ଅଟାଚକଟା ଯନ୍ତ୍ରର ଚାହିଦା

କାମର ଚାପ କମ୍ ହେଲେ ଜଣେ ନିଜକୁ ସମୟ ଦେଇପାରେ। ବିଶେଷ କରି କର୍ମଜୀବୀ ମହିଳାଙ୍କ ଦାୟିତ୍ବ ଓ କାମର ବୋଝ କମ୍ କରିବାକୁ ଘରର ଅନ୍ୟ ସଦସ୍ୟମାନେ ଚିନ୍ତା କରିବା ଆବଶ୍ୟକ। ବର୍ତ୍ତମାନ ସମୟରେ ଅଧିକାଂଶ ୱାର୍କ ଫ୍ରମ୍ ହୋମ୍ ଜରିଆରେ କାମ କରୁଛନ୍ତି। ୫୭% ମହିଳାଙ୍କ ମତ, ଘରେ କାମ କଲେ ଚାପ ଅଧିକ; କାରଣ ଘର ଲୋକ କେହି ସେମାନଙ୍କ କାମକୁ ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ଏହା ସହ ସେମାନଙ୍କୁ ଗୋଟିଏ ସମୟରେ ଉଭୟ ଘର-କାର୍ଯ୍ୟାଳୟ କାମ ପ୍ରତି ଦୃଷ୍ଟି ଦେବାକୁ ପଡ଼ୁଛି। ଘର କାମ ବିଶେଷ କରି ରୋଷେଇ ଘରୁ ଫୁରସତ୍ ମିଳୁନାହିଁ। ବିଭିନ୍ନ ଉପାୟ ଅବଲମ୍ବନ କରି ଆମେ କାମର ଚାପକୁ କମ୍ କରିପାରିବା। ଲକ୍-ଡାଉନ୍ ଓ ଏହାର ପରବର୍ତ୍ତୀ ସମୟରେ ଅନ୍-ଲାଇନ୍ କିଣାକିଣିର ଆଦର ବଢ଼ିବାରେ ଲାଗିଛି। ଦୋକାନ-ବଜାର ନ ଯାଇ ମଧ୍ୟ ନିଜ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଇ ମାଧ୍ୟମରେ ଅଧିକାଂଶ କିଣୁଛନ୍ତି। ରୋଷେଇ ଘରର କେତୋଟି ସାମଗ୍ରୀକୁ କିଣି ଆଣିଲେ, ମହିଳାଙ୍କ କାମର ଚାପକୁ ଅନେକାଂଶରେ କମ୍ କରାଯାଇପାରିବ। ଲକ୍-ଡାଉନ୍ ସମୟରେ ମହାନଗରୀର କର୍ମଜୀବୀ ମହିଳାମାନେ ଅଟା ଚକଟିବା ପାଇଁ ‘ନିଡ୍ ଡୋ ମେଶିନ୍’ କିଣିବାରେ ଆଗ୍ରହ ପ୍ରକାଶ କରିଥିଲେ। ବିଦ୍ୟୁତ୍‌ଚାଳିତ ଏଇ ଅଟା ଚକଟା ଯନ୍ତ୍ରଟି ମାତ୍ର ୧୦ ମିନିଟ୍‌ରେ ନରମ ଅଟା ଚକଟିଥାଏ। ଏହି ଯନ୍ତ୍ରରେ ଅଟା ଚକଟିଲେ ଆପଣଙ୍କର ଅଟା ଚକଟାକୁ ୨ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ସାଇତିବାର ଆବଶ୍ୟକତା ନାହିଁ। ନିୟମିତ ସତେଜ ଅଟା ଚକଟି ପାରିବେ। ବିଭିନ୍ନ କମ୍ପାନୀରେ ଏହି ଯନ୍ତ୍ର ଅନ୍-ଲାଇନ୍‌ରେ ଉପଲବ୍ଧ ଓ ଏସବୁର ମୂଲ୍ୟ ୩ହଜାର ଟଙ୍କାରୁ ଆରମ୍ଭ ହୋଇ ୬ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସମୟ ଓ ପରିଶ୍ରମ ଉଭୟ କମ୍ କରିବାକୁ ଚାହୁଁଥିଲେ, ଏଥରକ ଘର ପାଇଁ ଭଲ କମ୍ପାନୀର ଅଟା ଚକଟା ଯନ୍ତ୍ରଟିଏ କିଣି ଆଣନ୍ତୁ।

Comments
Loading...