ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଏଲପିଜି ଉପଭୋକ୍ତାଙ୍କୁ ସହଯୋଗ

0

ଭୁବନେଶ୍ୱର : ଓଡିଶାରେ ତିତ୍‍ଲି ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଏଲପିଜି ନେଇ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଲାଗି ତିନି ତୈଳ ବିପଣନ କମ୍ପାନୀ ସହଯୋଗର ହାତ ବଢାଇଛନ୍ତି। ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜିଯିବା ବା କାଗଜପତ୍ର ନଷ୍ଟ ହୋଇଯିବା ସ୍ଥିତିରେ ଖାଉଟିମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ତୈଳ ବିପଣନ କମ୍ପାନୀମାନେ ଯତ୍ନବାନ୍‍ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‍ୟୁୱାଇ)ର ରାଜ୍ୟସ୍ତରୀୟ ସଂଯୋଜକ ପ୍ରୀତିଶ ଭାରତ କହିଛନ୍ତି। ଯଦି ଉଜ୍ଜ୍ୱଳା ହିତାଧିକାରୀଙ୍କର ସିଲିଣ୍ଡର ହଜିଯାଏ ତା’ହେଲେ ଉପଯୁକ୍ତ ପ୍ରମାଣ ଦେଇ ୨୦୦ ଟଙ୍କା ମୂଲ୍ୟରେ ସିଲିଣ୍ଡର ଯୋଗାଇ ଦିଆଯିବ। ସେହିପରି ଅନ୍ୟାନ୍ୟ ଘରୋଇ ଏଲପିଜି ଗ୍ରାହକମାନଙ୍କର ସିଲିଣ୍ଡର ନ ମିଳିବା ପରିସ୍ଥିତିରେ ୧୨୦୦ ଟଙ୍କାରେ ନୂଆ ସିଲିଣ୍ଡର ମିଳିବ। ଏହାଛଡା ଗ୍ୟାସ୍‍ କାଗଜପତ୍ର ନଷ୍ଟ ହୋଇଯାଇଥିଲେ ମଧ୍ୟ ପୁଣି ଥରେ ନୂଆ କାଗଜପତ୍ର ପ୍ରସ୍ତୁତ କରି ଯୋଗାଇଦେବା ପାଇଁ ତୈଳ ବିପଣନକାରୀ କମ୍ପାନୀମାନେ ସହଯୋଗ କରିବେ। ଏହି ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ସ୍ଥାନରେ ଶିବିରମାନ ଆୟୋଜନ କରାଯିବ ଓ ଏହାର ସୂଚନା ଗ୍ୟାସ୍‍ ବିତରକ ଓ ଅନ୍ୟାନ୍ୟ ମାଧ୍ୟମରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଯିବ ବୋଲି ଶ୍ରୀ ଭାରତ ସୂଚନା ଦେଇଛନ୍ତି।

Leave A Reply