ଗୋଟିଏ ଲଞ୍ଚ ଛାଡିଲେ, ଏବେ ବି ୩ଟି ଲଞ୍ଚ ମାଓବାଦୀ କବଜାରେ

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନାଗିରି ଜିଲା ଚିତ୍ରକୋଣ୍ଡାରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମାଓବାଦୀମାନେ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ୪ଟି ମୋଟର ଲଞ୍ଚ ଅଟକ ରଖିଥିବା ବେଳେ ଶୁକ୍ରବାର ଗୋଟିଏ ଲଞ୍ଚକୁ ଛାଡିଛନ୍ତି ।

ଫେରିଥିବା ଲଞ୍ଚରେ ଡ୍ରାଇଭର, ହେଲପର ଏବଂ ଖଲାସୀ ସୁରକ୍ଷିତ ଭାବେ ଫେରିଛନ୍ତି । ଉକ୍ତ ଲଞ୍ଚରେ ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର ଲାଗିଥିବା ଦେଖିବାକୁ ମଳିଛି । ଭୋଟ ବର୍ଜନ ପାଇଁ ଲଞ୍ଚ ଗୁଡିକୁ ଅଟକ ରଖାଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହା ସହ ୩୧ ଦଫା ପୂରଣ ନହେବାରୁ ଲଞ୍ଚକୁ ଅଟକ ରଖାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ୨ଟି ଲଞ୍ଚ ଅଟକ ରଖିଥିଲେ । ପରେ ଗତକାଲି ମଧ୍ୟ ଅନ୍ୟ ୩ଟି ଲଞ୍ଚ ଅଟକ ରଖିଛନ୍ତି । ଯନ୍ତ୍ରୀରେ ୨ଟି ଏବଂ ସିନ୍ଧିପୁଟରେ ୨ଟି ଲଞ୍ଚ ଅଟକ ଥିଲା।  ଏହା ସହ ୪ଟି ଲଞ୍ଚର ଥିବା ମୋଟ ୧୨ ଜଣ କର୍ମଚାରୀଙ୍କୁ ମଧ୍ୟ ମାଓବାଦୀ ଅଟକ ରଖିଥିଲେ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ମାଓବାଦୀଙ୍କ ଏଭଳି କାର୍ଯ୍ୟ ଲାଗି ରହିବ ବୋଲି ଅନୁମାନ କରାଯାଉଛି । ଏହି ଲଞ୍ଚଗୁଡିକ କୁନ୍ତୁରପଦର-ଯୋଡ଼ାଆମ୍ବ-ପଣସପୁଟକୁ ଯୋଗାଯୋଗର ମାଧ୍ୟମ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

Comments are closed.