ପୂଜ୍ୟ ପ୍ରଣାମ, ମା’ ରମାଦେବୀଙ୍କ ଆଜି ଜୟନ୍ତୀ

ନାରୀକୁ ବ୍ୟକ୍ତି ଭାବେ ପ୍ରତିଷ୍ଠା କରିବାପାଇଁ ଏବଂ ନାରୀଜାତିର ସଂପୂର୍ଣ୍ଣ କଲ୍ୟାଣ ପାଇଁ କୁସଂସ୍କାର, ଅଶିକ୍ଷା, ଅନ୍ଧବିଶ୍ୱାସ, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ଯିଏ ଆଜୀବନ ସାଧାନାରେ ବ୍ରତୀ ଥିଲେ ସେ ଥିଲେ ମା’ ରମାଦେବୀ। ପିତା ଭୀମା ଭୂୟାଁ ଉପନ୍ୟାସର ଲେଖକ ଗୋପାଳବଲ୍ଲଭ ଦାସ ଓ ମା ବସନ୍ତ କୁମାରୀ ଦେବୀଙ୍କ କୋଳମଣ୍ଡନ କରି ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକରୁ ମାତ୍ର ୨୦ କି.ମି ଦୂର ସତ୍ୟଭାମାପୁର ଠାରେ ମା’ ରମାଦେବୀ ଜନ୍ମଗ୍ରହଣ କରିଥିଲେ।

ମା’ ରମାଦେବୀ ଜଣେ ବଳିଷ୍ଠ ନାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଅସହଯୋଗ ଆନ୍ଦୋଳନ, ଆଇନ୍‍ ଅମାନ୍ୟ ଆନ୍ଦୋଳନ ହେଉ ବା ହରିଜନ ପଦଯାତ୍ରା ହେଉ ବା୧୯୪୨ର ଭାରତଛାଡ଼ ଆନ୍ଦୋଳନ ହେଉ, ୧୯୫୨ ମସିହାର ଭୂଦାନ ଆନ୍ଦୋଳନ ହେଉ ମା’ ପ୍ରତ୍ୟେକ ଆନ୍ଦୋଳନରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତବର୍ଷରେ ମହିଳାମାନଙ୍କ ପାଇଁ ଆଦର୍ଶ ଥିଲେ। ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଏକାଧାରରେ ଜଣେ ସୁଗୃହିଣୀ, ସମାଜସେବିକା, ଦକ୍ଷ ସଂଗଠିକା, ସୁଲେଖିକା ଓ ମୁକ୍ତି ସଂଗ୍ରାମୀ। ତାଙ୍କ ଦ୍ୱାରା ଲିଖିତ “ଜୀବନ ପଥେ” ଥିଲା ତାଙ୍କ ସାହିତ୍ୟ ପ୍ରତିଭାର ଜ୍ୱଳନ୍ତ ଦୃଷ୍ଟାନ୍ତ। ତାଙ୍କ କନ୍ୟା ଅନ୍ନପୂର୍ଣ୍ଣା ମହାରଣା ଏବଂ ପୁତ୍ର ମନମୋହନ ମଧ୍ୟ ତାଙ୍କ ମା’ଙ୍କ ଆଦର୍ଶରେ ଖୁବ୍‍ ପ୍ରଭାବିତ ହୋଇଥିଲେ। ମା’ ରମାଦେବୀ ଉତ୍କଳବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍‍ ଉପାଧି ଏବଂ ଯମୁନାଲାଲ୍‍ ବଜାଜ୍‍ ଫାଉଣ୍ଡେସନ୍‍ ତରଫରୁ ପୁରସ୍କାର ପାଇଥିଲେ। ତତ୍‍କାଳିନ ରାଜ୍ୟପାଳ ମାନ୍ୟବର ଖୋସଲା ମା’ଙ୍କୁ ପଦ୍ମଶ୍ରୀ ଉପାଧି ଦେବାପାଇଁ କରିଥିବା ସୁପାରିସ୍‍ ମା’ ନିଜେ ପ୍ରତ୍ୟାଖ୍ୟାନ କରି ଆମପାଇଁ ବଳିଷ୍ଠ ଉଦାହରଣ ପାଲଟିଥିଲେ। ମା’ ୧୯୮୫ ମସହା ଜୁଲାଇ ୨୨ ତାରିଖରେ ଚିରନିଦ୍ରା ଗଲେ ସତ ମାତ୍ର କେବଳ ଓଡ଼ିଆ ମାଟିପାଇଁ ନୁହେଁ ସମଗ୍ର ଭାରତବର୍ଷର ମାତୃସମାଜପାଇଁ ଚିରସ୍ମରଣୀୟ ହୋଇ ରହିବେ। ମା’ଙ୍କର ଜୀବନାଦର୍ଶ ଯଦି ଆମଭଳି ଉତ୍ତରପିଢ଼ିକୁ ଅନୁପ୍ରାଣିତ କରିବ ଆମକୁ ପ୍ରେରଣା ଯୋଗାଇବ ଏବଂ ନିସ୍ୱାର୍ଥପର ଭାବେ ସମାଜ ମଙ୍ଗଳ ତଥା ରାଷ୍ଟ୍ରର ବିକାଶ ପାଇଁ ସମାଜ ସେବାରେ ଆମେ ନିଜକୁ ନିୟୋଜିତ କରିବା ତେବେ ତାହାହିଁ ହେବ ମା’ରମାଦେବୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି।

Comments are closed.