ଆଉ ନାହାନ୍ତି ଗୀତିକାର ନିମାଇଁ ମହାନ୍ତି

ବାରିପଦା: “ଚନ୍ଦ୍ରମା ଆଗୋ ଚନ୍ଦ୍ରମା/ତୁମେ ମେଘ ତଳେ ଲୁଚି ଯାଅନା…”ର ଗୀତିକାର ତଥା ବରିଷ୍ଠ ଆଇନଜୀବୀ ନିମାଇଁ ମହାନ୍ତି ଶୁକ୍ରବାର ଅପରାହ୍ନ ୨ଟା ୨୨ ସମୟରେ ତାଙ୍କର ବାରିପଦାର ପୁରୁଣାହାଟସାହିସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଅବିବାହିତ ଥିଲେ। ତାଙ୍କ ପିତା ନାରାୟଣ ମହାନ୍ତିଙ୍କର ଗତ ୧୯୯୬ ମସିହା ଡିସେମ୍ବର ମାସରେ ପରଲୋକ ହୋଇଯାଇଥିଲା। ତାଙ୍କ ମାଆ ସୁଧା ଦେବୀଙ୍କ ସମେତ ସମସ୍ତ ପରିବାରବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସଙ୍ଗୀତ ରାଜ୍ୟରେ ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଶୋକବାର୍ତ୍ତାରେ କହିଛନ୍ତି।

ନିମାଇଁଙ୍କୁ କଳାର ମାଟି ମୟୂରଭଞ୍ଜର ପାଣି, ପବନ, ଜଙ୍ଗଲ ପାହାଡ଼, ଆକାଶର ଶୋଭାରାଜି ପ୍ରକୃତିର ଉପାସକ ଭାବେ ପରିଚିତ କରାଇଥିଲା। ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରିବା ପରେ ବାରିପଦା ଜିଲା କୋର୍ଟ ଓ ଓଡ଼ିଶା ହାଇକୋର୍ଟର ଓକିଲାତି ପେସାରେ ରତ ରହିଥିଲେ। ସେ ମଧ୍ୟ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ତଥା ୨୦୦୧ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲା ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆଇନ ଉପଦେଷ୍ଟା ମଧ୍ୟ ଥିଲେ। ଓକିଲାତି ଭଳି ଏକ ବ୍ୟସ୍ତବହୁଳ ପେସାରେ ବ୍ୟସ୍ତ ରହି ମଧ୍ୟ ଗୀତିକାର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଶ୍ରୋତାମାନଙ୍କର ମନ ଜିଣି ପାରିଥିଲେ। ଗୀତ ଲେଖିବା ପାଇଁ ଶବ୍ଦ ସଂଯୋଜନା ନିମନ୍ତେ ତାଙ୍କର ମନପ୍ରାଣ ପାଗଳ ହୋଇ ଉଠୁଥିଲା। ବିଶେଷ କରି ଜହ୍ନକୁ ନେଇ ସେ ବହୁ ଗୀତ ରଚନା କରିଛନ୍ତି। ଆକାଶରେ ଜହ୍ନ ଦେଖିଲେ ସେ ପାଗଳ ହୋଇଉଠୁଥିଲେ। ନିରବ ନିଃଶବ୍ଦ ରାତିରେ ବୁଢାବଳଙ୍ଗ ନଦୀର କଳ କଳ ନାଦକୁ ଉପଭୋଗ କରିବା ପାଇଁ ନଦୀ ବାଲିରେ ରହି ଆକାଶକୁ ମୁହଁ କରି ଚନ୍ଦ୍ରମାକୁ ଦେଖି ଦେଖି ସେ ଗୀତ ରଚନା କରୁଥିଲେ। ୧୯୮୨ ମସିହାରୁ କଟକ ଅାକାଶବାଣୀ ଏବଂ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଗୀତିକାର ଭାବେ ସୁନାମ ଅର୍ଜନ କରିଥିଲେ।

ଖ୍ୟାତନାମା ସଂଗୀତଜ୍ଞ ଅକ୍ଷୟ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ଶାନ୍ତନୁ ମହାପାତ୍ର, ରଘୁନାଥ ପାଣିଗ୍ରାହୀ ଓ ମୁମ୍ବାଇର ବାପି ଲାହିରୀ ନିମାଇଁଙ୍କ ରଚିତ ଗୀତଗୁଡିକରେ ସ୍ୱର ସଂଯୋଜନା କରିଛନ୍ତି। ନିମାଇଁ ପରଦେଶୀ ଚଢେଇ, ସାଗର ଗଙ୍ଗା, ମୋ କାହ୍ନୁରେ, ଅକୁହା କଥା, ଗୋପରେ ବଢୁଛି କଳା କହ୍ନେଇ, କିଏ ପୋଛିବ ମା ଆଖିର ଲୁହ, ସମୟ ଖେଳୁଛି ଚକା ଭଉଁରୀ, ସହର ଜଳୁଛି, ଇଡିୟଟ, ପ୍ରେମରୋଗୀ, ତୁ ରାଜା ମୁଁ ରାଣୀ, ହସିବ ପୁଣି ମୋ ସୁନା ସଂସାର, ଇସ୍କ ତୁହିଁ ତୁ, ପ୍ରେମିକା, ଅ ଆ ହର୍ଷେଇ, ଭଉଁରୀ, କଲେଜ ଟାଇମ ଓ ତୁଳସୀ ଅପା ଆଦି ପ୍ରାୟ ୩୦ଟି ଓଡ଼ିଆ ଚଳଚ୍ଚିତ୍ରରେ ଗୀତିକାର ଥିଲେ। ସେହିପରି ସେ ଗାୟତ୍ରୀ, ପ୍ରାୟଶ୍ଚିତ, ଓଢ଼ଣା ତଳର ଲୁହ ଆଦି ଧାରାବାହିକ ପାଇଁ ଗୀତ ରଚନା କରିଥିଲେ। ଓଡ଼ିଶା ସିନେ କ୍ରିଟିକ୍ସ ଆସୋସିଏସନ ପକ୍ଷରୁ ୧୯୯୩ରେ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୨୦୦୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସେ ସମ୍ମାନିତ ହୋଇଥିବାବେଳେ ୧୯୯୪ରେ ଚଳଚ୍ଚିତ୍ର ଜଗତ, ୨୦୦୧ରେ ରାଜ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱର, ୨୦୧୦ରେ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଆ ଗୀତିକବି ସମାଜ କଟକ, ୨୦୧୬ରେ ତରଙ୍ଗ ଚାନେଲ ଆଦି ବହୁ ରାଜ୍ୟ ସ୍ତରୀୟ ସଂସ୍ଥା ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ ସମ୍ମାନିତ କରାଯାଇଥିଲା। ୨୦୦୧ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ଛଉ ନୃତ୍ୟ ପାଇଁ ସିନିୟର ଫେଲୋସିପ ପ୍ରଦାନ କରାଯାଇଥିଲା। ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ। ତାଙ୍କ ଲିଖିତ ଦୂର ଅପହଞ୍ଚ ଗାଁ, ଅବାକ ପୃଥିବୀ, ମହମହ ଅନ୍ଧାର, ପୁରୁଣା ବହିର ବାସ୍ନା ଆଦି କବିତା ପୁସ୍ତକ ପ୍ରକାଶ ପାଇଥିବା ବେଳେ ତାଙ୍କର ଇଂରାଜୀ ଲଭ୍‌ ଏଣ୍ଡ ବିୟଣ୍ଡ୍‌ ପୁସ୍ତକ ସ୍ପେନିସ ଭାଷାରେ ଅନୁବାଦ ହୋଇଛି।

ସେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୯ ମସିହା ଜୁଲାଇ ୧୪ ତାରିଖରେ ଭୂମିପୁତ୍ର ସମ୍ମାନ ପାଇବାର କିଛି ଦିନ ପରେ, ଅର୍ଥାତ୍‌‌ ୨୦୧୯ ଅଗଷ୍ଟ ୨ ତାରିଖଠାରୁ ହଠାତ୍‌‌ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ ଏବଂ ସଫଳତା ସହ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ଦୀର୍ଘ ତିନି ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରୋଗ ଶଯ୍ୟାରେ ପଡ଼ିଥିଲେ। ତାଙ୍କର ମୃତ୍ୟୁ ସମ୍ବାଦ ଜଣାପଡିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ତାଙ୍କ ବାସଭବନଠାରେ ପହଞ୍ଚି ଅନ୍ତିମ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

Comments are closed.