୨୯ରେ ଆଣ୍ଡାମାନରେ ଲଘୁଚାପ : ୪ଦିନ ଘୂର୍ଣ୍ଣିଝଡ଼, ୨୪ ଘଣ୍ଟାରେ ୧୦ ଜିଲାରେ ପ୍ରବଳ ଝଡ଼ବର୍ଷା

ବଜ୍ରପାତରେ ୭ ମୃତ

ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ଏହି ଅଧିକ ସକ୍ରିୟ ହେବ । ଏହାର ପ୍ରଭାବରେ ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଓଡ଼ିଶାକୁ ଏହା ପ୍ରଭାବିତ କରିବାର ସ୍ପଷ୍ଟ ସୂଚନା ନଥିଲେ ହେଁ ଏହାର ପ୍ରଭାବରେ ଝଡ଼ବର୍ଷା ହୋଇପାରେ। ଉପକୂଳ
ଓଡ଼ିଶା ସମେତ ଅଧିକାଂଶ ଜିଲାରେ ୫୦କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବି​‌େ​‌ଶଷ କରି ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଓ ଯାଜପୁରରେ କିଛି ସ୍ଥାନରେ କୁଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବ। ଏହାଛଡ଼ା ଅବଶିଷ୍ଟ ଜିଲାଗୁଡ଼ିକରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବର୍ଷା ହୋଇପାରେ ।
ଆସନ୍ତା ୨୬ରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ଲାଗିରହିବ। ଏଥିସହିତ ସୋନପୁର, ଅନୁଗୋଳ, ବୌଦ୍ଧ, ଢ଼େଙ୍କାନାଳ ଓ କନ୍ଧମାଳରେ ୪୦ରୁ ୫୦କିମି ବେଗରେ ପବନ ବହିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ଦେବଗଡ଼ ଓ ଅନୁଗୋଳରେ କୁଆପଥର ବୃଷ୍ଟି ଏବଂ ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟାନ୍ୟ ଜିଲାରେ ୩୦ରୁ ୪୦କିମି ବେଗରେ ପବନ ଓ ବର୍ଷାର ସମ୍ଭାବନା ରହିଛି। ୨୭ତାରିଖରେ ୫ଟି ଜିଲାରେ ପ୍ରବଳ ବର୍ଷା ଓ ପବନ ସହିତ କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ୨୮ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ଝଡ଼ବର୍ଷା ହେବ।
ରାଜ୍ୟର ଦୁଇଟି ଜିଲାକୁ ଛାଡ଼ିଦେଲେ ଅନ୍ୟାନ୍ୟ ଜିଲାରେ ପାରଦ ପ୍ରାୟ ୪୦ଡ଼ିଗ୍ରୀ ତଳେ ରହିଛି। ଶୁକ୍ରବାର ସର୍ବାଧିକ ତାପମାତ୍ରା ମାଲକାନଗିରିରେ ୪୧ ଓ ଟିିଟିଲାଗଡ଼ରେ ୪୦ ଡ଼ିଗ୍ରୀ ଉପରେ ଥିଲା ।
ଏବେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗିରହିଛି। କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଦୀର୍ଘ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା। ଏସବୁ ଜିଲାରେ ବଡ଼ ଧରଣର ବଜ୍ରପାତରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବା ଖବର ମିଳିଛି। ରାଜ୍ୟର ଅଧିକାଂଶ ଜିଲାରେ ବଜ୍ରପାତରେ ଧନଜୀବନ ପ୍ରଭାବିତ ହୋଇଛି। ଗତ ୨୪ଘଣ୍ଟା ଭିତରେ ବାଲେଶ୍ବରରେ ସର୍ବାଧିକ ୭୭ମିମି ବର୍ଷା ରେକର୍ଡ଼ କରାଯାଇଛି। ବାରିପଦାରେ ୭୦ , ଚାନ୍ଦବାଲିରେ ୬୭ ମିମି ବର୍ଷା ହୋଇଥିବାବେଳେ ପାରାଦ୍ବୀପରେ ୪୫, ଅନୁଗୋଳରେ ୩୬, କେନ୍ଦୁଝରରେ ୨୨, ତାଳଚେରରେ ୨୦, ସମ୍ବଲପୁର ଓ ସୋନପୁରରେ ୧୦, ବଲାଙ୍ଗୀରରେ ୨୩, ବୌଦ୍ଧରେ ୧୫ ମିମି ବର୍ଷା ହୋଇଛି।

ବଜ୍ରପାତରେ ୭ ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ ବଜ୍ରପାତ ଘଟି ୨ ମହିଳାଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲାରେ ୩ ଜଣ, କେନ୍ଦୁଝର ଜିଲାରେ ୨ ଜଣ ଓ ବାଲେଶ୍ୱର ଏବଂ ଅନୁଗୁଳ ଜିଲାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲାର ଝୁମ୍ପୁରା ବ୍ଲକର ବଳଭଦ୍ରପୁର ଗାଁର ଉର୍ମିଳା ମୁଜି(୪୫) ଓ ସରୁପଳତା ଗାଁର ରାଣ୍ଡ ମୁଣ୍ଡା। ରାଣ୍ଡ ମୁଣ୍ଡା ନିଜ ବାଡ଼ିରେ କାମ କରୁଥିବା ବେଳେ ଉର୍ମିଳା ବ୍ୟାଙ୍କରୁ କାମ ସାରି ଘରକୁ ଫେରୁଥିଲେ। ଉର୍ମିଳାଙ୍କ ସାଥୀରେ ଥିବା ଯାତ୍ରୀ ମହାକୁଡ଼ ଆହତ ହେବାରୁ ତାଙ୍କୁ ଚମ୍ପୁଆ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲାର ବଅଁରପାଳରେ ମଧ୍ୟ ବଜ୍ରପାତରେ ଜଣେ ଯୁବକଙ୍କ
ମୃତ୍ୟୁ ହୋଇଛି। ମୃତକଙ୍କ ନାମ ବାବାଜୀ ନାୟକ(୪୦) ।
ବାଲେଶ୍ୱର ସଦରବ୍ଲକ ଅନ୍ତର୍ଗତ ରସଲପୁର ପଂଚାୟତର ବଡ଼ଧନାଡ଼ି ଗ୍ରାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କଟେନ୍ଦ୍ର ମାଝୀଙ୍କ ପୁଅ ସିଦ୍ଧାର୍ଥ (୨୧)। ସେ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ। ଏହି ସମୟରେ ବଜ୍ରଘାତ ହୋଇଥିଲା।
ସେହିଭଳି ଖୁଣ୍ଟା ଥାନା ଅଧୀନରେ ବଜ୍ରପାତ ଘଟି ଗୋଟିଏ ଗାଁର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି; ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ(୨୨), ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର(୨୬) ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ(୧୯) ମାଛ ଧରିବା ପାଇଁ ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିବା ବେଳେ ସେହି ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା ଝଡ଼ ତୋଫାନ ସଙ୍ଗେ ବଜ୍ରପାତ ହୋଇଥିଲା l

Comments are closed.