ମହାରାଷ୍ଟ୍ର ରାଜନୀତି : ଆସନ୍ତାକାଲି ଶକ୍ତି ପରୀକ୍ଷା

ମୁମ୍ବଇ  : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆସନ୍ତାକାଲି (ଗୁରୁବାର) ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍‌ ରାଜ୍ୟପାଳଙ୍କୁ ଭେଟିବା ସହ ଏହି ଦାବି ଉପସ୍ଥାପନ କରିବା ପରେ ରାଜ୍ୟପାଳ ଆଶାନୁଯାୟୀ, ଏହି ନିର୍ଦେଶ ଦେଇଛନ୍ତି । ସେହି ଅନୁସାରେ ଜୁନ୍‌ ୩୦, ଗୁରୁବାର ପୂର୍ବାହ୍ଣ ୧୧ଟାରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରାଯାଇଛି। ଅପରପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟରୁ ଶକ୍ତି ପାଇବା ପରେ ଶିବ​ସେ‌ନାର ବିଦ୍ରୋହୀ ବିଧାୟକମାନେ ଗୁଆହାଟୀରୁ ମୁମ୍ବଇ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେମାନେ ଖୁବ୍‌ ଶୀଘ୍ର ମୁମ୍ବଇରେ ପହଞ୍ଚିବେ ବୋଲି କହିଛନ୍ତି ବିଦ୍ରୋହୀ ନେତା ଏକନାଥ ଶିନ୍ଦେ। ବିଦ୍ରୋହ ପରଠାରୁ ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖରେ ମନ୍ତବ୍ୟ ରଖି ସେ କହିଛନ୍ତି ଯେ ତାଙ୍କ ସହିତ ୫୦ବିଧାୟକ ଅଛନ୍ତି । ମୁମ୍ବଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ମୁକାବିଲା ହେବ। ସେମାନେ ବିଧାୟକମାନେ ମଙ୍ଗଳବାର ରାତିରେ ବାହାରି ସିଧାସଳଖ ମୁମ୍ବଇରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ବିଜେପି ସଭାପତିଙ୍କ ସହ ଆଲୋଚନା ପରେ ଫଡ଼ନବିସ୍‌ ମଙ୍ଗଳବାର ଦିଲ୍ଲୀ ଯାଇ ଅମିତ ଶାହା, ଜେପି ନଡ୍ଡା, ବିଏଲ୍‌ ସନ୍ତୋଷ ପ୍ରମୁଖଙ୍କ ସହ ବିଚାରବିମର୍ଶ କରିଥିଲେ। ସେଠାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ ଦାବି କରାଯିବା ସଂକ୍ରାନ୍ତ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଏତଦ୍‌ ବ୍ୟତୀତ ୮ ସ୍ବାଧୀନ ବିଧାୟକ ମଧ୍ୟ ଇ-ମେଲ୍‌ ଯୋଗେ ରାଜ୍ୟପାଳଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ।
ଏଭଳି ସ୍ଥିତିରେ‌େ‌ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପୁନର୍ବାର ବିଦ୍ରୋହୀଙ୍କୁ ଆବେଗ ଭରା ନିବେଦନ କରିଛନ୍ତି। ‘ଆପଣମାନଙ୍କ ହୃଦୟରେ ଏବେ ବି ଶିବସେନା ରହିଛି। ଦଳର ନେତୃତ୍ବ ନେଇ ଯଦି କିଛି ସମସ୍ୟା ରହିଛି; ତେବେ ଶୀଘ୍ର ଫେରି ଆସନ୍ତୁ ଏବେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇଯିବ। ଶିବସେନା ପରିବାରର ମୁଖ୍ୟ ଭାବେ ମୁଁ ଆପଣମାନଙ୍କ ପାଇଁ ଖୁବ୍‌ ଚିନ୍ତିତ। ଆପଣଙ୍କ ମଧ୍ୟରୁ କେତେଜଣଙ୍କୁ ବନ୍ଦୀ ଭଳି ରଖାଯାଇଛି। ଅନେକ ଏବେ ମଧ୍ୟ ଆମ ସହିତ ସମ୍ପର୍କରେ ଅଛନ୍ତି। ମୁଁ ସମସ୍ତଙ୍କ ମାନସିକତା ହୃଦୟଙ୍ଗମ କରିପାରୁଛି। ଆଉ ବିଳମ୍ବ ନ କରି ମୋ ସମ୍ମୁଖରେ ବସି ଆଲୋଚନା କରନ୍ତୁ। ଶିବସେନା ବ୍ୟତୀତ ଅନ୍ୟ କେଉଁଠି ସେମାନେ ଉପଯୁକ୍ତ ସମ୍ମାନ ପାଇବେ ନାହିଁ’ ବୋଲି ଉଦ୍ଧବ କହିଛନ୍ତି। ଏହି ଅବସରରେ ବିଦ୍ରୋହୀ ଗୋଷ୍ଠୀର ୧୫ରୁ ୨୦ ବିଧାୟକ ତାଙ୍କ ସହ ଯୋଗଯୋଗରେ ଥିବା ଉଦ୍ଧବ ଦାବି କରିଛନ୍ତି। ଉଦ୍ଧବଙ୍କ ଏହି ଦାବିକୁ ଏକନାଥ ଖଣ୍ଡନ କରିଛନ୍ତି। ଉଦ୍ଧବ ମିଛ କହୁଛନ୍ତି। ତାଙ୍କ ଗୋଷ୍ଠୀ ପ୍ରକୃତ ଶିବସେନା ବୋଲି ସେ ଦାବି କରିବା ସହ ସେମାନେ ଶିବସେନା-ବାଲାସାହେବ ଗଠନ କରିଥିବା କହିଛନ୍ତି। ଇତିମଧ୍ୟରେ ୯ ବିଧାୟକ ରାଜ୍ୟପାଳଙ୍କୁ ସରକାରରୁ ସମର୍ଥନ ପ୍ରତ୍ୟାହାର ସମ୍ପର୍କରେ ଲେଖିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଉଦ୍ଧବଙ୍କ ପ୍ରତି ମନ୍ତ୍ରିମଣ୍ଡଳର ସମର୍ଥନ ଥିବାରୁ ସେ ଇସ୍ତଫା ଦେବେ ନାହିଁ । ପୂର୍ବରୁ ସେ ଦୁଇଥର ଇସ୍ତଫା ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଏନ୍‌ସିପି ନେତା ଶରଦ ପୱାର ତାଙ୍କୁ ଏଥିରୁ ନିବୃତ୍ତ କରାଇଛନ୍ତି। ଏମିତି କି ସୋମବାର ମଧ୍ୟ ସେ ଇସ୍ତଫା ଦେବାକୁ ଇଚ୍ଛା ବ୍ୟକ୍ତ କରିଥିବା ପ୍ରକାଶ। ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧବଙ୍କ କ୍ୟାବିନେଟ ବୈଠକ ବସି ସ୍ଥିତି ସମୀକ୍ଷା କରାଯାଇଛି । ଉଦ୍ଧବଙ୍କ ସରକାର ପୂର୍ଣ୍ଣ କାଳ ଶାସନ କରିବ ବୋଲି କହିଛନ୍ତି ଆଦିତ୍ୟ ଠାକ୍‌ରେ। ଅନ୍ୟପକ୍ଷରେ ଶରଦ ପୱାରଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ନେଇ ଏବେ ଆଲୋଚନା ଜୋର୍‌ ଧରିଛି। ସେ ଗୋଳିଆ ପାଣିରୁ ଫାଇଦା ଉଠାଇବା ମତଲବରେ ରହିଥିବା କୁହାଯାଉଛି। ମୁମ୍ବଇ ପୁଲିସ କମିସନର ଉଭୟ ଶିବସେନା ଓ ବିଜେପି ନେତାଙ୍କୁ ଆଇନଶୃଙ୍ଖଳା ରକ୍ଷାରେ ସହଯୋଗ ପାଇଁ ନିବେଦନ କରିଛନ୍ତି । ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେ ଏବଂ ସଞ୍ଜୟ ରାଉତଙ୍କ ବିରୋଧରେ ରାଜ୍ୟରେ‌େ‌ ଶାନ୍ତି ଭଙ୍ଗ ନେଇ ବମ୍ବେ ହାଇକୋର୍ଟରେ‌େ‌ ମାମଲା ରୁଜୁ ହୋଇଛି।

Comments are closed.