ବର୍ବରତାର ସୀମା ଟପିଲା ମେଡିକାଲ: ଚିକିତ୍ସା ଖର୍ଚ୍ଚ ଦେଇ ନପାରିବାରୁ ବେଡରେ ବୃଦ୍ଧଙ୍କ ହାତ ଗୋଡ ବାନ୍ଧିଦେଲେ ମେଡିକାଲ କର୍ତ୍ତୃପକ୍ଷ

ଭୋପାଳ : କରୋନା ଜୀବାଣୁ ସଙ୍କଟ ସମୟରେ ଦେଶର ସମସ୍ତ ଡାକ୍ତରଖାନା କର୍ମଚାରୀ ଏବଂ ଡାକ୍ତରମାନେ ନିଜ ଜୀବନକୁ ବିପଦରେ ପକାଇ ରୋଗୀ ସେବାରେ ବ୍ୟସ୍ତ ରୁହୁଛନ୍ତି । ଏବଂ ଦିନରାତି ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ କରି କରୋନା ଲଢେଇରେ ନିଜକୁ ଆଗଧାଡିର ଯୋଦ୍ଧା ଭାବେ ପରିଣତ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ  ମଧ୍ୟପ୍ରଦେଶର ଏକ ଡାକ୍ତରଖାନାର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୮୦ ବର୍ଷୀୟ ବୃଦ୍ଧ ମେଡିକାଲର ଚିକିତ୍ସା ଖର୍ଚ୍ଚ ଦେଇ ନପାରିବାରୁ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ହାତ ଗୋଡକୁ ମେଡିକାଲ ବେଡରେ ବାନ୍ଧି ଦେଇଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ଏହି ଅମାନବୀୟ କାର୍ଯ୍ୟକୁ ସାଧାରଣରେ ନିନ୍ଧା କରାଯିବା ସହ ସରକାରୀ ସ୍ତରରେ ମଧ୍ୟ ମେଡିକାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ସୂଚନାନୁଯାୟୀ, ଜୁନ୍ ୬ ତାରିଖରେ ମଧ୍ୟପ୍ରଦେଶର ସାଜାପୁର ଜିଲ୍ଲାରେ ଥିବା ଏକ ହସ୍ପିଟାଲରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ଉକ୍ତ ବୃଦ୍ଧଙ୍କ ଚିକିତ୍ସା ପରେ ତାଙ୍କ ପରିବାର ଲୋକେ ହସ୍ପିଟାଲର ବିଲ ଦେବାକୁ ଅସମର୍ଥ ହୋଇଥିଲେ। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ବୃଦ୍ଧ ଜଣଙ୍କୁ ମେଡିକାଲ ବେଡରେ ବାନ୍ଧି ପକାଇ ଦେଇଥିଲେ । ବୃଦ୍ଧଙ୍କୁ ମେଡିକାଲ ବେଡରେ ବନ୍ଧା ଯିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ମଧ୍ୟ କରାଯାଇଥିଲା ।


ତେବେ ଉକ୍ତ ଘଟଣାର ଖବର ପ୍ରସାରଣ ଏବଂ ଫଟୋ ଭାଇରାଲ ପରେ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ବୃଦ୍ଧଙ୍କ ଏଭଳି ଶାରୀରିକ ସମସ୍ୟା ଥିଲା, ଯାହାଦ୍ୱାରା ସେ ନିଜକୁ ଆଘାତ ପହଞ୍ଚାଇବାର ଆଶଙ୍କା ଥିଲା । ଏଣୁ  ଆମେ ତାଙ୍କ ହାତ ଓ ଗୋଡ ବାନ୍ଧି ରଖିଥିଲୁ । ଚିକିତ୍ସା ଖର୍ଚ ପାଇଁ ଆମେ ଏଭଳି କରି ନାହୁଁ ।

ଅନ୍ୟପଟେ ଏହି ଘଟଣା ବିଷୟରେ ଅବଗତ ହେବାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତଦନ୍ତ କରି ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏହି ଫଟୋ ଭାଇରାଲ ହେବା ପରେ ଜିଲ୍ଲା ଡାକ୍ତରଖାନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଉକ୍ତ ବ୍ୟକ୍ତିଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଆମେ ୧୧,୦୦୦ ଟଙ୍କା ଦେବାରେ ବିଫଳ ହେବା ପରେ ଡାକ୍ତରଖାନା ପ୍ରଶାସନ ତାଙ୍କ ଗୋଡ ଓ ହାତକୁ ଶଯ୍ୟାରେ ବାନ୍ଧି ରଖିଥିଲା। ବୃଦ୍ଧଙ୍କ ଝିଅ କହିଛନ୍ତି ଯେ, ଭର୍ତ୍ତି ହେବା ସମୟରେ ଆମେ ୫୦୦୦ ଟଙ୍କା ବିଲ୍ ଜମା କରିଥିଲୁ, କିନ୍ତୁ ଚିକିତ୍ସା ସମୟ କିଛି ଦିନ ବଢିବା ପରେ ଆମ ପାଖରେ ବିଲ୍ ପୈଠ କରିବାକୁ ଟଙ୍କା ନଥିଲା। ଏଣୁ ଆମେ ବାକି ବିଲ୍ ଦେଇପାରିନଥିଲୁ । ଯାହା ପରେ ମେଡିକାଲ କର୍ତ୍ତୃପକ୍ଷ ବିଲ୍ ନଦେଲେ ଛଡାଯିବ ନାହିଁ କହି ବେଡରେ ଗୋଡ ହାତ ବାନ୍ଧି ଦେଇଥିଲେ ।

 

Comments are closed.