ନାଗେଶ୍ୱରଙ୍କୁ ପୁଣି ସିବିଆଇ ନିର୍ଦେଶକ ଦାୟିତ୍ୱ

0

ନୂଆଦିଲ୍ଳୀ: ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇବା ପରେ ଅତିରିକ୍ତ ନିର୍ଦେଶକ ଏମ୍‍ ନାଗେଶ୍ୱର ରାଓଙ୍କୁ କେନ୍ଦ୍ର ସରକାର ପୁଣି ଥରେ ଅସ୍ଥାୟୀ ନିର୍ଦେଶକ ଭାବେ ଦାୟିତ୍ୱ ଦେଇଛନ୍ତି। ଉଲ୍ଲେଖନୀୟ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ଆଲୋକ ବର୍ମା ପୁନଃ ଅବସ୍ଥାପିତ ହେବା ପରେ ନାଗେଶ୍ୱର ରାଓ ଅସ୍ଥାୟୀ ନିର୍ଦେଶକ ପଦରୁ ଦାୟିତ୍ୱମୁକ୍ତ ହୋଇଥିଲେ। ଏହି ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ନାଗେଶ୍ୱର ରାଓ ପୁଣି ଥରେ ସେହି ପଦକୁ ଫେରିଛନ୍ତି। ଅସ୍ଥାୟୀ ନିର୍ଦେଶକ ଭାବେ ପ୍ରଥମ ପର୍ଯ୍ୟାୟରେ ନାଗେଶ୍ୱର ରାଓ ଯେଉଁ କେତେଜଣ ଅଧିକାରୀଙ୍କ ବଦଳି କରିଥିଲେ ଆଲୋକ ବର୍ମା ଦାୟିତ୍ୱ ନେବା ପରେ ସେମାନଙ୍କ ମଧ୍ୟରୁ କେତେକଙ୍କ ବଦଳି ଆଦେଶ ବାତିଲ କରିଦେଇଥିଲେ। ଏବେ ବର୍ମାଙ୍କ ସ୍ଥାନରେ ଦାୟିତ୍ୱ ନେଇଥିବା ନାଗେଶ୍ୱର ରାଓ ପୁଣି ଥରେ ବର୍ମାଙ୍କ ବଦଳି ବାତିଲ୍‍ ଆଦେଶକୁ ରଦ୍ଦ କରିଛନ୍ତି।
ସୂଚନାଯୋଗ୍ୟ, ଆଲୋକ ବର୍ମା ଓ ସିବିଆଇର ନଂ ଦୁଇ କୁହାଯାଉଥିବା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଆରୋପ ଓ ପ୍ରତିଆରୋପ ତୀବ୍ର ହେବାରୁ ଉଭୟଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଛୁଟିରେ ଯିବା ପାଇଁ ନିର୍ଦେଶ ଦେଇଥିଲେ। ଏହାପରେ ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ସିବିଆଇର ଯୁଗ୍ମ ନିର୍ଦେଶକ ଏମ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଶ୍ରୀ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟ ଗତ ୮ ତାରିଖରେ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ଖାରଜ କରି ଆଲୋକ ବର୍ମାଙ୍କୁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦେଇଥିଲେ। ଆଲୋକ ବର୍ମା ଛୁଟିରେ ଯିବା ପରେ କେତେକ ସିବିଆଇ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ତେବେ କାର୍ଯ୍ୟରେ ଯୋଗ ଦେବାର ମାତ୍ର କିଛି ଘଣ୍ଟା ପରେ ଆଲୋକ ବର୍ମା ସେମାନଙ୍କ ମଧ୍ୟରୁ ସିବିଆଇ ଡିଏସ୍‍ପି ଏ କେ ବାସି, ଏସ୍‍ପି ଏସ୍‍ ଏସ୍‍ ଗୁର୍ମ, ଡିଆଇଜି ଏମ କେ ସିହ୍ନା ଓ ଯୁଗ୍ମ ନିର୍ଦେଶକ ଏ କେ ଶର୍ମାଙ୍କ ବଦଳି ଆଦେଶକୁ ଶ୍ରୀ ବର୍ମା ବାତିଲ କରିଛନ୍ତି। ଏହି ସବୁ ଅଧିକାରୀ ଆସ୍ଥାନାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ କରୁଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଏ କେ ଡୋଭାଲ୍‍, କେନ୍ଦ୍ର ମନ୍ତ୍ରୀ ହରିଭାଇ ପାର୍ଥିଭାଇ ଚୌଧୁରୀ ଓ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ କେ ଭି ଚୌଧୁରୀଙ୍କ ବିରୋଧରେ ଡିଆଇଜି ଏମ କେ ସିହ୍ନା ସିବିଆଇ କୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଥିଲେ। ନାଗେଶ୍ୱର ରାଓ ପୁଣି ନିର୍ଦେଶକ ପଦକୁ ଫେରିବା ପରେ ଉପରୋକ୍ତ ଅଧିକାରୀଙ୍କ ବଦଳି ଆଦେଶକୁ ବଳବତ୍ତର ରଖିଛନ୍ତି।

Leave A Reply