୪୮ଘଣ୍ଟାରେ ଲଘୁଚାପ, ୩ଦିନ ବର୍ଷା

ଭୁବନେଶ୍ବର : ସପ୍ତାହକ ଭିତରେ ଦୁଇ ଦୁଇଟି ଲଘୁଚାପ ଯୋଗୁଁ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଜୁଲାଇରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ଦେଖାଦେଇଥିବା ସଙ୍କଟ ଟଳିଯାଇଥିବାବେଳେ ଏବେ ଅଧିକାଂଶ ଚାଷ ଜମିରେ ପାଣି ଜମି ରହିଛି। ତେବେ ଆସନ୍ତା ୪୮ଘଣ୍ଟା ଭିତରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ରୁ ୨୬ ପର୍ଯ୍ୟନ୍ତ ବର୍ଷା ଲାଗିରହିବାର ସମ୍ଭାବନା ରହିଛି। ଫଳରେ ବର୍ଷା ପାଣି ଭରି ରହିଥିବା ଅଞ୍ଚଳରେ ଜଳ ନିଷ୍କାସନ ନେଇ ସମସ୍ୟା ଦେଖାଦେବା ସହିତ ପୂର୍ବରୁ ଫୁଲିଥିବା ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ଆସନ୍ତାକାଲି ପାଇଁ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ପରବର୍ତ୍ତୀ ତିନିଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତାକାଲି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ ଭଳି ୧୨ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ୨୪ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦୁଝର, ଅନୁଗୋଳ ଓ ମୟୂରଭଞ୍ଜ ଆଦି ୧୦ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ଏହାଛଡ଼ା ଦେବଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

ଆସନ୍ତା ୨୫ ଓ ୨୬ ତାରିଖରେ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ଲଘୁଚାପ ସମୟରେ ସମୁଦ୍ର ଉପକୂଳରେ ବର୍ଷା ସହିତ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ୨୫ରୁ ୨୭ତାରିଖ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

Comments are closed.