ଓଡ଼ିଆ ସ୍ବାଭିମାନର ପ୍ରତୀକ ମଧୁବାବୁ

ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାର ସ୍ବପ୍ନ ଓ ଆଜୀବନ ସଂଗ୍ରାମ ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କର। ନାନା ଘାତପ୍ରତିଘାତ ଭିତରେ ଓଡ଼ିଆ ଜାତି ଭିତରେ ବଳିଷ୍ଠ ଆତ୍ମ ପ୍ରତ୍ୟୟ ଜାଗ୍ରତ କରିବାରେ ତାଙ୍କର ନାନାବିଧ କର୍ମର ତୁଳନା ନାହିଁ। ସେଇଥିପାଇଁ ସେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, ସବୁରି ପ୍ରିୟ ମଧୁବାବୁ। ତାଙ୍କର ଜନ୍ମ ୧୮୪୮ ମସିହା ଅପ୍ରେଲ ୨୮ ତାରିଖ। ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ। ସେ ୧୮୭୩ ମସିହାରେ ଇଂରାଜୀ ଭାଷା ସାହିତ୍ୟରେ ଏମ.ଏ. ପାସ୍‌ କରି ଓଡ଼ିଶାର ପ୍ରଥମ ଏମ.ଏ. ରୂପେ ଗଣାଯାଇଥିଲେ। ପରେ ପରେ ଓକିଲାତି ପାସ୍ କରିଥିଲେ। ବହୁ ବଡ଼ବଡ଼ ମୋକଦ୍ଦମାରେ ତାଙ୍କର ଉପସ୍ଥିତ ବୁଦ୍ଧି ଓ ପ୍ରତିପନ୍ନମତିତା ପାଇଁ ଜୟଯୁକ୍ତ ହେଉଥିଲେ। ମାନସିଂହପାଟଣା ଡକାୟତି ଘଟଣା, ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝର ମେଳି, ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ବ ଆଦି ମୋକଦ୍ଦମାରେ ସେ ସଫଳତା ପାଇଥିଲେ। ଯେତେବେଳେ ସାରା ଭାରତବର୍ଷ ସାଇମନ୍‌ କମିସନଙ୍କୁ ବିରୋଧ କରୁଥିଲେ ସେତେବେଳେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ ଦେଖୁଥିବା ମଧୁବାବୁ ତାଙ୍କୁ ସ୍ବାଗତ କରି ତାଙ୍କୁ ଏଥିପାଇଁ ଦାବିପତ୍ର ଦେଇଥିଲେ।
ଓଡ଼ିଶାର ଶିଳ୍ପ, ବାଣିଜ୍ୟ, କୃଷି, ଶିକ୍ଷା, କଳା, ସାହିତ୍ୟର ବିକାଶ ପାଇଁ ସେ ବହୁ କାର୍ଯ୍ୟ କରିଯାଇଛନ୍ତି। ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ସେ କଟକରେ ଓଡ଼ିଶା ଆର୍ଟ ୱେୟାରର୍ସ ଏବଂ ଚମଡ଼ା ଶିଳ୍ପର ବିକାଶ ପାଇଁ କଟକରେ ଉତ୍କଳ ଟ୍ୟାନେରି ନାମକ ଏକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ। ସୁନାରୁପା ତାରକସି କାମର ପ୍ରଚାର, ପ୍ରସାର ଓ କୁଟୀରଶିଳ୍ପର ପୁନରୁଦ୍ଧାର ପାଇଁ ସେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି। ଓଡ଼ିଶାରେ ଉତ୍ପାଦିତ କଞ୍ଚାମାଲର କିପରି ସଫଳ ବିନିଯୋଗ ହୋଇପାରିବ ତାହା ଏଠାରେ ସେ କରିଥିଲେ। ବିହାର ପ୍ରାଦେଶିକ ଲେଜିସ୍‌ଲେଟିଭ୍ କାଉନ୍‌ସିଲରେ ସଭ୍ୟ ଥିଲା ବେଳେ ସେ ଓଡ଼ିଶାର ସ୍ବାର୍ଥ ପାଇଁ ଗୁରୁତ୍ବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ତାଙ୍କ ଜୀବନବ୍ୟାପୀ ଉଦ୍ୟମର ଫଳଶ୍ରୁତି ସ୍ବରୂପ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା ୧୯୩୬, ଅପ୍ରେଲ ୧ ତାରିଖ ଦିନ; କିନ୍ତୁ ଏହା ଦେଖିବା ପାଇଁ ସେ ଇହଧାମରେ ନଥିଲେ। ସେ ୧୯୩୪, ଫେବୃଆରୀ ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଆ ଜାତି ଏହି ମହାନ୍‌ ବ୍ୟକ୍ତିଙ୍କ ପାଖରେ ଚିର ଋଣୀ। ତାଙ୍କ ଉଦ୍ଦେଶ୍ୟରେ କୋଟି ପ୍ରଣାମ।

ମୀରା ବେଉରା
ରଘୁନାଥଜୀଉ ମହାବିଦ୍ୟାଳୟ,କଟକ

Comments are closed.