ପୁଣି ବଢ଼ିଲା ରନ୍ଧନ ଗ୍ୟାସ ମୂଲ୍ୟ

0

ନୂଆଦିଲ୍ଲୀ: ଏଲପିଜି ବା ରୋଷେଇ ଗ୍ୟାସ୍‍ ମୂଲ୍ୟ ସିଲିଣ୍ଡର ପିଛା ପୁଣି ଥରେ ୨ ଟଙ୍କା ବୃଦ୍ଧି ପାଇଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଡିଲର କମିଶନ୍‍ ବୃଦ୍ଧି କରିିଥିବାରୁ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ଶେଷ ଥର ପାଇଁ ଗତ ୧ ତାରିଖରେ ୧୪.୨ କେଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨.୯୪ ଟଙ୍କା ବୃଦ୍ଧି ପାଇଥିଲା।
କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟର ଏହି ନିଷ୍ପତ୍ତି ପରେ ୧୪.୨ କେଜି ଓ ୫ କେଜି ବିଶିଷ୍ଟ ସିଲିଣ୍ଡର ପିଛା ଡିଲର କମିଶନ୍‍ ଯଥାକ୍ରମେ ୫୦.୫୮ ଟଙ୍କା ଓ ୨୫.୨୯ ଟଙ୍କା ହୋଇଛି। ଶେଷଥର ପାଇଁ ସେପ୍ଟେମ୍ବର ୨୦୧୭ରେ ଡିଲର କମିଶନ୍‍ ବୃଦ୍ଧି ପାଇଥିଲା। ପରିବହନ ଓ ଶ୍ରମ ମୂଲ୍ୟ ବୃଦ୍ଧି ଯୋଗୁଁ କମିଶନ୍‍ ବୃଦ୍ଧି କରାଯାଇଥିବା ସରକାରୀ ଭାବେ କୁହାଯାଇଛି। ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ପାଇଁ କମିଶନ୍‍ ୩୦.୦୮ ଟଙ୍କା ଓ ଖର୍ଚ୍ଚ ମୂଲ୍ୟ ୨୦.୫୦ ଟଙ୍କା ରଖାଯାଇଛି। ସେହିପରି ୫ କେଜି ବିଶିଷ୍ଟ ସିଲିଣ୍ଡରରେ ଡେଲିଭେରି ଖର୍ଚ୍ଚ ୧୦.୨୫ ଟଙ୍କା ଓ ଖର୍ଚ୍ଚ ୧୫.୦୪ ଟଙ୍କା ରହିଛି।
ଗତ ଜୁନ୍‍ ମାସଠରୁ ରନ୍ଧନ ଗ୍ୟାସ ମୂଲ୍ୟ ଲଗାତାର ବୃଦ୍ଧି ପାଇ ଚାଲିଛି। ଇତିମଧ୍ୟରେ ୧୪.୨ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୬.୨୧ ଟଙ୍କା ବୃଦ୍ଧି ପାଇଛି। ସ୍ଥାନୀୟ ଟିକସ ଆଧାରରେ ପ୍ରତି ରାଜ୍ୟରେ ଗ୍ୟାସ ମୂଲ୍ୟ ଭିନ୍ନ ରହିଛି।

Leave A Reply