ସରକାରୀ ଅବହେଳାର ଶିକାର ମହିଳା ମହାବିଦ୍ୟାଳୟ, ଜମି ନ ଦେଲେ ଫେରିଯିବ ୯ କୋଟି

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟ ସରକାରୀ ଅବହେଳାର ଶିକାର ହୋଇଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ଉଦାସୀନତାରୁ ଏହି ମହାବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ବିଶ୍ବ ବ୍ୟାଙ୍କ ପାଣ୍ଠିରୁ ମିଳିଥିବା ୯ କୋଟି ୪ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି। ୧୯୮୧ରେ ପ୍ରତିଷ୍ଠିତ ଏହି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତି ତିନିରେ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ସମସ୍ତ ବିଷୟ ରହିଛି। ଏଠାରେ ବର୍ତ୍ତମାନ ୪ ହଜାରରୁ ଊର୍ଦ୍ଧ୍ବ ଛାତ୍ରୀ ପାଠ ପଢୁଛନ୍ତି। ଏହି ମହାବିଦ୍ୟାଳୟଟି ପ୍ରତିଷ୍ଠା ହେବା ବେଳେ ଯେଉଁ ୧ ଏକର ସ୍ଥାନରେ ଗଢି ଉଠିଥିଲା ଆଜି ମଧ୍ୟ ସେଇଠି ହିଁ ଦଣ୍ଡାୟମାନ। ସହର ମଝିରେ ରହିଥିବାରୁ କଲେଜର ପରିସର ସମ୍ପ୍ରସାରଣ ହୋଇପାରୁନି।

ଆମ୍ବ ବଜାର ପାଖରେ ଥିବା ୨.୦୬୩ ଏକର ସରକାରୀ ଜମିକୁ ଏହି ମହାବିଦ୍ୟାଳୟକୁ ଦେବାକୁ ୯ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ସେହିକ୍ରମରେ ବ୍ରହ୍ମପୁର ତହସିଲଦାର କଲେଜକୁ ୨୦୧୨ରେ ଜମିର ଦଖଲ ଅନୁମତି ଦେଇଥିଲେ। ଏହାର କିଛି ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବିଶ୍ବବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଜରିଆରେ ଉକ୍ତ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ ପାଇଁ ୯ କୋଟି ୪ ଲକ୍ଷ ଟଙ୍କା ମିଳିଥିଲା। ସେହି ଜମିରେ ମହାବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ୫ କୋଟି ୪୦ ଲକ୍ଷ ଟଙ୍କା ପୂର୍ତ୍ତ ବିଭାଗକୁ ପ୍ରଦାନ କରାଯାଇଥିଲା।

ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ଜମିର ପଟ୍ଟା ଦାଖଲ କରିବାକୁ କହିଥିଲେ। ମହାବିଦ୍ୟାଳୟ ନାଁରେ ଆଜି ଯାଏଁ ବ୍ରହ୍ମପୁର ତହସିଲଦାର ପଟ୍ଟା ପ୍ରଦାନ କରି ନଥିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ବିଫଳ ହୋଇଥିଲେ। ଯେଉଁଥିପାଇଁ ଆଜିଯାଏଁ ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ହୋଇପାରୁନି। ଖବର ନେବାରରୁ ଜଣାପଡ଼ିଛିଯେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜମି ଦଖଲ ଅନୁମତି ମିଳିଥିଲେ ମଧ୍ୟ ଏହି ଜମି ଉପରେ ଜଳାଶୟ ଥିବା ଦର୍ଶାଇ କଲେଜ ନାଁରେ ଏହି ସରକାରୀ ଜମି କରାଇବା ପୂର୍ବରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଆପତ୍ତି ଉଠାଇଥିଲା।

ବ୍ରହ୍ମପୁର ତହସିଲଦାର ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ଭାବେ ଉକ୍ତ ଜମିର ନିରୀକ୍ଷଣ କରି ରିପୋର୍ଟ ଦେବା ପରେ ଯାଇ ଜମି କଲେଜ ନାଁରେ ହୋଇପାରିବ ବୋଲି କୁହାଯାଇଥିଲା। ହେଲେ ଆଜି ଯାଏଁ ମିଳିତ ନିରୀକ୍ଷଣ ହୋଇପାରିନଥିବାରୁ ଜମିର ପଟ୍ଟା ମହାବିଦ୍ୟାଳୟ ନାଁରେ ହୋଇପାରୁନାହିଁ। ଫଳରେ ବିଶ୍ବ ବ୍ୟାଙ୍କରୁ ମିଳିଥିବା ୯ କୋଟି ୪ ଲକ୍ଷ ଟଙ୍କା ଏବେ ଫେରିଯିବାକୁ ବସିଛି।

Comments are closed.