ଓଡ଼ିଶାକୁ ନାହିଁ ଅବପାତ ବିପତ୍ତି

0

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଥିଲେ ହେଁ ଏହାର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ୧୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ଅବପାତ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ଗଭୀରକୁ ନ ଯିବାପାଇଁ ବାରଣ କରାଯାଇଛି।
ଅବପାତ ପ୍ରଭାବରେ ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଆସନ୍ତାକାଲି ୯୦ରୁ ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ଏବଂ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖରେ ପବନର ବେଗ ଅଧିକ ରହିବାର ଆକଳନ କରାଯାଇଛି। ଓଡ଼ିଶାର ସମସ୍ତ ବନ୍ଦରରେ ଏକ ନମ୍ବର ବିପଦସଙ୍କେତ ଜାରି କରାଯାଇଛି। ତୀବ୍ର ଅବପାତ ସାମୁଦ୍ରିକ ଝଡ଼ର ରୂପ ନେବା ପରେ ପବନର ବେଗ ୮୦ରୁ ୯୦-୧୦୦ ଏବଂ ସ୍ଥଳ ବିଶେଷରେ ୧୧୦ କିମିକୁ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Leave A Reply