ଝଙ୍କଡ଼ ବାସିନୀ ମାଆ ଶାରଳା

0

ତ୍ରିବିଧ ମହାଶକ୍ତି (ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ)ଙ୍କ ସମାହାର ହେଉଛନ୍ତି ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା।
ମୂଳମନ୍ତ୍ର–
ଓଁ ଐଂ, ହ୍ରୀଂ, ଶ୍ରୀଂ, କ୍ଲୀଂ ଉତ୍ତିଷ୍ଠ ପୁରୁଷୀଂ କିଂ ସ୍ୱପିସି ଭୟମେ ସମୁପସ୍ଥିତଂ ଯଦି ଶକ୍ୟଂ ଅଶକ୍ୟମ୍ ହୁଂ ଦୁଂ ଦୁର୍ଗେ ଭଗବତୀ ସମୟ ସ୍ୱାହା।
ଧ୍ୟାନ ମନ୍ତ୍ର –
ଓଁ ସିଂହସ୍ୟୋ ପରିବତ୍ତ ବକ୍ଷାଂ ଚରଣାଂ ବିଭ୍ରାଜମାନାଂ ଶୁଭାମ
ବୀଣା ପୁସ୍ତକ ଖଡ୍‍ଗଂ ଶୂଳମ୍ ଦଧଚୀ ଦୂକ୍ଷୈଃ କରୋମ୍ଭା ରୁହୈଃ
ଘଣ୍ଟା କାର୍ମୁକ ପଟ୍ଟିଶାସୁରକଚାନ ବାମୈ କରୈ ବିଭ୍ରଚୀ
ବିନ୍ଧନ୍ତି ମହିଷ ନମାମି ବରଦାଂ ବାକ୍ ଦେବତାମ୍ ଶାରଦାମ୍।
ଅର୍ଥାତ୍‍ ଯେଉଁ ଦେବୀଙ୍କର ଦକ୍ଷିଣ ପାଦ ସିଂହ ଶିର ଉପରେ ଶୋଭା ପାଉଛି, ଯେ ଦକ୍ଷିଣ କରମାନଙ୍କରେ ବୀଣା, ପୁସ୍ତକ, ଖଡ୍‍ଗ ଓ ଶୂଳ ଧାରଣ କରି ମହିଷାସୁର ବକ୍ଷ ବିଦୀର୍ଣ୍ଣ କରିଛନ୍ତି; ବାମ ଭୁଜମାନଙ୍କରେ ଘଣ୍ଟ, ଢାଲ, ଧନୁ ଓ ଶେଷ ହାତରେ ମହିଷାସୁରର ଶିରକୁ ଧାରଣ କରି ଶୋଭା ପାଉଛନ୍ତି ସେହି ମହିଷମର୍ଦିନୀ ବର ପ୍ରଦାୟିନୀ ମା’ ଶାରଳାଙ୍କୁ ମୁଁ ନମସ୍କାର କରୁଛି। ବୀଣା ଓ ପୁସ୍ତକ ଧାରଣ କରି ମା’ ଶାରଳା ଯେପରି ସରସ୍ୱତୀ, ଖଡ୍‍ଗ ଓ ଢାଲ ଧାରଣ କରିଥିବାରୁ ମା’ ଠିକ୍‍ ସେହିପରି ମହାକାଳୀ ସ୍ୱରୂପିଣୀ। ଘଣ୍ଟା ଓ ଧନୁ ମହାଲକ୍ଷ୍ମୀଙ୍କର ଆୟୁଧ ହୋଇଥିବାରୁ ମା’ ଶାରଳାଙ୍କୁ ମଧ୍ୟ ମହାଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଇଥାଏ।
ଅବସ୍ଥିତି– ମା’ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀ କନକପୁର ଗ୍ରାମର ପୂର୍ବଭାଗରେ ବ୍ରଜବିହାରୀ ମଠ, ପଶ୍ଚିମ ପାଶ୍ୱର୍ରେ ଗୋବିନ୍ଦଜୀଉ ମଠ, ଉତ୍ତର ପାଶ୍ୱର୍ରେ ତେନ୍ତୁଳିପଦା ଗ୍ରାମରେ ଗୋପୀନାଥଜୀଉ ଥିବାବେଳେ ଦକ୍ଷିଣ ପାଶ୍ୱର୍ର ଅନତି ଦୂରରେ କଣ୍ଟାପଡ଼ା ଗ୍ରାମରେ ମଧ୍ୟ ବହୁ ପ୍ରାଚୀନ କାଳରୁ ଗୋପାଳଜୀଉ ମଠ ରହିଛି।
ସନ୍ଧିପୂଜା– ବହୁ ପ୍ରାଚୀନ କାଳରୁ ମା’ଙ୍କୁ ତନ୍ତ୍ର ସାଧନାର ଆରାଧ୍ୟା ଦେବୀ ଭାବରେ ଗ୍ରହଣ କରାଯାଇଥିବାରୁ ଏହି ଶାରଦୀୟ ପାର୍ବଣ ପୂଜାର ମହାଷ୍ଟମୀ ଦିନ ସନ୍ଧି ପୂଜା ସମୟରେ ଏକ ଜୀବନ୍ତ ପଣ୍ଡା (ମଇଁଷି)କୁ ବଧ କରାଯାଇ ତା’ର ଛିନ୍ନ ମୁଣ୍ଡକୁ ଏକ କାଷ୍ଠ ନିର୍ମିତ ପାତ୍ରରେ ଗର୍ଭଗୃହକୁ ନିଆଯାଇ ଚଣ୍ଡୀଚାମୁଣ୍ଡାଙ୍କୁ ଅର୍ପଣ କରାଯାଉଥିଲା।
ବଳି ବନ୍ଦ– ୧୯୪୬ ମସିହାରେ ତିର୍ତ୍ତୋଲ ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିଶାମଣି ଖୁଣ୍ଟିଆଙ୍କ ଜନ ଆନ୍ଦୋଳନ ଫଳରେ ଏହି ପ୍ରଥା ବନ୍ଦ ହୋଇଯାଇଥିଲା। ଏହି ଘଟଣାକୁ ନେଇ ବଳି ସପକ୍ଷବାଦୀ ପଣ୍ଡା ସେବାୟତ ଓ ବିପକ୍ଷବାଦୀ ସ୍ୱର୍ଗତ ଖୁଣ୍ଟିଆଙ୍କ ସଂସ୍କାରବାଦୀ ଲୋକଙ୍କ ମଧ୍ୟରେ ସମାଧାନ ହୋଇ ନ ପାରିବାରୁ ଦୁଇଟି ତାଳପତ୍ରରେ ବଳି ବନ୍ଦ ହେଉ ଓ ବଳି ଚାଲୁ ରହୁ ବୋଲି ଲେଖାଯାଇ ମା’ଙ୍କ ବିଗ୍ରହ ସମୀପରେ ରଖାଗଲା। ମନ୍ଦିର ପହଡ଼ ପରେ ଜଉମୁଦ ଦିଆଯାଇ ଦ୍ୱାରକୁ ବନ୍ଦ କରାଗଲା। ପହଡ଼ ଖୋଲାଗଲା ପରେ ଦେଖାଗଲା ଯେ ବଳି ଚାଲୁ ରହୁ ତାଳପତ୍ର ଲେଖାଟି ପୂର୍ବବତ୍‍ ରହିଥିବାବେଳେ ବଳି ବନ୍ଦ ହେଉ ଲେଖାଟି ସିଂହାସନ ନିମ୍ନ ଭାଗକୁ ପଡ଼ିଯାଇଥିଲା। ତେଣୁ ସନ୍ତାନ ବତ୍ସଳା ମା’ ଶାରଳା କୌଣସି ଜୀବର ବଳି ଚାହାନ୍ତି ନାହିଁ; ବରଂ ମଣିଷ ଭିତରେ ଥିବା ପଶୁତ୍ୱ ଓ ପାଶବିକତାର ବଳି ଚାହାନ୍ତି ବୋଲି ପରୋକ୍ଷରେ ନିର୍ଦେଶ ଦେଇଥିଲେ। ଏହି ଦିନଠାରୁ ମା’ଙ୍କୁ ବଳି ଭୋଗ ଅର୍ପଣ ପରିବର୍ତ୍ତେ ପ୍ରାୟ ୩କୁଇଣ୍ଟାଲ ଓଜନର ଏକ ପଣା ହାଣ୍ଡି ସନ୍ଧିପୂଜାରେ ମା’ଙ୍କୁ ଭୋଗ ଭାବରେ ଅର୍ପଣ କରାଯାଇଥାଏ। ଏହି ପଣାରେ ଦୁଗ୍ଧ, କଦଳୀ, କନ୍ଦ, ମହୁ, ଘିଅ ଆଦି ମିଶ୍ରଣ ହୋଇଥାଏ।
ପାର୍ବଣ ପୂଜାବିଧି– ପବିତ୍ର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ବ୍ୟାପୀ ପାର୍ବଣ ପୂଜାରେ ରାତ୍ରି ୪ଟାରେ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ସ୍ତୋତ୍ର ଓ ସ୍ତବ ସ୍ତୁତି ପ୍ରସାରଣ କରାଯାଇଥାଏ। ପ୍ରାତଃ ୫ଟାରେ ପହଡ଼ ଖୋଲିବା ମାତ୍ରେ ମଧୁସ୍ନାନ, ୭ଟାରେ ଚୁଆ, ହଳଦୀ, ପଞ୍ଚାମୃତ ମାର୍ଜନା, ପରେ ମା’ଙ୍କୁ ଚନ୍ଦନ, ପୁଷ୍ପ, ପାଟ ଅଳଙ୍କାରରେ ମଣ୍ଡିତ କରାଯାଏ। ଘ.୭.୩୦ମି.ରେ ସର୍ବପ୍ରଥମେ ଜଗନ୍ନାଥଙ୍କ ମହାପ୍ରସାଦ ମା’ଙ୍କୁ ଅର୍ପଣ ପରେ ବାଲ୍ୟଭୋଗ ଓ ଦୈନିକ ପାଞ୍ଜି ପାଠକରାଯାଏ। ୮ଟା ବେଳେ ସୂର୍ଯ୍ୟପୂଜା କରାଯାଇ ପାକଶାଳାରେ ଅଗ୍ନି ସଂସ୍ଥାପନ କରାଯାଏ। ପୂର୍ବାହ୍ଣ ୯ଟାରୁ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ସମୂହ ଚଣ୍ଡୀପାଠ, ପୂର୍ବାହ୍ଣ ୧୦ଟାରେ- ପ୍ରଥମ ପ୍ରହର ଧୂପ ଓ ଷୋଡ଼ଶ ଉପଚାର ଆରମ୍ଭ, ମଧ୍ୟାହ୍ନ ୧୨ଟାରେ ଯଜ୍ଞଶାଳାରେ ଆହୁତି ପ୍ରଦାନ ସହ ବଡ଼ସିଂହାର ବେଶ ଓ ଦ୍ୱିତୀୟ ପ୍ରହର ଧୂପ ପରେ ପଲମ ଶଯ୍ୟାକରାଯାଏ। ଅପରାହ୍ଣ ୪ଟାରେ ପହଡ଼ ଖୋଲାଯାଇ ମାର୍ଜନା, ସନ୍ଧ୍ୟା ଆଳତି, ମା’ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ। ଅପରାହ୍ଣ ୫ଟାରେ ଶୁଦ୍ରମୁନି ସାରଳାଦାସଙ୍କ କୃତ ଚଣ୍ଡୀପୁରାଣ ପାଠ ସହିତ ମନ୍ଦିର ଗର୍ଭଗୃହରେ ବାଲ୍ୟଭୋଗ ଅର୍ପଣ, ରାତ୍ରି ୯ଟାରୁ- ଯଜ୍ଞ, ବଡ଼ସିଂହାର ବେଶ, ଷୋଡ଼ଶ ଉପଚାର ପୂଜା, ରାତ୍ରି ୧୧ଟାରେ- ସୁନାଶ୍ରୀମୁଖ ବେଶ କରାଯାଇ ରାତ୍ର ୧୨ଟାରେ ପହଡ଼ ପଡ଼ିଥାଏ। ଷଷ୍ଠୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ସନ୍ଧ୍ୟାରେ ମହିଷମର୍ଦିନୀ ବେଶ, ମହାଷ୍ଟମୀ ରାତ୍ରି ଶେଷ ପ୍ରହରରେ ପାର୍ବଣର ଶେଷ ପୂଜା ସନ୍ଧିପୂଜା ସହ ଯଜ୍ଞ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥାଏ। ନବମୀ ଦିନଟି ବିଶ୍ରାମ ଦିବସ ପଡୁଥିବାରୁ ମନ୍ଦିର ସମ୍ମୁଖ ଦ୍ୱାର ବନ୍ଦ ରହି ପୂଜାର୍ଚ୍ଚନା ସମୟରେ କୌଣସି ଘଣ୍ଟ, ଘଣ୍ଟା, କାହାଳୀ ବାଜି ନ ଥାଏ। ରାତ୍ର ୯ଟା ସମୟରେ ଶାରଳା ଠାକୁରାଣୀଙ୍କ ବିଜେ ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବର୍ଣ୍ଣାଢ୍ୟ ପଟୁଆରରେ ନଗର ପରିକ୍ରମା କରାଯାଇଥାଏ।
ପ୍ରବାଦ– ପୂର୍ବରୁ ଯବନଙ୍କ କବଳରୁ ହିନ୍ଦୁ ଦେବାଦେବୀ ମନ୍ଦିରଗୁଡ଼ିକର ସୁରକ୍ଷା ଓ ସୁପରିଚାଳନା ପାଇଁ ରାଜସ୍ଥାନରୁ ଅଣାଯାଇ କ୍ଷତ୍ରିୟ ରାଜପୁତଙ୍କୁ ଅବସ୍ଥାପିତ କରାଯାଇଥିଲା। ଆଜି ମଧ୍ୟ ଶାରଳା ମନ୍ଦିରର ନିକଟବର୍ତ୍ତୀ ଗ୍ରାମ ହରିପୁର ଓ ମୂଳିସିଂ ଗ୍ରାମରେ କ୍ଷତ୍ରିୟ ରାଜପୁତ ବଂଶଧରଙ୍କୁ ଦେଖିବାକୁ ମିଳିଥାଏ। ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ମହାଷ୍ଟମୀ ଦିନ ମାର୍ଜନା ପରେ ମା’ଙ୍କୁ ପାଇକ ଶାଢ଼ି ପିନ୍ଧାଯାଇଥାଏ। ରାଜପୁତ ବଂଶଧର ରଶ୍ମିରଞ୍ଜନ ସିଂହଙ୍କ ପରିବାର ପ୍ରଦତ୍ତ ପାଟଶାଢ଼ିକୁ ସର୍ବପ୍ରଥମେ ମା’ ଶାରଳାଙ୍କୁ ପିନ୍ଧାଯାଇଥାଏ।
ସୌଜନ୍ୟ – ସତ୍ୟବାଦୀ ଡ଼େସ୍କ

Comments
Loading...