ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବାହାଘର : ବାନ୍ଧିହେଲେ ପ୍ରବାସୀ ପ୍ରେମୀଯୁଗଳ

ନିମାପଡା : ପୁରୀ ଜିଲା ନିମାପଡା ବ୍ଲକ ଶଗଡା ପଞ୍ଚାୟତ ଜୟଦୁର୍ଗା କଲ୍ୟାଣ ମଣ୍ଡପରେ କରୋନା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରବାସୀ ଓଡିଆ ପ୍ରେମୀଯୁଗଳଙ୍କ ନିଆରା ବାହାଘର ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ଶଗଡା ଗ୍ରାମର ସୌରଭ ଦାସ (୨୦) ଓ ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗ୍ରାମର ପିଙ୍କିରାଣୀ ଦାସ(୧୯)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହି ପ୍ରେମୀଯୁଗଳ ବର୍ଷେ ତଳେ ଘର ଛାଡି ଗୁଜରାଟର ଅହମ୍ମଦାବାଦ ସହରକୁ ପଳାଇ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ । କରୋନା ଲକ୍‌ଡାଉନ ଯୋଗୁ ଉଭୟ ନାମ ପଞ୍ଜୀକରଣ କରି ଓଡ଼ିଶା ଫେରି ଶଗଡା ଜୟଦୁର୍ଗା ସରକାରୀ କଲ୍ୟାଣ ମଣ୍ଡପ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିଲେ । ସ୍ୱାବ ପରୀକ୍ଷାରେ ସୌରଭ ଓ ପିଙ୍କିରାଣୀଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସେମାନଙ୍କ ୧୪ ଦିନ ରହଣି ପୂରିଥିଲା । ଦୁର୍ହେ ଦୁହିଁଙ୍କୁ ଭଲ ପାଇ ଆସୁଥିବା ଏବଂ ବାହାଘର ହୋଇନଥିବା କଥା ଉଭୟ ଉକ୍ତ ପଞ୍ଚାୟତର ଜନପ୍ରତିନିଧି ଏବଂ ଦାୟିତ୍ୱରେ ଥିବା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ଜଣାଇଥିଲେ ।

ଆଜି ବାହାରିବା ପରେ ସନ୍ଧ୍ୟାରେ ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବରପିତା ଭାବେ ଶିକ୍ଷକ ମୋହନ ସାହୁ ଓ କନ୍ୟାପିତା ଭାବେ ଶିକ୍ଷକ ଭଗବାନ ସେଠୀ କାର୍ଯ୍ୟ ତୁଲାଇଥିଲେ । ବିବାହ ସମୟରେ ବର, କନ୍ୟା ଓ ଉପସ୍ଥିତ ଜନପ୍ରତିନିଧି,ସରକାରୀ କର୍ମଚାରୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିଥିଲେ ।

ଜିଲାପରିଷଦ ସଭ୍ୟା ସ୍ୱର୍ଣ୍ଣଲତା ପ୍ରଧାନ, ସରପଞ୍ଚ ଅମିତା ମଲ୍ଲିକ,ସମିତି ସଭ୍ୟ ଗଗନ ପଲେଇ,ପୂର୍ବତନ ସରପଞ୍ଚ ଭାଗ୍ୟଧର ଖଟୋଇ, ୱାର୍ଡସଭ୍ୟ ଇଶ୍ୱର ବେହେରା, ଆଶାକର୍ମୀ କାବେରୀ ପ୍ରଧାନ, ଅଙ୍ଗନବାଡି କର୍ମୀ ସ୍ନେହଲତା ସେଠୀ ପ୍ରମୁଖ ଏଥିରେ ସହଯୋଗ କରି ନବଦମ୍ପତିଙ୍କୁ ସୁଖମୟ ଜୀବନ ପାଇଁ ଆଶୀର୍ବାଦ କରିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.