୀ ପଠାରେ ରହିଥିବା ଉର୍ବର ପଟୁମାଟିରେ ଭଲ ଚାଷବାସ ଏବଂ ଜଳସେଚନ ସୁବିଧା ଆଶାରେ ଲୋକେ ଏହି ନଦୀକୂଳରେ ବସତି ସ୍ଥାପନ କରି ବେଶ ଆରାମରେ ଜୀବନ କାଟୁଥିଲେ ଏବଂ ସେତେବେଳେ ମହାନଦୀରେ ନୌକା ସାହାଯ୍ୟରେ କଟକ, ବଡମ୍ବା, ନରସିଂହପୁର ଅଂଚଳରୁ ବେପାର ବଣିଜ୍ୟ ପାଇଁ ହରଭଙ୍ଗାକୁ ବହୁ ପରିମାଣରେ ଲୋକ ଆସୁଥିଲେ। ଯାହାଦ୍ୱାରା ସୁଦୀର୍ଘ କଟକ ଅଂଚଳରୁ ଆସୁଥିବା ଏହି ବ୍ୟବସାୟୀଙ୍କ ଚାହିଦା ମଧ୍ୟରେ ପ୍ରମୁଖ ଖାଦ୍ୟ ଶସ୍ୟ ରହିଥିଲା ବଉଦିଆ ଚାଉଳ, ଡାଲି, ବିରି, କୋଳଥ, ମୁଗ, ଧାନ, ଗୁଡ, ହାଣ୍ଡି, ମାଠିଆ ଆଦି ନୌକା ସାହାଯ୍ୟରେ ବହୁ ପରିମାଣରେ ବେପାର ବଣିଜ କରୁଥିଲେ। ଏହି ଦୃଷ୍ଟିକୋଣରୁ ହରଭଙ୍ଗା ଏକ ନୌବାଣିଜ୍ୟ କେନ୍ଦ୍ରର ମାନ୍ୟତା ମଧ୍ୟ ପାଇଥିଲା। ଦିନକୁ ଦିନ ମହାନଦୀର ଗତିପଥ ବଦଳିବା ସହିତ ନଦୀ ଶଯ୍ୟା ବାଲିରେ ପୋତିହେବା ସାଙ୍ଗକୁ କୂଳ ଖାଈ ନଦୀ ଧିରେ ଧରେ ଗାଁ ମୁହାଁ ହେବାକୁ ବସିଲାଣି। ଫଳରେ ନଦୀ କୂଳରେ ରହିଥିବା ଗାଁ ଗୁଡିକ ମହାନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଲାଣି। ଏବଂ ନଦୀ କୂଳୀଆ ଚାଷଜମିଗୁଡିକ ପ୍ରତିବର୍ଷ ବନ୍ୟାରେ ପ୍ରଭାବିତ ହୋଇ ନଦୀ ଗର୍ଭରେ ମିଶିବାକୁ ବସିଲାଣି। ଦୁଇ, ତିନିବର୍ଷ ବ୍ୟବଧାନରେ ଥରେ ଥରେ ମହାନଦୀର ପ୍ରଳୟଙ୍କାରୀ ବନ୍ୟାରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯିବା ସହିତ ଘରଭଙ୍ଗା ଏବଂ ଫସଲ ଜନିତ କ୍ଷୟକ୍ଷତି ଯୋଗୁଁ ନଦୀକୂଳିଆ ଜମିରୁ ଚାଷୀ ଚାଷ ପାଇଁ ଆଶା ଛାଡିଦେଲାଣି। ବିଗତ ଦିନ ଗୁଡିକରେ ଘଟିଥିବା ୧୯୮୨ ମହାନଦୀ ବନ୍ୟାର ବିଭିଷୀକା ଆଜି ବି ସାଧାରଣ ଲୋକଙ୍କ ମନରେ ରେଖାପାତ ହୋଇରହିିଥିବା ବେଳେ ସେତେବେଳେ ଲୋକେ ହରାଇଥିବା କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଏଭଳି ପରିସ୍ଥିତିରେ ବାରମ୍ବାର ମହାନଦୀ ବନ୍ୟାରେ ଧର୍ଷୀତ ହେଉଥିବା ଏହି ନଦୀକୂଳୀଆ ଲୋକେ ଆଜି ବି ଗାଁ ଛାଡି ଯିବାକୁ ମନବଳାଇନାହାଁନ୍ତି। କିନ୍ତୁ ଏହାସତ୍ୱେ ପ୍ରଶାସନ ନଦୀ ଅବବାହିକା ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତେ ବୁଡି ଅଂଚଳ ନାଁରେ ହରଭଙ୍ଗାବାସୀଙ୍କଠାରୁ ୧୯୬୨ ମସିହାରେ ବ୍ଲକ ଅଫିସ ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟାଳୟଟି ଚାରିଛକ ସ୍ଥାନନ୍ତରିତ କଲାପରେ ହରଭଙ୍ଗାର ଗୁରୁତ୍ୱ ଏବଂ ବିକାଶ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକଲା। ପରବର୍ତୀ ସମୟରେ ଧିରେ ଧରେ ହରଭଙ୍ଗାରୁ ତହସିଲ କାର୍ଯ୍ୟାଳୟ ଦମକଳକେନ୍ଦ୍ର, ରେଞଅଫିସ୍, ରାଜସ୍ୱନୀରିକ୍ଷକ କାର୍ଯ୍ୟାଳୟ, ସହକାରୀ କୃଷି କାର୍ଯ୍ୟାଳୟ, ଅବକାରୀ ଅଫିସ୍ ଭଳି ଅନେକ ଗୁଡିଏ ଦରକାରୀ ଅଫିସ୍ ସ୍ଥାନାନ୍ତରିତ କରାଯାଇ ହରଭଙ୍ଗାର ବିକାଶ ମାନଚିତ୍ର ଉପରେ ସବୁଦିନ ପାଇଁ ଜିଲ୍ଲାପ୍ରଶାସନ ଏକପ୍ରକାର ପୂର୍ଣ୍ଣଛେଦ ଟାଣିଦେଇଥିଲେ। ଯାହାର ପରିମାଣ ସ୍ୱରୁପ ହରଭଙ୍ଗା ସବୁଦିନପାଇଁ ଅବହେଳିତ ହୋଇରହିଗଲା। ସେତେବେଳେ ହରଭଙ୍ଗା କନ୍ଧମାଳ ଜିଲ୍ଲାରେ ଅଧିନରେ ରହିଥିଲା। ସେହି ସମୟରେ ଅଭିବକ୍ତ କନ୍ଧମାଳ ଜିଲ୍ଲାପାଳ ବୁଡି ଅଂଚଳ ନାଁରେ ଛଳନା କରି ହରଭଙ୍ଗାରୁ ବ୍ଲକ ଅଫିସ୍ ସ୍ଥାନାନ୍ତରିତ କରିନେଲେ। କିନ୍ତୁ ହରଭଙ୍ଗା ଅଂଚଳ ବନ୍ୟା ଦାଉରୁ କିପରି ରକ୍ଷା ପାଇପାରିବ ଏ ଦିଗ ପ୍ରତି ସେତେବେଳେ ବିଚାର କରାଯାଇଥିଲେ ହୁଏତ ଅଂଚଳବାସୀଙ୍କୁ ଏଭଳି ଦୁର୍ଦ୍ଦଶା ଆଜି ଦେଖିବାକୁ ପଡିନଥାନ୍ତା ବୋଲି ବହୁ ପୁରାତନ ଲୋକ ମତପ୍ରକାଶ କରନ୍ତି। ଏମିତିକି ହରଭଙ୍ଗା ବସ୍ତି ଅଂଚଳକୁ ଛାଡିଦେଲେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ବୁଡି ଅଂଚଳ ଠାରୁ ଏକ କିଲୋମିଟର ଦୂର ଉଚ୍ଚା ସ୍ଥାନରେ ରହିଥିଲା । ୧୯୮୨ ପ୍ରଲୟଙ୍କାରୀ ବନ୍ୟାରେ ମଧ୍ୟ ସେହି ସ୍ଥାନକୁ ବନ୍ୟା ପାଣି ମାଡି ନଥିଲା କି ପାଣି ମାଡିବା ଆଶଙ୍କା ମଧ୍ୟ ନଥିଲା। ଏଭଳି କ୍ଷେତ୍ରରେ ଜିଲ୍ଲାପ୍ରଶାସନ ଏହି ଅଂଚଳବାସୀଙ୍କ ପ୍ରତି ଛଳନା କରି ଏଭଳି ଏକ ପଦକ୍ଷେପ ସେତେବେଳେ ଗ୍ରହଣ କଲେ ଯାହାର ପରିଣାମ ବର୍ତମାନ ଏହି ଅଂଚଳବାସୀ ଭୋଗିବାକୁ ବାଧ୍ୟ ହେଉଛନ୍ତି। ବର୍ତମାନ ପରିସ୍ଥିତିରେ ସରକାର ମହାନଦୀରେ ଆଡିବନ୍ଧ ନିର୍ମାଣ କରି ନଦୀକୂଳୀଆ ଗାଁ ଗୁଡିକ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ ହୋଇପଡଛି। ନଚେତ୍ ଆଗାମୀ ଦିନରେ ମହାନଦୀ ଗର୍ଭରେ ହରଭଙ୍ଗା ଅଂଚଳର ପାଖାପାଖି ୫୫ରାଜସ୍ୱ ଗ୍ରାମ ନଦୀରେ ଲୀନ ହେବା ଏକପ୍ରକାର ନିଶ୍ଚିତ ବୋଲି ବୁଦ୍ଧୀଜୀବି ତଥା ବରିଷ୍ଠ ନାଗରିକମାନେ ମତପ୍ରକାଶ ପାଉଛି।

Comments are closed.