ନିର୍ବନ୍ଧ ପାଇଁ ସଂଘର୍ଷ ; ୨ମୃତ,୧୫ ଆହତ

ସିହୋର : ମଧ୍ୟପ୍ରଦେଶର ସିହୋର ଜିଲାର ସିଦ୍ଧିକଗଞ୍ଜ ଥାନା ଅନ୍ତର୍ଗତ ଏକ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଜଣେ ଯୁବକଙ୍କ ସହ ଯୁବତୀଙ୍କ ହୋଇଥିବା ନିର୍ବନ୍ଧ ଭାଙ୍ଗିଯିବା ପରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସିଦ୍ଧିକଗଞ୍ଜ ଅନ୍ତର୍ଗତ ଥାନା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗଙ୍ଗାରାମର ସାମରୀ ଗାଁର ଜଣେ ବ୍ୟକ୍ତି ନିଜ ପୁଅର ନିର୍ବନ୍ଧ ନିକଟରେ ଥିବା ପିପଲର ସାମରୀ ଗାଁର ଜଣେ ବ୍ୟକ୍ତିଙ୍କ ଝିଅ ସହ ହୋଇଥିଲା। ମାତ୍ର ୪ ମାସ ପରେ କୌଣସି କାରଣରୁ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହାପରେ ଯୁବତୀଙ୍କ ବାପା ଅନ୍ୟ ସ୍ଥାନରେ ଝିଅର ନିର୍ବନ୍ଧ କରିଥିଲେ। ଘଟଣା ଜଣାପଡିବା ପରେ ବୁଧବାର ପୂର୍ବରୁ ନିର୍ବନ୍ଧ ହୋଇଥିବା ଯୁବକଙ୍କ ପରିବାର ଯୁବତୀଙ୍କ ଘରେ ପହଞ୍ଚିବା ପରେ ସଂଘର୍ଷ ହେବା ସହ ମାରପିଟ ହୋଇଥିଲା। ସେହି ସମୟରେ ମାରଣାସ୍ତ୍ର, ଲାଠି ଭଳି ଜିନିଷ ବ୍ୟବହାର ହୋଇଥିଲା। ଘଟଣା ନେଇ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.