ବଜେଟ ଖର୍ଚ୍ଚ ହାର କମୁଛି : ପଛରେ ପଡ଼ିଛି ଭିତ୍ତିଭୂମି, ସାମାଜିକ କ୍ଷେତ୍ର, କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ

ଭୁବନେଶ୍ୱର : ବଜେଟରେ ବରାଦ ହୋଇଥିବା ପାଣ୍ଠି ଚଳିତବର୍ଷ ଠିକଣା ଭାବେ ଖର୍ଚ୍ଚ ହୋଇପାରିନି। ରାଜ୍ୟ ସରକାରଙ୍କ ଅର୍ଥ ପରିଚାଳନା ବ୍ୟବସ୍ଥା ଅନୁସାରେ ପ୍ରତି ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଅବଧି ଭିତରେ ଅର୍ଥାତ ଡିସେମ୍ବର ​‌େ​‌ଶଷ ସୁଦ୍ଧା ବଜେଟର ୬୦ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।
ଗତ ଅକ୍ଟୋବର ସୁଦ୍ଧା ବଜେଟର ୪୫ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାରୁ ଡିସେମ୍ବରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ସବୁ ବିଭାଗକୁ ନିର୍ଦେଶ ଜାରି ହୋଇଛି।
ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହେଲା ଚଳିତ ଆର୍ଥିକ ବର୍ଷ ଏ ପର୍ଯ୍ୟନ୍ତ ଟିକସ ବାବଦ ରାଜସ୍ବ ସଂଗ୍ରହ ହ୍ରାସ ପାଇଛି। ନିଜସ୍ବ ଟିକସ ଆଦାୟ ମାତ୍ର ୭ପ୍ରତିଶତ ଥିବାବେଳେ ନିଜସ୍ବ ଅଣଟିକସ ୮.୯୧ପ୍ରତିଶରେ ସୀମିତ ରହିଛି।
ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ବ୍ୟୟବରାଦରୁ ପ୍ରଥମ ୭ମାସ ଭିତରେ ଖର୍ଚ୍ଚ ହାର ଗତ ଆର୍ଥିକ ବର୍ଷ ତୁଳନାରେ କମିଛି। ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ବଜେଟରୁ ମାତ୍ର ୪୫ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଗତ ଆର୍ଥିକ ବର୍ଷରେ ଏହି ସମୟ ସୁଦ୍ଧା ଖର୍ଚ୍ଚ ହାର ୪୬ପ୍ରତିଶତ ଥିଲା। ସେହିପରି ବଜେଟରେ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ହାର ଗତବର୍ଷ ଅକ୍ଟୋବର ​‌େ​‌ଶଷ ସୁଦ୍ଧା ୪୭ପ୍ରତିଶତ ଥିବାବେଳେ ଏ ବର୍ଷ ୪୪.୫ପ୍ରତିଶତରେ ସୀମିତ ରହିଛି। କେବଳ କୃଷି ଓ ଆନୁଷଙ୍ଗିକ ‌କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗରେ ଖର୍ଚ୍ଚ ହାର କମିଛି। ଗତବର୍ଷ କୃଷି କ୍ଷେତ୍ରରେ ଖର୍ଚ୍ଚ ହାର ୩୬.୬ପ୍ରତିଶତ ଥିବାବେଳେ ଏ ବର୍ଷ ୩୬.୭ପ୍ରତିଶତକୁ ବଢ଼ିଛି।
ଭିତ୍ତିଭୂମି ବାବଦ ଖର୍ଚ୍ଚ ମଧ୍ୟ କମିଛି। ରାଜ୍ୟରେ ଭିତ୍ତିଭୂମି ବାବଦକୁ ବଜେଟରେ ଯେତେ ଅର୍ଥ ବ୍ୟୟବରାଦ ହୋଇଥିଲା ଗତ ଅକ୍ଟୋବର ଶେଷ ସୁଦ୍ଧା ଖର୍ଚ୍ଚ ହାର ୩୪.୫ପ୍ରତିଶତ ରହିଛି। ତୁଳନାତ୍ମକ ଭାବେ ଗତ ବର୍ଷ ଏହି ସମୟ ସୁଦ୍ଧା ଭିତ୍ତିଭୂମି ବାବଦ ଖର୍ଚ୍ଚ ହାର ଥିଲା ୪୫.୯ପ୍ରତିଶତ।
ସେହିପରି ସାମାଜିକ କ୍ଷେତ୍ରରେ ମଧ୍ୟ ବଜେଟ ଖର୍ଚ୍ଚ ହାର ହ୍ରାସ ପାଇଛି। ଗତ ବର୍ଷ ଖର୍ଚ୍ଚ ହାର ୫୪.୩ପ୍ରତିଶତ ଥିବାବେଳେ ଚଳିତବର୍ଷ ୩୮.୭ପ୍ରତିଶତ ହୋଇଛି। ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା କାରଣରୁ ବଜେଟ ଖର୍ଚ୍ଚ ହାର କମିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପକାଇ ନରଖି ବିଭିନ୍ନ ବିଭାଗରେ ଅର୍ଥ ବିନିଯୋଗ ହାର ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ସବୁ ବିଭାଗକୁ ନିର୍ଦେଶ ଜାରି କରିଛନ୍ତି। ଏଥିସହିତ କେନ୍ଦ୍ରୀୟ ସହାୟତା ରାଶି ମିଳିବାରେ ଯେପରି ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ଯୋଗାଇ ଦିଆଯାଉଥିବା ପାଣ୍ଠି ଠିକଣା ସମୟରେ ଖର୍ଚ୍ଚ ସହିତ ବିନିଯୋଗ ପ୍ରମାଣପତ୍ର ଧାର୍ଯ୍ୟ ସମୟରେ ପ୍ରଦାନ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।
କ୍ୟାସ ମ୍ୟାନେଜମେଣ୍ଟ ଲକ୍ଷ୍ୟ ଅନୁସାରେ ଚଳିତ ଡିସେମ୍ବର ​‌େ​ଶଷ ସୁଦ୍ଧା ବଜେଟ ଅର୍ଥ ବିନିଯୋଗ ହାର ଯେପରି ୬୦ପ୍ରତିଶତରେ ପହଞ୍ଚିବ ସେ ଦିଗରେ ବିନିଯୋଗ ବ୍ୟବସ୍ଥା ତ୍ବରାନ୍ବିତ କରିବାକୁ କୁହାଯାଇଛି।
ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହେଲା ଚଳିତ ଆର୍ଥିକ ବର୍ଷର ଗତ ଅକ୍ଟୋବର ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ଅଭିବୃଦ୍ଧି ହାର ମାତ୍ର ୭.୫୬ପ୍ରତିଶତ ହୋଇଛି।
ସେହିପରି ଅଣଟିକସ ରାଜସ୍ବରେ ୧୨.୨୪ପ୍ରତିଶତ ଅଭିବୃଦ୍ଧି ଘଟିଛି। ମୋଟ ନିଜସ୍ବ ରାଜସ୍ବ ମାତ୍ର ୮.୯୧ପ୍ରତିଶତ ବଢ଼ିଛି। ବି​‌େ​‌ଶଷ କରି ନିକଟ ଅତୀତରେ ଖଣିଜ ରାଜସ୍ବ ସଂଗ୍ରହ ହାର ମାତ୍ରାଧିକ ହ୍ରାସ ପାଇଥିବାରୁ ଏହା ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି। ରାଜସ୍ବ ଆଦାୟକାରୀ ବିଭାଗଗୁଡ଼ିକ ବକେୟା ରାଜସ୍ବ ଆଦାୟ ଉପରେ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶନାମା ଜାରି ହୋଇଛି।

Comments are closed.