ଅବପାତ ରୂପ ନେଲା ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା

ବିପଦ ସଂକେତ ଉପରେ ଜଳକା, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା, ୨୩ ଜିଲାକୁ ସତର୍କ ସୂଚନା, ଏସ୍‌ଆର୍‌ସିଙ୍କ ସତର୍କ ପରାମର୍ଶ

ପୁରୀରେ ୧୯୫.୮ ମିମି, ପାରାଦ୍ବୀପରେ ୧୬୯.୪ ମିମି, ଭୁବନେଶ୍ବରରେ ୧୩୩.୩ ମିମି ବର୍ଷା

ଭୁବନେଶ୍ବର : ଉତ୍ତର ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଛି । ରବିବାର ସକାଳ ପ୍ରହରରୁ ଅବିଶ୍ରାନ୍ତ ବର୍ଷା ହୋଇଛି। ବର୍ଷା ଦ୍ବାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଗୁଡିକରେ ଜଳମଗ୍ନ ହୋଇପଡିଛି। ବାଲେଶ୍ବର ଜିଲା ଜଳକା ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି। ଜଳକାରେ ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ୫.୬ ମିଟର ଉପରେ ଜଳର ପ୍ରବଳ ସୁଅ ଚାଲୁଛି। ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି ଯେ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହୋଇ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଅତିକ୍ରମ କରିବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ, ଅନୁଗୋଳ, ସୋନପୁର ଏବଂ ବରଗଡ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଲଘୁଚାପ ଛତିଶଗଡ ମୁହାଁଇବା ସମ୍ଭାବନା ଯୋଗୁଁ ମହାନଦୀର ଉପରେ ମୁଣ୍ଡରେ ପ୍ରବଳ ବର୍ଷା ହେଲେ ବନ୍ୟା ପରିସ୍ଥିତି ଉପୁଜିପାରେ। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୯୫.୮ମିମି, ପାରାଦ୍ବୀପରେ ୧୬୯.୪ ମିମି, ଭୁବନେଶ୍ବରରେ ୧୩୩.୩ମିମି ବର୍ଷା ହୋଇଛି। ରବିବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ମଧ୍ୟରେ ପୁରୀରେ ୧୪୫ ମିମି, ଭୁବନେଶ୍ବରରେ ୧୧୯.୧ ମିମି, ଟିଟିଲାଗଡରେ ୪୮.୮ ମିମି, ଚାନ୍ଦବାଲିରେ ୨୪ ମିମି ଓ ବାରିପଦାରେ ୨୦ ମିମି ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଲଘୁଚାପ ପ୍ରଭାବରେ ବିଶେଷ ଭାବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ହେବା ଦ୍ବାରା ଇସ୍କନ ମନ୍ଦିର ସମ୍ମୁଖରେ ୪ଫୁଟ ଉଚ୍ଚର ପାଣି ଜମି ରହିଥିଲା। ପାଣି ଭିତରେ ଗାଡି ଫସି ରହିବା ସହ ରାସ୍ତାପାର୍ଶ୍ବରେ ଥିବା ଦୁଇ ଚକିଆ ଯାନ ବୁଡି ଯାଇଥିଲା। କଟକ, ଜଗତସିଂହପୁର, ପାରାଦ୍ବୀପ, କେନ୍ଦ୍ରାପଡା, ନୟାଗଡ, ଖୋର୍ଦ୍ଧା, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ହେଉଛି। ସକାଳୁ ଘଡ଼ଘଡ଼ି ସହ ବର୍ଷା ଏହି ସବୁ ସହରରେ ଲାଗି ରହିଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ପାଣି ଜମି ରହିବାରୁ ପ୍ରଶାସନ ପକ୍ଷରୁ ପମ୍ପ ଲଗାଇ ନିଷ୍କାସନ କରାଯାଇଛି। ଜଗତସିଂହପୁର, ପାରାଦ୍ବୀପ ଓ କୁଜଙ୍ଗ ଅଞ୍ଚଳରେ ପାଣି ଜମିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲା ଗୁଡିକୁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଲାଲ୍‌ରଙ୍ଗର ଚେତାବନୀ (ରେଡ ୱାର୍ଣ୍ଣିଂ) ଜାରି କରାଯାଇଛି। ସେହିଭଳି ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲାଗୁଡିକୁ କମଳା ରଙ୍ଗର ଚେତାବନୀ (ଅରେଞ୍ଜ ୱାର୍ଣ୍ଣିଂ) ଦିଆଯାଇଛି। ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜୁପର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ଜିଲାଗୁଡିକୁ ହଳଦିଆ ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଜାରି କରିଛି ପାଣିପାଗ କାର୍ଯ୍ୟାଳୟ। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ମଝିରେ ମଝିରେ ପବନର ବେଗ ୬୫ କିଲୋମିଟର ଛୁଇଁବ। ରାଜ୍ୟର ସମସ୍ତ ବନ୍ଦର ଗୁଡିକ ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ କଚ୍ଚାଘର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ସହରାଞ୍ଚଳରେ ରାସ୍ତା ପାର୍ଶ୍ବରେ ପାଣି ଜମିବା ସହ ଟ୍ରାଫିକ ଭିଡ ପରିସ୍ଥିତି ଉପୁଜିପାରେ। ସୁରକ୍ଷିତ ଭାବେ ଘରେ ରହିବାକୁ ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୧୫ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ବର୍ଷା ମୁକାବିଲା ପାଇଁ ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି) ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି। ନାଲି ଓ କମଳା ଚେତାବନୀ ଜାରି ହୋଇଥିବା ଜିଲାର ଅଧିବାସୀଙ୍କୁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ମଧ୍ୟ ଉପୁଜିପାରେ।
ଏଥିପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଜିଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ବିଡିଓ, ତହସିଲଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତ କର୍ମଚ‌ାରୀଙ୍କୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଅାଯାଇଛି।

Comments are closed.