ମାକାଉଲେଙ୍କ ଠାରୁ ମୋଦୀଙ୍କ ଯାଏଁ – ଜାତୀୟ ଶିକ୍ଷାନୀତି ୨୦୨୦: ଏକ ସଂକ୍ଷିପ୍ତ ବିବରଣୀ

 

।। ଭାସ୍କର ଗନ୍ତି ।।

୧୮୩୫ ମସିହାରେ ଟି.ବି.ମାକାଉଲେ ଭାରତରେ ମିନିଟ୍ ଫର୍ ଏଜୁକେସନ୍ ବା ଶିକ୍ଷାନୀତି ପ୍ରସ୍ତୁତ କରିଥିଲେ ଯାହା ଭାରତରେ “ମାକାଉଲେଜିମ୍” ସୃଷ୍ଟି କରିଥିଲା ଯାହାର ଏକମାତ୍ର ଲକ୍ଷ୍ୟ ଥିଲା ପାରମ୍ପରିକ ତଥା ପ୍ରାଚୀନ ଭାରତୀୟ ଶିକ୍ଷା ଏବଂ ଧନ୍ଦାମୂଳକ ଓ ବିଜ୍ଞାନ ଶିକ୍ଷା ବିଲୋପ କରିବା। ମାକାଉଲେଙ୍କ ଦ୍ୱାରା ଲିଖିତ ଭାରତୀୟ ଦଣ୍ଡ ସଂହିତା ଏବେ ଯାଏଁ ମଧ୍ୟ ଆମ ଦେଶ ଓ ଆମ ଲୋକଙ୍କ ଉପରେ ପ୍ରଭାବ ଜାହିର କରୁଛି। ମାକାଉଲେ କେବଳ ଭାରତକୁ ଏକ ଅସଭ୍ୟ ରାଷ୍ଟ୍ର ଭାବରେ ପରିଚିତ କରାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ପାଇଁ ଭାରତର ବିକାଶ ଏବଂ ଏହାର ଶିକ୍ଷାର ଉଦ୍ଦେଶ୍ୟ ଥିଲା ବ୍ରିଟିଶରମାନଙ୍କ ସେବା କରିବା ତେଣୁ ସେ ଇଂରାଜୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇଥିଲେ। ଦେଶରେ ସେବା ଶ୍ରେଣୀ ବା ସର୍ଭିସ କ୍ଲାସକୁ ସେତେବେଳେ ପ୍ରାଧାନ୍ୟ ଦିଆଯାଇଥିଲା।

ସ୍ୱାଧୀନତା ପରେ ମଧ୍ୟ ଭାରତୀୟ ଶିକ୍ଷା କେବଳ ପୂର୍ବ ଶିକ୍ଷାନୀତିର ନକଲ କରାଗଲା ଏବଂ କୌଣସି ନା କୌଣସି ରୂପରେ  ବଡବଡିଆଙ୍କ ସେବାରେ ସୀମିତ ରହିଲା। ଦେଶର ଶିକ୍ଷାନୀତିକୁ ଲୋକ ଦେଖାଣିଆ ଭାବେ ସ୍ୱଳ୍ପ ଅର୍ଥନୈତିକ ବିକାଶ ସହିତ ସାମିଲ କରାଇବା ନାଁରେ ଭାରତରେ ଶିକ୍ଷାର ଏକମାତ୍ର ଲକ୍ଷ୍ୟ କେବଳ ଚାକିରି ପାଇବା ଏବଂ ଉପରିସ୍ଥଙ୍କ ସେବା କରିବା ଭିତରେ ସୀମିତ ରହିଗଲା। ୟୁରୋପର ଆଲବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀକାନ୍ତ ଷଡ଼ଙ୍ଗୀ ତାଙ୍କ ପୁସ୍ତକ ‘ଭାଷା ଅମଲାତନ୍ତ୍ର ଏବଂ ସାମାଜିକ ନିୟନ୍ତ୍ରଣ’ (Language Bureaucracy and Social Control)ରେ ସାମାଜିକ ପ୍ରକ୍ରିୟା ଏବଂ ପାରସ୍ପରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ଭାଷାର ପ୍ରଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ପ୍ରଫେସର ଷଡ଼ଙ୍ଗୀ ସେହି ପୁସ୍ତକରେ ବିଭିନ୍ନ ସେବା ତଥା ବୃତ୍ତିଗତ କ୍ଷେତ୍ରରେ ପ୍ରୟୋଗାତ୍ମକ ଭାଷା ବିଜ୍ଞାନ ଓ ବହୁଭାଷୀ ପରିସ୍ଥିତିର ପ୍ରଭାବ ବିଷୟରେ ସୂଚନା ଦେବା ସହ ବ୍ୟକ୍ତି, ସମାଜ ଏବଂ ଦେଶ ଉପରେ ଭାଷାର ପ୍ରଭାବ ସମ୍ପର୍କିତ ଉଦାହରଣ ଦେଇଛନ୍ତି।

ଲେଖକ ପ୍ରଫେସର ରବର୍ଟ କିୟୋସାକି ତାଙ୍କ ପୁସ୍ତକ If you want to be rich and happy; Don’t go to School (ଯଦି ଆପଣ ଧନୀ ଏବଂ ଖୁସି ହେବାକୁ ଚାହାଁନ୍ତି; ବିଦ୍ୟାଳୟକୁ ଯାଆନ୍ତୁ ନାହିଁ)ରେ କହିଛନ୍ତି ଯେ ପୂର୍ବରୁ ପ୍ରଚଳିତ ସ୍କୁଲ ଶିକ୍ଷା ବାସ୍ତବ ଦୁନିଆର ସମସ୍ୟା ସମାଧାନ ଦିଗରେ ବିଶେଷ ଭାବେ ଫଳପ୍ରଦ ହେଉନଥିଲା। ତାହା ଅଧିକନ୍ତୁ ଛାତ୍ରଛାତ୍ରୀଙ୍କ  ପାଇଁ ଆର୍ଥିକ ଏବଂ ଭାବପ୍ରବତା ସୃଷ୍ଟି କରୁଥିଲା।

ତେଣୁ ଆମର ଶିକ୍ଷା ବ୍ୟବସ୍ଥା ଏପରି ହେବା ଉଚିତ ଯାହା ଭାଷାର ବନ୍ଧନରୁ ମୁକ୍ତ ଥିବ ଓ ଏଭଳି ବ୍ୟକ୍ତିତ୍ୱ ସୃଷ୍ଟି କରୁଥିବ ଯେଉଁମାନେ ଅଭିନବ, ସୃଜନଶୀଳ, ଦାୟିତବାନ, ସନ୍ତୁଳିତ ଏବଂ ସୁସ୍ଥ ମନୋଭାବ ସମ୍ପନ୍ନ ହୋଇ ପାରିବେ ଓ
ଉତ୍ତମ ମାନବିକତା ଏବଂ ମୂଲ୍ୟବୋଧ ସହିତ ସାମଗ୍ରିକ ବିଶ୍ୱ ନାଗରିକ ଆଖ୍ୟା ହାସଲ କରି ପାରିବେ। ଏହି ଦୃଷ୍ଟିରୁ ବିଚାର କଲେ ‘ଜାତୀୟ ଶିକ୍ଷା ନୀତି ୨୦୨୦’ ଭାରତୀୟ ଶିକ୍ଷାର ଭବିଷ୍ୟତ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଭଳି ଶିକ୍ଷାନୀତିର ଆଧାର ଥିଲା ସମଗ୍ର ଭାରତର ଗ୍ରାମପଞ୍ଚାୟତରୁ ଲକ୍ଷ ଲକ୍ଷ ପରାମର୍ଶ, ସିବିଏସ୍ଇର ୧୫ ହଜାର ସହ ବିଭିନ୍ନ ବୋର୍ଡର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦିଆଯାଇଥିବା ମତାମତ, ହଜାର ହଜାର ଶିକ୍ଷାବିତ୍, ଅଭିଭାବକ ଏବଂ ବିଭିନ୍ନ କ୍ଷେତ୍ରର ବୃତ୍ତିଗତଙ୍କ ପରାମର୍ଶ। ଏହି ଶିକ୍ଷାନୀତିରେ ବିଶ୍ୱର ଦଶଟି ବିକଶିତ ରାଷ୍ଟ୍ରର କାର୍ଯ୍ୟଧାରା ଓ ଶିଳ୍ପ ଏବଂ ବ୍ୟବସାୟ ଜଗତର ବୃତ୍ତିଗତମାନଙ୍କ ସୁପାରିଶକୁ ସାମିଲ କରାଯାଇଛି।

୨୦୩୦ ସୁଦ୍ଧା ନିରନ୍ତର ବିକାଶ ପାଇଁ ଲକ୍ଷ୍ୟ ସ୍ଥିର କରିବା ଏବଂ ୨୦୪୦ ସୁଦ୍ଧା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ସ୍ଥରୀୟ କରିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଛାତ୍ର, ଶିକ୍ଷକ, ଅନୁଷ୍ଠାନ ଏବଂ ସମାଜର ଆବଶ୍ୟକତାକୁ ବିଚାରକୁ ନେଇଛି। ଆମ ଦେଶର ଛାତ୍ରଛାତ୍ରୀଙ୍କୁ ଏହା କେବଳ ଜ୍ଞାନ ଦୃଷ୍ଟିରୁ ସ୍ୱୟଂସମ୍ପନ୍ନ କରିବ ନାହିଁ ବରଂ ଦାୟିତ୍ୱବାନ ନାଗରିକ ଭାବରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ଜ୍ଞାନକୁ ନିଜର ସାମଗ୍ରିକ ବିକାଶ ଏବଂ ସାମାଜିକ ଅଭିବୃଦ୍ଧି ଓ ପ୍ରଗତି ପାଇଁ ବ୍ୟବହାର କରିପାରିବେ।

ଜାତୀୟ ଶିକ୍ଷାନୀତି ୨୦୨୦ ବିଦ୍ୟାଳୟ ବିଭାଗରେ ଶିଶୁ ମନୋବିଜ୍ଞାନ ଅନୁସନ୍ଧାନକୁ ଗୁରୁତ୍ୱ ଦେଇଛି ଯେଉଁଥିରେ ୬ ବର୍ଷ ହେବ ପୂର୍ବରୁ ଶିଶୁର ୮୫% ସାମଗ୍ରିକ ମସ୍ତିଷ୍କ ବିକାଶ ଘଟିଥାଏ। ଫଳରେ ଏହା ୩ ବର୍ଷ ବୟସରୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ଅର୍ଥାତ ୧୮ ବର୍ଷ ପର୍ଯ୍ୟନ୍ତ ଏକ ବ୍ୟବସ୍ଥିତ ଶିକ୍ଷଣ ବ୍ୟବସ୍ଥା ପ୍ରଦାନ କରିପାରିବ। ଅଭିନବ ପ୍ରଣାଳୀ ମାଧ୍ୟମରେ ପ୍ରାକ-ବିଦ୍ୟାଳୟ / ଅଙ୍ଗନୱାଡିରେ ୩ ବର୍ଷ ପରେ ଖେଳ, ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟପୁସ୍ତିକା ପିଲାମାନଙ୍କୁ ଆତ୍ମବିଶ୍ୱାସ, ଗୋଷ୍ଠିରେ କାର୍ଯ୍ୟ କରିବା ଏବଂ ସାମାଜିକ କୌଶଳ ଆଦି ସମ୍ପର୍କରେ ଶିକ୍ଷା ଦେବା। ମନ ବିଶେଷଜ୍ଞଙ୍କ କହିବା ମୁତାବକ ୩ରୁ ୬ ବର୍ଷ ବୟସର ପିଲାମାନେ ଅନ୍ୟମାନଙ୍କ ସହ ଖେଳକୁଦ କଲେ ତାହା ଶିଶୁର ପରବର୍ତ୍ତୀ ଜୀବନରେ ତାର ସାମାଜିକ ଦକ୍ଷତାକୁ ସୁଦୃଢ କରିଥାଏ। ଜାତୀୟ ଶିକ୍ଷାନୀତି ୨୦୨୦ ନିରବଚ୍ଛିନ୍ନ ଭାବରେ ପିଲାଙ୍କୁ ପ୍ରଥମ ଏବଂ ୬ରୁ ୮ ବର୍ଷ ବୟସରେ ସେମାନଙ୍କ ମୌଳିକ ଶିକ୍ଷା ସମ୍ବନ୍ଧିତ ଜ୍ଞାନ ଦୃଢ କରିବା ପାଇଁ ଉତ୍ସାହିତ କରିବ।

ତୃତୀୟରୁ ପଞ୍ଚମ ଶ୍ରେଣୀ ଯାଏଁ ୮ରୁ ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଖେଳ, ସରଳ ପାଠ୍ୟ ପୁସ୍ତକ ସହିତ କାର୍ଯ୍ୟକଳାପ ଏବଂ କିଛି କଥାବାର୍ତ୍ତା ଭିତ୍ତିକ ଶ୍ରେଣୀଗୃହ ଶିକ୍ଷା ରହିବ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ୧୧ରୁ ୧୪ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ସକ୍ରିୟ ଶିକ୍ଷଣ ପଦ୍ଧତି ଦ୍ୱାରା ଅଭିଜ୍ଞ ଶିକ୍ଷଣ ଏବଂ ଆଲୋଚନା ପାଇଁ ବିଷୟ ଶିକ୍ଷକଙ୍କ ପରିଚୟ ଦିଆଯିବ।

ମାଧ୍ୟମିକ ପର୍ଯ୍ୟାୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଚାରି ବର୍ଷର ବହୁମୁଖୀ ଅଧ୍ୟୟନ ରହିବ ଏବଂ ପିଲାମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ବିଷୟ ଚୟନ କରିବେ ଓ ଦଶମ ପରବର୍ତ୍ତୀ ପାଠ୍ୟକ୍ରମ ପାଇଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଧନ୍ଦାମୂଳକ କିମ୍ବା ଅନ୍ୟ ଅନ୍ୟ କୌଣସି ପାଠ୍ୟକ୍ରମ ବିକଳ୍ପ ରହିବ।

ଏହି ଶିକ୍ଷାନୀତି ସାମଗ୍ରିକ ପାଠ୍ୟକ୍ରମର ବିଷୟବସ୍ତୁକୁ ହ୍ରାସ କରିବ ଏବଂ ଅତ୍ୟାବଶ୍ୟକ ଶିକ୍ଷଣ ଏବଂ ଚିନ୍ତାଧାରାକୁ ବୃଦ୍ଧି କରାଇବା ଦିଗରେ ସାହାଯ୍ୟ କରିବ।

ଜାତୀୟ ଶିକ୍ଷାନୀତି ୨୦୨୦ରେ ବିଜ୍ଞାନ, ବାଣିଜ୍ୟ, ମାନବିକ ପାଠ୍ୟକ୍ରମ, ଛାତ୍ର, ଧନ୍ଦାମୂଳକ, ଏକାଡେମିକ୍, ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମ ଅପସାରଣ କରାଯାଇଛି। ଛାତ୍ରଛାତ୍ରୀମାନେ କମ ଅବଧି ବିଶିଷ୍ଟ ସିଲାବସ ମାଧ୍ୟମରେ ସେମିଷ୍ଟାର ବ୍ୟବସ୍ଥା ମଧ୍ୟ ଚୟନ କରିପାରିବେ। ଏହା ଦ୍ୱାରା ଛାତ୍ର ଏବଂ ଅଭିଭାବକମାନେ ନିର୍ଦ୍ଧିଷ୍ଟ ବିଷୟ ଚାପରୁ ମୁକ୍ତ ହୋଇ ପାରିବେ। ଏହି ଶିକ୍ଷାନୀତି ସମସ୍ତ ଭାରତୀୟ ଭାଷାକୁ ଗୋଟିଏ ଶୃଙ୍ଖଳରେ ଉପଲବ୍ଧ କରାଇବା ଯାହା ଫଳରେ ମାତୃଭାଷା ଶିକ୍ଷଣରେ ସହାୟକ ହେବ।

୨୦୧୪-୧୫ରେ ଭାରତରେ କୋଚିଂ ବିଷୟରେ କରାଯାଇଥିବା ଏକ ସର୍ବେକ୍ଷଣରେ ଅନୁଯାୟୀ ଏଥିରେ ବାର୍ଷିକ ୨.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାର୍ଷିକ ୧୫% ବୃଦ୍ଧି ପାଉଛି। ସମ୍ପ୍ରତି ଏକ ୱେବିନାରରେ ଜଣେ ଶିକ୍ଷା ସଚିବ ଦର୍ଶାଇଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଅନେକ ମାଫିଆ ଲୁଚି ରହିଛନ୍ତି ଯେଉଁମାନେ ଶିକ୍ଷା ବ୍ୟବସ୍ଥାର ଅଧୋଗତି ପାଇଁ ଦାୟୀ। ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଏ କ୍ଷେତ୍ରରେ ମଧ୍ୟ ସଫଳ ସାବ୍ୟସ୍ତ ହେବ ବୋଲି ଆଶା କରାଯାଏ।

Comments are closed.