ମହାନଦୀରେ ଫଶିଛି ଲୋୟର ସୁକତେଲ, ନେତାଙ୍କ ପାଇଁ ସାଜିଛି ଭୋଟ ଅମଳ ପ୍ରକଳ୍ପ 

-୮୦ ବୈଠକ ବଦଳରେ ହେଉଛି ୩ , -ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ରାଜନେତା ଓ ଅଧିକାରୀ

ବଲାଙ୍ଗିର : କିଏ ଫାଇନାଲ ପୁସ୍ ବୋଲି କହୁଥିଲେ ତ ଆଉ କିଏ ଗଲା ୨୦୨୦ ମସିହା ନଭେମ୍ବର ମାସରେ କାମ ହେବ ବୋଲି ପ୍ରେସ ବିିଜ୍ଞପ୍ତି ଦେଇ ସୂଚନା ଦେଉଥିଲେ। ବଲାଙ୍ଗିରର ଟାଣୁଆ ଜନ ପ୍ରତିନିଧିଙ୍କ କଥା ହେଉ କି ରାଜ୍ୟ ଶାସନର ପୂର୍ବତନ ବରିଷ୍ଠ ପ୍ରଶାସକ, ସମସ୍ତେ ବଲାଙ୍ଗିର ଜନସାଧାରଣଙ୍କୁ ଭୁଲ ସୂଚନା ଦେଇ ଭୂଆଁ ବୁଲେଇ ଆସୁଥିଲେ। ବଲାଙ୍ଗିର ଜିଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଯେତିକି ଆଶାରେ ଥିଲା ତାଠୁ ଅଧିକ ଦ୍ୱନ୍ଦ ସୃଷ୍ଟି କରୁଥିଲା। ଓଡିଶା ପାଇଁ ମହାନଦୀ ଜଳ ବିବାଦ ବୁମେରାଂ ହୋଇଥିବା ବେଳେ ଏଥିରେ ଫଶିଛି ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ଏଭଳି ଏକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିବା ପରେ ସରକାର, ଜନପ୍ରତିନିଧି ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ହରଡ଼ଘଣାରେ।

ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ କେନ୍ଦ୍ର ସରକାରଙ୍କ ଜଳ ସଂଶାଧନ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ସଂପର୍କରେ ସ୍ଥାନୀୟ ଯାଦବ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମହାନଦୀ ଅବବାହିକାର ୪ଟି ନିର୍ମାଣାଧିନ ଓ ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ତେଲ ବହୁମୁଖୀ ପ୍ରକଳ୍ପ ଡିପିଆର୍, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡିପିଆର ୨ଥର ପୁନଃ ଅଟକଳ, ଖଡଗ ବ୍ୟାରେଜ ପ୍ରକଳ୍ପ ଓ ତେଲିଜୋର ଜଳସେଚନ ପ୍ରକଳ୍ପ ଦ୍ୱୟର ଫିଜିବିଲିଟି ରିପୋର୍ଟକୁ କେନ୍ଦ୍ରୀୟ ଜଳ ଅୟୋଗ ଓଡିଶାକୁ ଫେରେଇ ଦେଇଛନ୍ତି। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ଓଡିଶା ବେଆଇନ ବୋଲି ଦର୍ଶାଇ ବ୍ୟାରେଜ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବି କରିଥିଲା। ହେଲେ ବଲାଙ୍ଗିର ଜିଲାରେ ନିର୍ମାଣଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ରାଜ୍ୟର ପ୍ରସ୍ତାବିତ ଅନ୍ୟ ୩ଟି ପ୍ରକଳ୍ପ ଏହି ବିବାଦରେ ଛନ୍ଦି ହୋଇଛି। ଗତ ୧୭ ସେପ୍ଟେମ୍ବର ୨୦୧୬ ଦିନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ହୋଇଥିଲା। ଯେଉଁ କାରଣ ଦର୍ଶାଇ ଛତିଶଗଡ ସରକାର ହୀରାକୁଦ ଉପରମୁଣ୍ଡରେ ନିର୍ମାଣାଧୀନ ବ୍ୟାରେଜ କାମ ବନ୍ଦ ହେବ ନାହିଁ ବୋଲି କହିଲେ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ନାହିଁ ତାର ବିପରୀତ ନୀତି ଓଡିଶା କ୍ଷେତ୍ରରେ ହୋଇଛି। ଫଳରେ ଏହି ନଦୀ ଜଳ ବିବାଦ ଓଡିଶା ପାଇଁ ବୁମେରାଂ ସଦୃଶ ହୋଇଛି। ବୈଠକରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ମାଣାଧୀନ ବ୍ୟାରେଜର କାର୍ଯ୍ୟାରମ୍ଭ ୧୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଯୁକ୍ତି ରଖିଥିଲେ। ବର୍ତ୍ତମାନ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହି ଏହାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ମତ ଉପସ୍ଥାପନ କରିଥିଲେ। ଏହା ପରେ  ଛତିଶଗଡରେ ବ୍ୟାରେଜ ନିର୍ମାଣ ବନ୍ଦ ହେଲା ନାହିଁ। କିନ୍ତୁ ଓଡିଶାର ନିର୍ମାଣାଧିନ ଓ ପ୍ରସ୍ତାବିତ ପ୍ରକଳ୍ପର ମୂଲ୍ୟାଙ୍କନ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ବର୍ତ୍ତମାନ ମନା କରିବା ପରେ ଓଡିଶା ଚୁପ ହୋଇ ବସି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ୨୦ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେଲାଣି। ନିଜ ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଛତିଶଗଡ ସରକାର ଯେତେ ଆନ୍ତରିକତାର ସହ କାର୍ଯ୍ୟ କରିଛି ଓଡିଶା ତାହା କରିବାରେ ଅବହେଳା କରିଥିବା ଜଣାପଡୁଛି। ଯାହା ଫଳରେ ଓଡିଶାର ସାମୁହିକ ସ୍ୱାର୍ଥ୍ୟ ବାଧାପ୍ରାପ୍ତ ହୋଇଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଆଧାର କରି ଏହି ପ୍ରକଳ୍ପ ଗୁଡିକର ପ୍ରସ୍ତାବ ବା ପୁନଃ ଅଟକଳ ପାଇଁ ପୁଣି ଥରେ ନୂତନ ଭାବେ ଦସ୍ତାବିଜ ଦାଖଲ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ଓଡିଶାକୁ ଗତ ୩ ଅକ୍ଟୋବର ଦିନ ୨୦୧୯ ମସିହାରେ ଜଣାଇଥିଲେ। ଏହାର ପ୍ରାୟ ଏକ ବର୍ଷ ଚାରି ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଓଡିଶା ସରକାର କିଛି ନ ଜାଣିଲା ଭଳି ଚୁପ ହୋଇ ବସିଲେ କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ଓଡିଶାର ଦାବି ଓ ସର୍ବୋଚ୍ଚ ନ୍ୟାୟାଳୟରେ ଅବେଦନ ଫଳରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ଓଡିଶା ପାଇଁ ଅସୁବିଧା ସୃଷ୍ଟି କରିଛି। ସରକାର ଏହି ନଦୀ ଜଳ ବିବାଦକୁ ଠିକ ଭାବରେ ପରିଚାଳନା ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କହିଛନ୍ତି।

ବିଭିନ୍ନ ସମୟରେ ରାଜନୈତିକ ନେତା, ସରକାରୀ ଅଧିକାରୀମାନେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓ ମହାନଦୀ  ସମ୍ପର୍କରେ ବିଭିନ୍ନ କଥା କହି କେବଳ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। ଆନ୍ତରିକତାର ସହ କାର୍ଯ୍ୟ କରିନାହାନ୍ତି।  ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣରେ ବିଳମ୍ବର କାରଣ ବିସ୍ଥାପନ ଓ ପୁନର୍ବାସ ବୋଲି ସରକାର ବାରମ୍ବାର କହୁଥିବା ବେଳେ ସରକାରୀ ନିର୍ଦ୍ଦେଶ ମୁତାବକ କହିଁକି ଆର୍‌ପିଡିଏସି ବୈଠକ ଡକାଯାଇନାହିଁ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ବାର୍ଷିକ ୪ଟି ହାରରେ ୨୦ବର୍ଷରେ  ୮୦ଟି ଆର୍‌ପିଡିଏସି ବୈଠକ ହେବା କଥା। କିନ୍ତୁ ସରକାରୀ ତଥ୍ୟ ଅନୁସାରେ ୨୦ ବର୍ଷରେ ମାତ୍ର ୩ଟି ବୈଠକ ଅନୁଷ୍ଠିତ ହୋଇଛି। ୮୦ଟି ଆର୍‌ପିଡିଏସି ବୈଠକ ସ୍ଥାନରେ ମାତ୍ର ୩ଟି ବୈଠକ କରାଯିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରତି ସରକାରଙ୍କ ଓ ସମଗ୍ର ରାଜନୈତିକ ବ୍ୟବସ୍ଥାର ଚରମ ଅବହେଳା ନୁହେଁ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଶର କୌଣସି ବି ପ୍ରକଳ୍ପ ତୁଳନାରେ ଏହା ସର୍ବନିମ୍ନ। ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ପ୍ରକଳ୍ପର ହିତାଧିକାରୀମାନଙ୍କୁ ତଥା ଜିଲାବାସୀଙ୍କୁ କେବଳ ଆଶ୍ୱାସନା ଦିଅଯାଇ ପ୍ରତାରଣା କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଆଖିବୁଜି ଦେଇ ଲୋୟର୍ ସୁକତେଲକୁ ଭୋଟ ଅମଳ ପ୍ରକଳ୍ପରେ ପରିଣତ କରାଯାଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

Comments are closed.