ଫଡ଼ନବୀଶ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ; ବିଜେପି-ଶିବସେନା ମେଣ୍ଟ ସରକାର ଗଢ଼ିବ

ମହାରାଷ୍ଟ୍ରରେ ସରକାର ଗଠନ ନେଇ ତତ୍ପରତା

ମୁମ୍ବଇ : ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନବୀଶ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସର୍ବ ସମ୍ମତି କ୍ରମେ ଶ୍ରୀ ଫଡ଼ନବୀଶଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍‍ ଓ ବିଜେପି ଜାତୀୟ ଉପସଭାପତି ଅବିନାଶ ରାୟ ଖାନ୍ନା ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

ତେବେ ଶ୍ରୀ ଫଡ଼ନବୀଶ କହିଛନ୍ତି ଏହି ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ (ମହାୟୁତି)କୁ ଜନାଦେଶ ମିଳିଛି । କାରଣ ଆମେ ମହାୟୁତି ପାଇଁ ଭୋଟ ମାଗିଥିଲୁ। ଲୋକ ଏହାର ସମର୍ଥନରେ ଭୋଟ ଦେଇଥିଲେ। ତେଣୁ ମହାରାଷ୍ଟ୍ରରେ ମହାୟୁତି ସରକାର ହିଁ ଗଠନ ହେବ।

ଅନ୍ୟପକ୍ଷରେ ସରକାର ଗଠନ ଦେଇ ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରିପାରି ନାହିଁ। ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀଶ ଶିବସେନାକୁ କଦାପି ଅଢ଼େଇ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବା ବିଷୟରେ ପ୍ରତିଶ୍ରୁତି ଦିଆଯାଇ ନ ଥିବାର ଦୃଢ଼ ଭାବେ କହିଛନ୍ତି । ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ତଥା ପାଟି ନେତା ସୁଧୀର ମୁଙ୍ଗତିୱାର୍‍ ଓ
ଚନ୍ଦ୍ରକାନ୍ତ ପାଟିଲ୍‍ ଶ୍ରୀ ଫଡ଼ନବୀଶଙ୍କୁ ସମର୍ଥନ କରିଛନ୍ତି ଓ ଶିବସେନାକୁ ସେଭଳି କୌଣସି ପ୍ରତିଶ୍ରୁତି ଦିଆଯାଇ ନ ଥିବାର କହିଛନ୍ତି। ବିଜେପି ମୁଖ୍ୟ ଅମିତ୍‍ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ୍‍ ଠାକରେ ୫୦-୫୦ ଶାସନ ବିଷୟର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେମାନେ କହିଛନ୍ତି । ଶ୍ରୀ ଫଡ଼ନବୀଶଙ୍କର ବିବୃତ୍ତି ପରେ ଶିବସେନାର ଆଜି ବିଜେପି ସହ ହେବାକୁ ଥିବା ବୈଠକକୁ  ବାତିଲ୍‍ କରିଛି ।
ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ସ୍ଥିତି ସ୍ପଷ୍ଟ ହୋଇପାରି ନ ଥିବାବେଳେ ଆଉ ୨ ଜଣ ବିଧାୟକ ବିଜେପିକୁ ନିସର୍ତ୍ତ ସମର୍ଥନ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ନିର୍ଦ୍ଦଳୀୟ ବିଧାୟକ କିଶୋର ଜୋର୍‍ଗେୱାର୍‍ ଓ ଡକ୍ଟର ବିନୟ କୁମାର କୋରେ ରହିଛନ୍ତି।
ବିଜେପି ରାଜ୍ୟ ବିଧାନସଭା ନିର୍ବାଚନରେ ୧୦୫ଟି ଆସନରେ ବିଜୟୀ ହୋଇଛି ଓ ଏହାପ୍ରତି ୧୫ ଜଣ ନିର୍ଦ୍ଦଳୀୟ ବିଧାୟକଙ୍କର ସମର୍ଥନ ଥିବାର ଦାବି କରିଛି।

Comments are closed.