ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୬ଜିଲାକୁ ରେଡ ୱାର୍ଣ୍ଣିଂ, ୧୧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦେଶ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ଜନିତ ସୃଷ୍ଟି ଯୋଗୁ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପଜନିତ ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୬ ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଏବଂ ଅନୁଗୋଳ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଏସବୁ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

ସେହିପରି ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ୧୧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଲଘୁଚାପଜନିତ ବର୍ଷା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହଠାତ୍ ବନ୍ୟା ପରିସ୍ଥିତି ଉପୁଜି ପାରେ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇ ପାରେ। ଲଗାତର ବର୍ଷା ଯୋଗୁ ଅଧିକାଂଶ ନଦୀ, ନାଳରେ ଜଳର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ। ଏସଆରସି ମଧ୍ୟ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ତଳତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି ଏବଂ ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ କରିବା ସହିତ ସେଠାରୁ ଜବରଦଖଲ ହଟାଇବା, ଜିଲା ପ୍ରଶାସନ ଓ ପୁଲିସ୍‌ର ସହାୟତା ନେବା, ସହରାଞ୍ଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ୍ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ପଡୁଥିବା ଜାଳେଣି ଗଚ୍ଛିତ ରଖିବାକୁ ଏସ୍‌ଆରସି ନିର୍ଦେଶ ଦେଇଛନ୍ତି। ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ସହିତ ଯେଭଳି କୌଣସି ସ୍ଥାନରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ଏସ୍‌ଆର୍‌ସି ନିର୍ଦେଶ ଜାରି କରିଛନ୍ତି।

Comments are closed.