ଘରମୁହାଁ ଶ୍ରମିକଙ୍କ କରୁଣ ପରିଣତି : ଦୁର୍ଘଟଣାରେ ୩୧ ମୃତ

ଉତ୍ତରପ୍ରଦେଶରେ ୨୪ ଓ ମଧ୍ୟପ୍ରଦେଶରେ ୬ମୃତ

ଲକ୍ଷ୍ନୌ : ଘରମୁହାଁ ପ୍ରବାସୀ ଶ୍ରମିକଙ୍କ ବିପତ୍ତି ଆଖିରେ ଲୁହ ରଖୁ ନାହିଁ। ଉତ୍ତରପ୍ରଦେଶର ଔରାୟା-କାନପୁର ରାଜପଥର ମିହାଉଲିଠାରେ ଶନିବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବାରେ ଏଥିରେ ଯାଉଥିବା ୨୪ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୩୬ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ସୈଫଇ ଓ ଔରାୟାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ଶ୍ରମିକମାନେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗବାସୀ ଏବଂ ସେମାନେ ରାଜସ୍ଥାନରୁ ନିଜ ରାଜ୍ୟକୁ ଫେରୁଥିଲେ। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅନ୍ତର୍ଗତ କୁଶିନଗର ଅଞ୍ଚଳର କିଛି ଶ୍ରମିକ ଅଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପିଛା ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପିଛା ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଫତେପୁର ସିକ୍ରି (ଆଗ୍ରା) ଓ କୋଶି କଲନ୍‌ (ମଥୁରା)ର ପୁଲିସ ଅଧିକାରୀ (ଏସ୍‌ଏଚ୍‌ଓ)ଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୧ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କାକୁ ୧୦ଲକ୍ଷ କରିବା ପାଇଁ ସେ ଦାବି କରିଛନ୍ତି।
ସୂଚନାନୁଯାୟୀ, ଗୋଟିଏ ଟ୍ରକ୍‌ରେ ୫୦ରୁ ଅଧିକ ଶ୍ରମିକ ରାଜସ୍ଥାନରୁ ଫେରୁଥିବା ସମୟରେ ମିହାଉଲିଠାରେ ସମ୍ମୁଖରୁ ଆସୁଥିବା ଏକ ଡିସିଏମ୍‌ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଦିଲ୍ଲୀରୁ ଆସୁଥିବା ଡିସିଏମ୍‌ ଟ୍ରକ୍‌ ମଧ୍ୟପ୍ରଦେଶର ଛତ୍ରପୁର ଯାଉଥିଲା। ଏହାର ଚାଳକ ଚା’ ପିଇବା ପାଇଁ ଅଟକି ଥିବାବେଳେ ଶ୍ରମିକ ଭର୍ତ୍ତି ଟ୍ରକ୍‌ ଏହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର୍‌ ହୋଇଥିଲା ଯେ ଦୁଇଟିଯାକ ଟ୍ରକ୍‌ ଓଲଟି ପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ୨୪ ଶ୍ରମିକଙ୍କ ପ୍ରାଣହାନି ଘଟିଥିଲା। ପ୍ରାୟ ୩୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। କାନପୁର କମିସନର ଓ ପୁଲିସ ଆଇଜି ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପରେ ମୃତଦେହଗୁଡ଼ିକୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିଲା।
ମଧ୍ୟପ୍ରଦେଶର ସାଗର ଜିଲାରେ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ୬ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ମହାରାଷ୍ଟ୍ରରୁ ଶ୍ରମିକଙ୍କୁ ନେଇ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ଟ୍ରକ୍‌ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରେ ଘଟଣାସ୍ଥଳରେ ତିନି ମହିଳାଙ୍କ ସମେତ ୬ଜଣ ପ୍ରାଣ ହରାଇଥିଲେ। ଏଥିରେ ୨୦ ଶ୍ରମିକ ଆହତ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୩୧ ଶ୍ରମିକଙ୍କ ପ୍ରାଣହାନି ଘଟିଲାଣି।
ସୂଚନାଯୋଗ୍ୟ ଯେ ଗତ ୧୪ତାରିଖ ରାତିରେ ମହାରାଷ୍ଟ୍ରରୁ ଶ୍ରମିକଙ୍କୁ ଆଣି ଉତ୍ତରପ୍ରଦେଶ ଆସୁଥିବା ଟ୍ରକ୍‌ ମଧ୍ୟପ୍ରଦେଶର ଗୁନା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରେ ୮ ଶ୍ରମିକ ପ୍ରାଣ ହରାଇଥିଲେ ଓ ୫୬ ଆହତ ହୋଇଥିଲେ। ସେହି ରାତିରେ ଉତ୍ତରପ୍ରଦେଶର ମୁଜାଫର ନଗରଠାରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ୬ଶ୍ରମିକଙ୍କ ପ୍ରାଣହାନି ଘଟିଥିଲା। ଏହା ପୂର୍ବରୁ ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ଟ୍ରେନ୍‌ରେ କଟି ୧୬ ଶ୍ରମିକ ପ୍ରାଣ ହରାଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ଘରମୁହାଁ ପ୍ରବାସୀ ଶ୍ରମିକଙ୍କୁ ଚାଲିଚାଲି ଫେରିବାରୁ ଅଟକାଇ ହେବ ନାହିଁ ବୋଲି କହିଥିଲେ। ଶନିବାର ମାଡ୍ରାସ ହାଇକୋର୍ଟ ଶ୍ରମିକଙ୍କ ଦୁଃଖରେ ଆଖିକୁ ଲୁହ ଆସିଯାଉଛି ବୋଲି କହିଛନ୍ତିି।

Comments are closed.