ମଧ୍ୟପ୍ରଦେଶର ଘରୋଇ ଡ଼ାକ୍ତରଖାନାରେ କରୋନା ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ଭୋପାଳ: ମଧ୍ୟପ୍ରଦେଶ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ କୋଭିଡ଼ କେୟାର ହସପିଟାଲ ବ୍ୟତୀତ ଘରୋଇ ଡ଼ାକ୍ତରଖାନାରେ ମଧ୍ୟ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ସୁବିଧା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ।
 ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭୋପାଳର ଚିରାୟୁ ଡ଼ାକ୍ତରଖାନା, ଏଲଏନ୍ ମେଡ଼ିକାଲ କଲେଜ ହସପିଟାଲ, ଇନ୍ଦୋରର ଅରବିନ୍ଦ ଇନଷ୍ଟିଚ୍ୟୁଟ, ଦେବାସର ଅମଲତାସ ହସପିଟାଲ ଓ ଇଣ୍ଡେକ୍ସ ମେଡ଼ିକାଲ କଲେଜରେ ଏହି ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ ।
ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ଡ଼ାକ୍ତରଖାନାରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ମାତ୍ର ସଂକ୍ରମିତ ସରକାରୀ ଡ଼ାକ୍ତରଖାନା ଅପେକ୍ଷା ଘରୋଇ ଡ଼ାକ୍ତରଖାନାକୁ ଯିବା ନିମନ୍ତେ ବେଶୀ ପସନ୍ଦ କରୁଛନ୍ତି । ଯେତେବେଳେ ଆମ୍ବୁଲାନ୍ସ ସଂକ୍ରମିତ ଲୋକଙ୍କ ପାଖରେ ପହଞ୍ଚୁଛି ସେମାନେ ପ୍ରଥମେ କେଉଁ ଡ଼ାକ୍ତରଖାନାକୁ ଯିବାକୁ ପଡ଼ିବ ବୋଲି ପଚାରୁଛନ୍ତି ଓ ସରକାରୀ ଡ଼ାକ୍ତରଖାନା ନାଁ ଶୁଣିଲେ ସେମାନେ ଘରୋଇ ଡ଼ାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସ ଡ଼୍ରାଇଭରକୁ ବାଦ୍ୟ କରୁଛନ୍ତି । ଏ କଥା ଜଣା ପଡ଼ିବା ପରେ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଘରୋଇ ଡ଼ାକ୍ତରଖାନାରେ ଲୋକଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦିଆଯାଇଛି ।

Comments are closed.