ମା’ ଭୈରବୀ ପୀଠରେ ଷୋଳପୂଜା

ଦୁଇଟି ପର୍ଯ୍ୟାୟରେ  ଷୋଳଦିନ ଧରି ଚାଲିବ ଦେବୀଙ୍କ ଗୁପ୍ତ ପୂଜା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଗୁରୁବାର ମଧ୍ୟରାତ୍ରୀରୁ ଷୋଳଦିନ ଧରି ଚାଲିବ ମା’ଙ୍କ   ଗୁପ୍ତ  ପୂଜା ପାଠ। ପ୍ରତିବର୍ଷ ମା’ଙ୍କ ଏହି ସ୍ୱତନ୍ତ୍ର ପୂଜା  ଆଶ୍ୱୀନମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଆଶ୍ୱୀନମାସ ଶୁକ୍ଳପକ୍ଷ ମହାଷ୍ଟମୀର ମଧ୍ୟରାତ୍ରରେ ମହାପଶୁ ପ୍ରେକ୍ଷଣ ପରେ ସମାପ୍ତ ହୋଇଥାଏ। ଚଳିତବର୍ଷ ଯୋଡା ଆଶ୍ୱୀନ ମାସ ପଡୁଥିବାରୁ ଏଥର ପ୍ରଥମ ମାସର ଆଠ ଦିନ ଏବଂ ଦ୍ୱିତୀୟ ମାସର ଆଠ ଦିନକୁ ମିଶାଇ ଦୁଇଟି ପର୍ଯ୍ୟାୟରେ ମା’ଙ୍କ ଏହି  ସ୍ୱତନ୍ତ୍ର ପୂଜା କରାଯିବ। କୋରୋନା କଟକଣା ଯୋଗୁଁ ଦୀର୍ଘ ୭ମାସ ହେଲା ଦେବୀ ଦର୍ଶନ ଏବଂ ମନ୍ଦିର ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ନିୟମ ଏବଂ କଟକଣାକୁ ମାନି ଷୋଳ ପୂଜା କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସଲିଳ ଭୋକ୍ତା  କହିଛନ୍ତି। ଏବାବଦରେ କମିଟି ପକ୍ଷରୁ ବୌଦ୍ଧ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି। ଦେବୀଙ୍କ ପୀଠରେ ବର୍ଷ ସାରା ବିଭିନ୍ନ ପୂଜା ପର୍ବ ପାଳିତ ହୁଏ। ଏଥିମଧ୍ୟରୁ ଦେବୀଙ୍କ ମୂଖ୍ୟ ପୂଜା ଷୋଳ ପୂଜା। ଦେବୀଙ୍କ ଏହି ସ୍ୱତନ୍ତ୍ର ପୂଜା ଦୀର୍ଘ ୧୬ଦିନଧରି ରୀତିନୀତି ଅନୁସାରେ ପୂଜକମାନେ ମା’ଙ୍କ ଏହି ଗୁପ୍ତପୂଜା କରିଥାନ୍ତି। ଷୋଳପୂଜା ଆରମ୍ଭ ଦିନ ମା ଙ୍କ ପାଟଖଣ୍ଡା ଏବଂ ବିଜୟପ୍ରତିମା ପୁରୁଣାକଟକ ସହର ପରିକ୍ରମା କରାଯାଏ। ଶହ ଶହ ଭକ୍ତଙ୍କ ଗହଣରେ ଘଂଟଛତ୍ର, ଡୋଲ, ବାଦ୍ୟ ଧରି ବଡ ପଟୁଆରରେ ମନ୍ଦିରରେ ପଂହଚିଥାଏ। ଏହି ଦିନ ଏହି ଅଂଚଳରେ ପୁଅର ମଙ୍ଗଳ ମନାସୀ ମାଆମାନେ ପୁଅ ଜଉଁତିଆ ଓଷା କରିଥାନ୍ତି। ଏହି ପର୍ବ ନିଶାର୍ଦ୍ଧରେ ସମ୍ପୁର୍ଣ୍ଣ ଉପବାସରେ ମା’ଙ୍କ ପୀଠରେ ଢୋଲବାଦ୍ୟ ଶୁଭିଲା ପରେ ଆରମ୍ଭ କରିଥାନ୍ତି। ଶକ୍ତି ପୀଠରେ ଷୋଳଦିନ ପର୍ଯ୍ୟନ୍ତ ଦେବୀଙ୍କ ଗୁପ୍ତ ପୂଜା ହୋଇଥାଏ। ଯାହା କି ଅନ୍ୟ କୌଣସି ଦେବୀ ପୀଠରେ ଦେଖାଯାଇନଥାଏ।

ରାତ୍ରର ପ୍ରଥମ ପ୍ରହରରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେବୀଙ୍କ ରୀତିନୀତି ଅନୁସାରେ ପୂଜା ହୁଏ। ଏହି ସମୟରେ ମନ୍ଦିରରେ ଚଳପ୍ରଚଳ ନିଷିଦ୍ଧ କରାଯାଏ। ମନ୍ଦିର ମଧ୍ୟରେ ଆଲୋକ ନିର୍ବାପିତ କରାଯାଏ। ଏମିତିକି କଥପୋକଥନକୁ ମଧ୍ୟ ବାରଣ କରାଯାଇଥାଏ। ଏହି ସମୟରେ ମା’ଙ୍କ ଗୁପ୍ତ ପୂଜା ଚାଲିଥିବା ଯୋଗୁଁ ଭକ୍ତଙ୍କୁ ମନ୍ଦିର ଦର୍ଶନ ପାଇଁ ନିଷିଦ୍ଧ କରାଯାଏ। ମହାଷ୍ଟମୀ ରାତ୍ରୀରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଦିନ ରାତ୍ରୀରେ ଦେବୀ ମହିଷାମର୍ଦ୍ଦୀନୀ ବେଶ ଧାରଣ କରିଥାନ୍ତି। ନବମୀ ଦିନ ମା’ଙ୍କ ପୀଠରେ ନବାନ୍ନ ଲାଗି ପରେ ଏହି ଅଂଚଳରେ ସମସ୍ତେ ନୂଆ ଖାଇଥାନ୍ତି। ନବମୀ ଠାରୁ ଭକ୍ତମାନେ ଦେବୀ ଦର୍ଶନ କରିଥାନ୍ତି। ଏହିଦିନ ଦେବୀଙ୍କୁ ଚାମୁଣ୍ଡା ବେଶରେ ସଜାଇ ଦିଆଯାଏ। ଏହି ବେଶ ସୂର୍ଯ୍ୟାସ୍ତ ପରେ ଦର୍ଶନ ନିଷେଧ ହୁଏ। ବିଜୟାଦଶମୀ ଦିନ ଅଧିଷ୍ଠାତ୍ରୀ ଦେବୀ ବିଶେଶ୍ୱରୀ ବେଶ ଧାରଣ କରନ୍ତି। ଦୀର୍ଘ ୧୬ଦିନ ଧରି ଦେବୀ ଦର୍ଶନ ନିଷିଧ ଥିବାରୁ ନବମୀ ଠାରୁ ମା’ଙ୍କ କୃପାଲାଭ କରିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଅଗଣିତ ଭକ୍ତଙ୍କ ଭିଡ ଜମିଥାଏ। ଷୋଳଖଣ୍ଡ ମୌଜାର ଜନସାଧାରଣ ପ୍ରତ୍ୟକ୍ଷ ତତ୍ୱାବଧାନରେ ମା’ଙ୍କ ପୂଜା ନିରାଡମ୍ବର ଭାବେ ପାଳନ ହୋଇଥାଏ। ବର୍ଷର ଅନ୍ୟାନ୍ୟ ପର୍ବପର୍ବାଣୀମାନଙ୍କ ମଧ୍ୟରେ କାର୍ତ୍ତୀକ ମାସର ଶ୍ୟାମାକାଳୀପୂଜା, ମାଘ ଚର୍ତୁଦଶୀରେ ଉଗ୍ରତାରା ପୂଜା ,ଚୈତ୍ରମାସ ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ବାସନ୍ତିକ ଦୁର୍ଗାପୂଜା, ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ସ୍ୱନକ୍ଷତ୍ରପୂଜା ଓ ଚର୍ତୁଦଶୀରେ ମହାସାନ୍ନପୂଜା, ସପ୍ତପୂରୀ ଅମାବାସ୍ୟା ପୂଜା, ଭାଦ୍ରବ ଅଷ୍ଟମୀରେ ଦୁର୍ଗାଶୟନୀପୂଜା ଅନୁଷ୍ଠିତ ଆଦି ପୂଜାର ସ୍ୱତନ୍ତ୍ରତା ରହିଛି।

ସୂଚନା ଥାଉ କି, ଖୋର୍ଦ୍ଧ-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ବୌଦ୍ଧ ସଦରମହକୁମାରୁ ୩୦କ.ମି ଦୂର ଚାରିଛକ-ପୁରୁଣାକଟକ ରାସ୍ତାରେ ଭୂବନେଶ୍ୱର ଆଡକୁ ଗଲାବେଳେ ବାମ ପାଶ୍ୱର୍ରେ  ରହିଛି  ମା’ଙ୍କ ଏହି ଶକ୍ତିପୀଠ।

Comments are closed.