ଲଘୁଚାପ ବୁଡ଼ାଇବ ୪ ଜିଲା

0

ଭୁବନେଶ୍ୱର : ବାଂଲାଦେଶ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ଦକ୍ଷିଣ ଓଡ଼ିଶା, ଏହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଦକ୍ଷିଣକୁ ମୁହାଁଉଛି।
ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ୪ଟି ଜିଲାରେ ଅତି ପ୍ରବଳ ଓ ଅନ୍ୟ ୧୨ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତା ୨୪ରୁ ୩୬ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବା ସହିତ ଏହା ମୌସୁମିକୁ ସକ୍ରିୟ କରିବ।
ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ାରେ ଅତିପ୍ରବଳ ଏବଂ କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ, ବରଗଡ଼, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୭ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ସମୁଦ୍ର ଅଶାନ୍ତ ରହିବ।
ଉପକୂଳ ଅଞ୍ଚଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୩୦ମିମି ବର୍ଷା ହୋଇଥିବାବେଳେ କେନ୍ଦୁଝରଗଡ଼ରେ ୨୮ ଓ ଅନୁଗୋଳରେ ୮ମିମି ବର୍ଷା ହୋଇଛି। ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟାରେ ବର୍ଷା ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave A Reply