ମଧ୍ୟପ୍ରଦେଶରେ ଆସ୍ଥା ଭୋଟ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୋପାଳ : ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶନିବାର ବିଜେପି ପ୍ରତିନିଧୀ ଦଳ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ବିଧାନସଭାରେ ଆସ୍ଥା ଭୋଟ ପାଇଁ ଦାବି କରିଛନ୍ତି। ବିଜେପିର ପ୍ରତିନିଧୀ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଶିବରାଜ ସିଂହ ଚୌହ୍ୱାନଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧୀ ଦଳ ମାର୍ଚ୍ଚ ୧୬ ପୂର୍ବରୁ ରାଜ୍ୟରେ ବିଧାନସଭା ଅଧିବେଶନ ଏବଂ ଶକ୍ତି ପରୀକ୍ଷା ପାଇଁ ଆସ୍ଥା ଭୋଟ କରିବା ପାଇଁ ଏକ ଚିଠି ଦାଖଲ କରିଛି ବିଜେପି। ଆସ୍ଥା ଭୋଟ ସମୟରେ ବିଧାନସଭାରେ ଭିଡିଓଗ୍ରାଫି କରାଯିବାକୁ ମଧ୍ୟ ସେ ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିଥିବା ବିଜେପି ନେତାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ଗୋପାଳ ଭର୍ଗାଭା, ନରୋତ୍ତମ ମିଶ୍ର ଏବଂ ଭୁପେନ୍ଦ୍ର ସିଂ ରହିଥିଲେ।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ସହିତ ରାଜ୍ୟର ରାଜନୈତିକ ସମୀକରଣ ବଦଳିଛି। ୨୨ ଜଣ କଂଗ୍ରେସ ବିଧାୟକ ଯେଉଁମାନେ ସିନ୍ଦିଆଙ୍କ ସମର୍ଥକ ଦେଉଛନ୍ତି ସେମାନେ ମଧ୍ୟ ଇସ୍ତଫା ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୨ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ। କଂଗ୍ରେସ ବିଧାୟକମାନଙ୍କୁ ବୁଝାସୁଝା କରି ଦଳକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଆଗକୁ ରାଜ୍ୟସଭା ନିର୍ବାଚନ ରହିଥିବା କାରଣରୁ ୨୨ ଜଣ ବିଧାୟକ କମଲନାଥ ସରକାରଙ୍କ ପାଇଁ ବିପଦର କାରଣ ପାଲଟିଛି।

ଅନ୍ୟପଟେ ଘୋଡା କାରବାର ହେବାର ସମ୍ଭାବନା ଥିବାରୁ କଂଗ୍ରେସ ନିଜର ବିଧାୟକମାନଙ୍କୁ ଜୟପୁରରେ ରଖିଛି। ବିଧାନସଭା ବାଚସ୍ପତି ଏନସି ପ୍ରଜାପତି ୨୨ଜଣ ବିଦ୍ରୋହୀ ବିଧାୟକଙ୍କୁ ମାର୍ଚ୍ଚ ୧୫ ସୁଦ୍ଧା ହାଜର ହେବାକୁ ପୁନର୍ବାର ବିଜ୍ଞପ୍ତି ଜାରି କରିଛନ୍ତି।

ତାଙ୍କ ସରକାର ଉପରେ ସଙ୍କଟ ରହିଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ କମଲନାଥ ଦାବି କରିଛନ୍ତି ଯେ ତାଙ୍କ ସରକାର ନିକଟରେ ବହୁମତ ରହିଛି। ଏଥି ସହିତ ସେ ବିଜେପି କଂଗ୍ରେସର ବିଧାୟକମାନଙ୍କୁ ପ୍ରଲୋଭିତ କରୁଥିବା ଅଭିଯୋଗ କରିଛନ୍ତି କମଲନାଥ । ସେ କହିଛନ୍ତି ଯେ ଆଗାମୀ ବିଧାନସଭା ଅଧିବେଶନରେ ବହୁମତ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ବିଜେପି କିନ୍ତୁ ୧୬ ମାର୍ଚ୍ଚ ପୂର୍ବରୁ ସଂଖ୍ୟାଗରିଷ୍ଠତା ପରୀକ୍ଷା କରିବାକୁ କହୁଛି।

Comments are closed.