ଭାରତରେ ଦୃଶ୍ୟମାନ ହେବ ନାହିଁ ଜୁଲାଇ ୫ର ଉପଛାୟା ଚନ୍ଦ୍ରଗ୍ରହଣ

ସକାଳ ୮ଟା ୩୭ରୁ ଆରମ୍ଭ ହୋଇ ୧୧ଟା ୨୨ ମିନିଟରେ ଶେଷ ହେବ

ଆସନ୍ତା ୫ ତାରିଖ ରବିବାର ଦିନ ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ଧନୁ ରାଶିରେ ଲାଗିବ । ଗତ ଜୁନ୍ ୫ ତାରିଖରେ ଚନ୍ଦ୍ରଗ୍ରହଣ ପରେ ୨୧ ତାରିଖରେ ସୂର୍ଯ୍ୟପରାଗ ଲାଗିଥିଲା । ଜୁଲାଇ ୫ ତାରିଖ ଗୁରୁ ପୂର୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବ ବୋଲି ଜ୍ୟୋତିଷ ଶାସ୍ତ୍ରୀ ଓ ବିଜ୍ଞାନୀମାନେ କହିଛନ୍ତି । ଏହାପରେ ପରବର୍ତୀ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରରେ ଦୃଶ୍ୟମାନ ହେବ ।

୫ ତାରିଖରେ ହେବାକୁଥିବା ଏହି ଚନ୍ଦ୍ରଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ । ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଯାଏ କିନ୍ତୁ ଏକ ସରଳ ରେଖାରେ ନ ଥାଏ ତାହାକୁ ଉପଛାୟା ଚନ୍ଦ୍ରଗ୍ରହଣ କୁହାଯାଏ । ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ସକାଳ ୮ଟା ୩୭ ମିନିଟରେ ଆରମ୍ଭ ହେବ ଏବଂ ୯ଟା ୫୯ ମିନିଟରେ ଶୀର୍ଷରେ ପହଞ୍ଚିବ । ୧୧ଟା ୨୨ ମିନିଟରେ ଚନ୍ଦ୍ରଗ୍ରହଣ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ୨ ଘଣ୍ଟା ୪୩ ମିନିଟ୍ ରହିବ ।

ଆସନ୍ତା ରବିବାର ହେବାକୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ, ପ୍ରଶାନ୍ତ ମହାସାଗରୀୟ ଦେଶ ଓ ଆଣ୍ଟାର୍କଟିକାରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ । ଯେହେତୁ ଏହି ଗ୍ରହଣ ଭାରତରେ ଦେଖାଯିବ ନାହିଁ ତେଣୁ ଏହାର ସୂତକ କାଳ ଭାରତରେ ଲାଗୁ ହେବ ନାହିଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଉପଛାୟା ଚନ୍ଦ୍ରଗ୍ରହଣକୁ ସୂତକ କାଳ ରୂପେ ଗଣାଯାଏ ନାହିଁ । ଆଉ ୫ ତାରିଖରେ ଚନ୍ଦ୍ରଗ୍ରହଣ ଉପଛାୟା ହୋଇଥିବାରୁ ଏହା ସୂତକ ମାନ୍ୟତା ପାଇବ ନାହିଁ। ସାଧାରଣତଃ ଦୃଶ୍ୟମାନ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂଚକ କାଳ ଲାଗୁ ହୋଇଥାଏ ।

Comments are closed.