ମା’ ପନ୍ଥେଇଙ୍କ ବିଗ୍ରହ ପୁନଃପ୍ରତିଷ୍ଠା

ଗୁରୁଡିଝାଟିଆ :  ମଞ୍ଚେଶ୍ୱର ପଞ୍ଚାୟତ ନାରଙ୍ଗବସ୍ତର ଅଧିଷ୍ଠାତ୍ରୀ ଦେବୀ ମା’ ପନ୍ଥେଇଙ୍କ ବିଗ୍ରହ ପୁଃନ ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ଶାସ୍ତ୍ରୀୟ ବିଧିମୁତାବକ ଯାଜ୍ଞିକ ବ୍ରାହ୍ମଣମାନଙ୍କ ଦ୍ୱାରା ସମାପନ ହୋଇଛି । ନୂତନ ବିଗ୍ରହଙ୍କୁ ପୂଜାର୍ଚ୍ଚନା ପରେ ନୂଆଡିହ ଓ ନାରଙ୍ଗବସ୍ତ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଗ୍ରାମପରିକ୍ରମାରେ ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ଅଂଶଗ୍ରହଣ କରିଥିଲେ । ମା’ଙ୍କ ପୁରାତନ ପ୍ରତିମୂର୍ତ୍ତିକୁ ମହାନଦୀରେ ବିସର୍ଜନ କରାଯାଇ ନୂତନ ବିଗ୍ରହ ସଂସ୍ଥାପନ କରାଯାଇଥିଲା। ଏହି ଉପଲକ୍ଷେ ୩ଦିନ ଧରି ମା’ ଙ୍କ ପୀଠରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଓରନ୍ଦା ରାଧାକୃଷ୍ଣ ଭକ୍ତିମନ୍ଦିର ମୁଖ୍ୟ ଅସୀତ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଯାଜ୍ଞିକ ବ୍ରାହ୍ମଣ ଦିବ୍ୟଲୋଚନ ପଣ୍ଡା, ଆଶୁତୋଷ ତ୍ରିପାଠୀ, କୀର୍ତ୍ତି ରଞ୍ଜନ ପ୍ରହରାଜ, ଜିତେଶ କୁମାର ଦାଶ, ରୁଦ୍ରନାରାୟଣ ବାହିନୀପତି ଓ ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ। ପ୍ରଥମଦିନ ୧୦୮ କଳସରେ ଜଳ ଅଣାଯାଇ ଯଜ୍ଞକର୍ମ ଆରମ୍ଭ କରାଯାଇଥିଲା।

ରବିବାର ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିବା ବେଳେ ମା’ପନ୍ଥେଇ ଠାକୁରାଣୀ ପରିଚାଳନା କମିଟିର ସଭାପତି ଶିବପ୍ରସାଦ ଖଟୁଆଙ୍କ ନେତୃତ୍ୱରେ ଗାଁ ମୁରବୀ କିରଣ ବିହାରୀ ଖଟୁଆ, ପ୍ରଫୁଲ ଚନ୍ଦ୍ର ଖଟୁଆ, ଶିକ୍ଷାବିତ୍ ରାଜକିଶୋର ଖଟୁଆ, ପ୍ରେମାନନ୍ଦ ମଲିକ, ଶଶିଭୂଷଣ ପ୍ରତିହାରୀ ଓ ବହୁ ଯୁବକମାନେ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସମାପନ କରିଥିବା ବେଳେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ ଏସଡିପିଓ ବିଜୟ କୁମାର ବିଶି ପ୍ରମୁଖ ମା’ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଅତିଥି ଭାବରେ ଯୋଗଦେଇଥିଲେ।

 

Comments are closed.