୩୦୦ ବର୍ଷର ମା’ ରାମଚଣ୍ଡୀ

ସିମୁଳିଆ: ମା’ ରାମଚଣ୍ଡୀଙ୍କ ପୀଠରେ ୪୬ ଦିନ ଧରି ପୂଜାର୍ଚ୍ଚନା ପାଇଁ ମାଆଙ୍କର ଅଭ୍ୟର୍ଥନା କମିଟି ଦ୍ୱାରା ଆୟୋଜନ କରାଯାଇଛି। ମା’ଙ୍କ ମହିମା ସ୍ୱତନ୍ତ୍ର ବୋଲି ଗ୍ରାମବାସୀ କହିଥାନ୍ତି। ଜୀଅନ୍ତାଠାକୁର ବୋଲି ବର୍ଣ୍ଣନା କରନ୍ତି। ମା’ଙ୍କୁ ଡାକିଲେ ବିପଦବେଳେ ମା’ ପାଖରେ ଛିଡା ହୋଇଥାନ୍ତି। ଲୋକକଥା ଅନୁଯାୟୀ ବାଲିଖଣ୍ଡ ମିଶ୍ର ସାହିରେ ଜମିଦାର ଲୋକନାଥ ଚୌଧୁରୀ ମା’ ରାମଚଣ୍ଡୀଙ୍କୁ କଟକରୁ ଆଣିଥିଲେ। ମା’ଙ୍କ କହିବାନୁଯାୟୀ ମୋତେ ତମେ ସାଙ୍ଗରେ ନେଇଚାଲ ମାତ୍ର ତମେ ଆଦୌ ପଛକୁ ଚାହିଁବ ନାହିଁ। ଯେଉଁଠି ଚାହିଁବ ମୁଁ ସେହି ସ୍ଥାନରେ ରହିଯିବି ଆଉ ଆଗକୁ ଯାଇ ପାରିବି ନାହିଁ। ସେହିୟା ହେଲା ମିଶ୍ର ଜମିଦାର ମା’ଙ୍କୁ ନେବା ବାଟରେ ବାଲିଖଣ୍ଡଠାରେ ନିଛାଟିଆ ସ୍ଥାନରେ ଏକ ହିଂସ୍ର ଜନ୍ତୁର ଶଦ୍ଦ ଶୁଣୀ ପଛକୁ ଚାହିଁ ଦେଇଥିଲେ। ସେହିଦିନଠାରୁ ମା’ ରାମଚଣ୍ଡୀ ସେହି ସ୍ଥାନରେ ପୂଜା ପାଇଆସୁଛନ୍ତି।

ମା’ଙ୍କ ବିଶେଷତ୍ୱ ମା’ଙ୍କ ପାଖରେ ଛେନା ଭୋଗ ହିଁ ମୁଖ୍ୟ ଭୋଗ ଭାବେ ଅର୍ପଣ କରାଯାଇଥାଏ। ଚଳିତ ବର୍ଷ ମହାମାରୀ କରୋନା କଟକଣାରେ ନବରାତ୍ର ପୂଜା ପାଳିତ ହେଉଛି। ପ୍ରତିନ ଚଣ୍ଡୀପୂଜା, ଷୋଢ଼ଶ ଉପଚାର, ଭେଷ ପରିବର୍ତ୍ତନ ହେଉଛି। ପ୍ରତିଦିନ ସ୍ୱଳ୍ପ ଭକ୍ତଙ୍କ ନିମନ୍ତେ ଅନ୍ନଭୋଗ ବଣ୍ଟନ କରାଯାଉଛି। ମା’ଙ୍କର ମୁଖ୍ୟ ପୂଜା ଦୁର୍ଗା ପୂଜା ହୋଇଥିବାବେଳେ ଅକ୍ଷୟ ତୃତୀୟା ବାର୍ଷିକ ପୂଜା ଭାବେ ପାଳନ କରାଯାଇଥାଏ। କରୋନା କଟକଣାରେ ବି ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ଅଭ୍ୟର୍ଥନା କମିଟି ପକ୍ଷରୁ ପ୍ରକାଶ।

Comments are closed.