ଶୁଣାଣି ପୂର୍ବରୁ ସରିବ ଖେଳ

ମହାରାଷ୍ଟ୍ର : ଅଯୋଗ୍ୟ ଘୋଷଣା ନୋଟିସ୍‌ ଉପରେ ଅଙ୍କୁଶ

ନୂଆଦିଲ୍ଲୀ/ମୁମ୍ବଇ : ଶିବସେନାର ବିଦ୍ରୋହୀ ନେତା ଏକାନାଥ ଶିନ୍ଦେ ଓ ତାଙ୍କ ସହଯୋଗୀଙ୍କୁ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ଦେଇଥିବା ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ନୋଟିସର ଜବାବ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ସମୟ ଦେବା ସହ ସମ୍ପୃକ୍ତ ବିଧାୟକ ମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଧାନସଭାରେ ଶକ୍ତି ପରୀକ୍ଷା ନ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଅଦାଲତ ନାକଚ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କୌଣସି ଅନ୍ତରୀଣ ଆଦେଶ ଦେଇହେବନାହିଁ। ଯଦି ବିଧାନସଭାରେ ଶକ୍ତି ପରୀକ୍ଷା ସମୟରେ କୌଣସି ଜଟିଳ ପରିସ୍ଥିତି ଉପୁଜେ, ତେବେ ତାହା ଶୁଣିବାକୁ ଅଦାଲତ ଦ୍ବାର ଖୋଲା ରହିଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ତିନିଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିବାରେ ସହାୟକ ହେବ ବୋଲି ପର୍ଯ୍ୟବେକ୍ଷକ ମହଲ ମନେ କରୁଛନ୍ତି।
ଏଠାରେ ସୂଚନାଯୋଗ୍ୟ କି, ରାଜ୍ୟ ବାହାରେ ଆଶ୍ରୟ ନେଇଥିବା ଶିବସେନା ଦଳର ବିଦ୍ରୋହୀ ନେତାଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ୍‌ ସୁରକ୍ଷା ଯୋଗାଇଥିବାବେଳେ ସୁପ୍ରିମକୋର୍ଟ ରାଜ୍ୟସରକାରଙ୍କ ଠାରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିଛନ୍ତି। ତେଣୁ ସେମାନେ ମହାରାଷ୍ଟ୍ର ଫେରିବାର ପଥ ପରିଷ୍କାର ହୋଇଛି। ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ପାଇଁ ଯେଉଁ ୧୫ଦିନ ସମୟ ମିଳିଛି, ତାହାରି ମଧ୍ୟରେ ଦଳବଦଳ ପାଇଁ ଘୋଡ଼ାବେପାର ଓ ବିଧାନସଭା ଡକାଇ ଶକ୍ତି ପରୀକ୍ଷା ପାଇଁ ସୁଯୋଗ ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ। ଅପରପକ୍ଷରେ ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟପାଳ ଭଗତସିଂହ କୋଶିଆରୀ ପ୍ରୟାସ ଆରମ୍ଭ କରିଛନ୍ତି। ଜୁଲାଇ ୧୧ ସୁଦ୍ଧା ଯଦି ଏହା ସମ୍ଭବ ହେଲା ତେବେ ଆଉ ଶକ୍ତିପ୍ରଦର୍ଶନର ଆବଶ୍ୟକତା ପଡ଼ିବନାହିଁ। ଜୁଲାଇ ୧୨ ପୂର୍ବରୁ ଅଚଳାବସ୍ଥା ଦୂର ହୋଇଯିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।
ଆଗାମୀ ଦିନରେ ରାଜ୍ୟ ରାଜନୀତି ଏକ ରୋଚକ ମୋଡ଼ରେ ପହଞ୍ଚିବାର ସମସ୍ତ ସମ୍ଭାବନା ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟପାଳଙ୍କୁ ଭେଟି ବିରୋଧୀ ଦଳ ବିଧାନସଭାରେ ଶକ୍ତି ପରୀକ୍ଷା ଦାବି ଉପସ୍ଥାପନ କରିବା ସହ ନିଜର ରାଜନୈତିକ ସମର୍ଥକଙ୍କ ସଂଖ୍ୟା ବଢ଼ାଇବାର ସମସ୍ତ ସୁଯୋଗର ସଦୁପଯୋଗ କରିବା ଏକପ୍ରକାର ନିଶ୍ଚିତ। ତେଣୁ ଯେତେଦୂର ମନେହୁଏ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜନୀତି ଏକ ନିର୍ଣ୍ଣାୟକ ମୋଡ଼ରେ ଉପନୀତ ହେବ।
ତେବେ ନ୍ୟାୟିକ ଓ ବିଧିପାଳିକାରେ କେତେକ କଥା ଉଠୁଛି। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବାବେଳେ ରାଜ୍ୟପାଳ ସିଧାସଳଖ ଶକ୍ତି ପରୀକ୍ଷା ପାଇଁ ଅନୁମତି ଦେଇପାରିବେ କି ନାହିଁ, ସେ ସଂପର୍କରେ ସୁପ୍ରିମକୋର୍ଟଙ୍କ ୨୦୧୬ର ନବମ ରବିୟା ବନାମ ଅରୁଣାଚଳ ପ୍ରଦେଶ ବାଚସ୍ପତି ମାମଲା ରାୟରେ ରାଜ୍ୟପାଳ ଏଥିପାଇଁ ପୂର୍ଣ୍ଣ କ୍ଷମତାପ୍ରାପ୍ତ ବୋଲି ସ୍ପଷ୍ଟ କରାଯାଇଛି। ମହାରାଷ୍ଟ୍ର ସ୍ଥିତି ଅନୁରୂପ ରହିଛି।

Comments are closed.