ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ : ରବିବାରଠାରୁ ପ୍ରବଳ ବର୍ଷା ସମ୍ଭାବନା

ଚେନ୍ନଇ : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଚେନ୍ନାଇସ୍ଥିତ ଭାରତୀୟ ପାଣିପାଗ ବିଭାଗରୁ ପ୍ରକାଶିତ ଏକ ବୁଲେଟିନ୍‍ ଅନୁସାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୪ ଘଣ୍ଟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବାର ସମ୍ଭାବନା ଅଛି। ସୋମବାର ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗକୁ ଛୁଇଁବାର ଅନୁମାନ କରାଯାଉଛି।

ଏହାର ପ୍ରଭାବରେ ତାମିଲନାଡ଼ୁର ୧୬ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ହେବ। ତିରୁବନ୍ନାମଲାଇ ଜିଲ୍ଲାର ପୋଲୁର୍‍ ରେ ଗତ ୨୪ ଘଣ୍ଟା ଧରି ୧୨ ସେଣ୍ଟିମିଟର ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ମଙ୍ଗଳବାର ପର୍ଯ୍ୟନ୍ତ ମନ୍ନାର ଉପସାଗର, କୋମରିନ୍‍ ସାଗର ଓ ଅଣ୍ଡାମାନ ସାଗର ଓ ରବିବାର ପରଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରୁ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆ ଯାଇଛି।

ତେବେ ଏହାର ପ୍ରଭାବରେ ରିବବାର ଦିନ ଗଜପତି, ଗଞ୍ଜାମ, ରାୟଗଡା, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.