ମା’ ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା

ପ୍ରଶାସନ ତରଫରୁ ୧୪୪ ଧାରା

ସାକ୍ଷୀଗୋପାଳ :  ଗତକାଲି କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ  ପବିତ୍ର ତିଥି ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ । ବର୍ଷକରେ ଏହି ପବିତ୍ର ଅବସରରେ ମାଙ୍କ ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଥିଲା । ମାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଗତ ୨ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଶାସନ ତରଫରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମାଙ୍କ ପୀଠରେ ୧୪୪ ଧାରା ଜାରି କରା ଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ କଟକଣା ଜାରି ହୋଇଥିଲା । ମାତ୍ର ମାଙ୍କ ପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା ।

ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଅବସରରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ କାଳୀକା ପଡିଆରେ ମାଟି ଅନୁକୂଳ ହୋଇଥିଲା । ନିକଟସ୍ଥ ଦାଣ୍ଡ ସାହିର ପୂର୍ଣଚନ୍ଦ୍ର ମହାରଣାଙ୍କ ସମେତ ୩ ଜଣ ମା ଦକ୍ଷିଣକାଳୀ ଓ ମହାଦେବଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିଲେ । ଗତ ୩ ତାରିଖ ଅପରାହ୍ନରେ ମା ଓ ମହାଦେବଙ୍କ ମୂର୍ତ୍ତିରେ ମସ୍ତକ ସଂଯୋଗ ହୋଇଥିଲା । ରାତ୍ର ସମୟରେ ମାଟି ନିର୍ମିତ ଅଳଙ୍କାର ଲାଗି ହୋଇଥିଲା । ମଧ୍ୟ ରାତ୍ରରେ ଭୋଗ ପରେ ପହୁଡ଼ ହୋଇଥିଲା । ଚାରି ତାରିଖରେ ମୂର୍ତ୍ତି ରଙ୍ଗ ହୋଇଥିଲା । ପୀଠରେ ମୁରୁଜ ପଡିବା ପରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ଆସ୍ଥାନରେ ବିଜେ କରିଥିଲେ । ମଧ୍ୟ ରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁସ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡଶ ଉପଚାର ପୂଜା ଵିଧି, କୋଠ ଭୋଗ, କୋଟି ଯୋଗିନୀ ପୂଜା, ବଳୀ, ବଳୀ ଧୂପ, ବଡ଼ ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହୋଇଥିଲା । ୫ ତାରିଖ ପ୍ରତ୍ୟୁଷରୁ ଭକ୍ତ ଓ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ସାହାଣ ମେଲା ହୋଇଥିଲା । ପ୍ରଶାସନ ତରଫରୁ ୧୪୪ଧାରା ଜାରି ଯୋଗୁ ଭକ୍ତ ଓ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିଥିଲା ।

ମା ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ତରଫରୁ ଏହି ପୀଠ ଦ୍ବୟରେ ମଧ୍ୟ ସମାନ ଧରଣର କଟକଣା ଜାରି ହୋଇଥିଲା । ଆଜି ଅର୍ଥାତ ୫ ତାରିଖ ମଧ୍ୟ ରାତ୍ରରେ ମା ଦକ୍ଷିଣକାଳୀ ନିରାଡ଼ମ୍ବର ଭାବରେ ବିସର୍ଜନ ନିମନ୍ତେ ବାହାରିବେ । ମାଙ୍କର ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନ ପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିବେ । ସେଠାରେ ପଣା ପୂଜା ପରେ ମା ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ ।
ପୂର୍ବେ ଏଠାରେ କାଳୀ ପୂଜା ନ ଥିଲା । ତତ୍କାଳୀନ ବଙ୍ଗୀୟ ନବାବଙ୍କ ଶାସନ ସମୟରେ ଉତ୍ପୀଡ଼ନର ଶିକାର ହୋଇ ଭଗବାନ ଚକ୍ରବର୍ତ୍ତୀ ନାମକ ବଙ୍ଗୀୟ ପରିବାର ଏଠାକୁ ଚାଲି ଆସିଥିଲେ । ସେମାନେ ୩ ଭାଇ ଥିଲେ । ସେମାନଙ୍କ ଗୃହ ଦେବତା କାଳୀ ଥିଲେ । ୩ ଭାଇ ଏହି ତିନୋଟି ଗ୍ରାମରେ ରହିଥିଲେ । ସେମାନେ ଏଠାରେ କାଳୀ ପୂଜା ଆରମ୍ଭ କରିଥିଲେ । ସେବେଠାରୁ ଏହି ୩ ଗ୍ରାମରେ କାଳୀ ପୂଜା ହୋଇ ଆସୁଅଛି।

Comments are closed.