ଦୁର୍ନୀତି ଅଭିଯୋଗ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ

0

ଚେନ୍ନଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. କେ. ପାଲାନାସ୍ୱାମୀଙ୍କ ବିରୋଧରେ ଥିବା ବହୁକୋଟି ଟଙ୍କାର ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରିବାକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। କୋଟିକୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ରାସ୍ତର କଣ୍ଟ୍ରାକ୍ଟ ନିଜ ସମ୍ପର୍କୀୟଙ୍କୁ ପ୍ରଦାନ କରିଥିବା ନେଇ ପାଲାନାସ୍ୱାମୀଙ୍କ ବିରୋଧରେ ବିରୋଧୀ ଦଳ ଡିଏମ୍‍କେ ପକ୍ଷରୁ ଅଭିଯୋଗ ଅଣାଯାଇଛି। ପୂର୍ବରୁ ରାଜ୍ୟ ଭିଜିଲାନ୍ସ ବିଭାଗ ଏହି ମାମଲାର ତଦନ୍ତ କରି ବିରୋଧୀ ଦଳର ଅଭିଯୋଗ ଭିତ୍ତିହୀନ ହୋଲି ରିପୋର୍ଟ ଦେଇଥିଲା। ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ବିରୋଧରେ କୌଣସି ଅପରାଧର ପ୍ରମାଣ ମିଳୁ ନ ଥିବା ଭିଜିଲାନ୍ସ ଏବଂ ଦୁର୍ନୀତି ବିରୋଧୀ ନିର୍ଦେଶାଳୟ ମଙ୍ଗଳବାର କୋର୍ଟଙ୍କୁ ଅବଗତ କରିଥିଲା। ବିଚାରପତି ଏ. ଡି. ଜଗଦିଶ ଚନ୍ଦ୍ରିରା ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି। ଭିଜିଲାନ୍ସ ଦ୍ୱାରା ଦାଖଲ ରିପୋର୍ଟ ଏବଂ ଏହାର କାର୍ଯ୍ୟାନୁଷ୍ଠାନକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମାମଲା ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ଲାଗି ଏବଂ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ତଦନ୍ତଭାର ସିବିଆଇକୁ ଦିଆଯାଇଥିବା ବିଚାରପତି କହିଛନ୍ତି। ପାଲାନାସ୍ୱାମୀ ନିଜ କ୍ଷମତାର ଅନୁଚିତ ଉପଯୋଗ ପୂର୍ବକ ୩,୫୦୦ କୋଟି ଟଙ୍କାର ଏହି କଣ୍ଟ୍ରାକ୍ଟ ତାଙ୍କ ସମ୍ପର୍କୀୟ ତଥା ବେନାମୀଙ୍କୁ ପ୍ରଦାନ କରିଥିବା ଡିଏମ୍‍କେ ଅଭିଯୋଗ କରିଛି।

Leave A Reply