ଉପରାଜ୍ୟପାଳ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ: ମାଡ୍ରସ ହାଇକୋର୍ଟ

ପୁଡୁଚେରୀ : କୌଣସି କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। ଏଠାକାର ନିର୍ବାଚିତ ସରକାର ହାତରେ କ୍ଷମତା ରହିବ ବୋଲି ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ପୁଡୁଚେରୀ ଉପରାଜ୍ୟପାଳ କୀରଣ ବେଦୀ ସମାନ୍ତରାଳ ସରକାର ଚଳାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଦାୟର କରିଥିବା ଏକ ଆବେଦନ ଉପରେ ଶୁଣାଣି କରି ବିଚାରପତି ଆର. ମାଧବନ ଏହି ରାୟ ଦେଇଛନ୍ତି। ବିଚାରପତି କହିଛନ୍ତି ମନ୍ତ୍ରିମଣ୍ଡଳ ଦ୍ବାରା କାର୍ଯ୍ୟ କରୁଥିବା ନିର୍ବାଚିତ ସରକାରଙ୍କୁ ଉପରେ ସାମ୍ବିଧାନିକ ଧାରା ଅନୁଯାୟୀ କାର୍ଯ୍ୟ କରୁଥିବା ପ୍ରଶାସକ ଏହାର ପ୍ରତିଦିନର କାର୍ଯ୍ୟରେ ହସ୍ତକ୍ଷେପ ପୂର୍ବକ ପ୍ରଭୃତ୍ବ ଜାହିର କରିପାରିବେ ନାହିଁ କି ପ୍ରତ୍ୟେକ ସରକାରୀ ଅଧିକାରୀଙ୍କୁ ଡାକି ସମାନ୍ତରାଳ ସରକାର ଚଳାଇପାରିବେ ନାହିଁ। ନୀତି ନିଷ୍ପତ୍ତି ନିର୍ଦ୍ଧାରଣରେ ନିର୍ବାଚିତ ସରକାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଅନ୍ୟଥା ଏଭଳି ସରକାରର କୌଣସି ମୂଲ୍ୟ ରହିବ ନାହିଁ। ଯଦିଓ ପ୍ରଶାସକ ଭାବେ କାର୍ଯ୍ୟ କରିବା ନେଇ ଉପରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲେ ମଧ୍ୟ ଏହା ସିମୀତ ଏବଂ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଉପଯୋଗ୍ୟ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପୁଡୁଚେରୀର କଂଗ୍ରେସ ବିଧାୟକ କେ. ଲକ୍ଷ୍ମୀନାରାୟଣଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଏଥିସହ ଉପରାଜ୍ୟପାଳଙ୍କ କ୍ଷମତା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ଜାନୁଆରୀ ଓ ଜୁନରେ ଜାରି କରାଯାଇଥିବା ନିର୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଫଳରେ କ୍ଷମତା କନ୍ଦଳରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କର ବୃହତ ବିଜୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ପି. ଚିଦାମ୍ବରମ ଏବଂ ଭି.ଟି. ଗୋପାଳନ ଯୁକ୍ତି ଉପସ୍ଥାପନ କରିଥିଲେ। ବେଦୀ ଓ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଜି. ରାଜଗୋପାଳ।

Comments are closed.