ପ୍ରେମିକ-ପ୍ରେମିକାଙ୍କୁ ନୂତନ ଜୀବନ ଦେଲେ ସମାଜସେବୀ, ବିବାହ କରାଇ ଦେଲେ ନୂଆ ପରିଚୟ 

ଫୁଲବାଣୀ: ଦୀର୍ଘ ଦିନ ଧରି ଉଭୟେ ଉଭୟଙ୍କୁ ଭଲପାଉଥିଲେ। କିନ୍ତୁ ବିବାହ ପାଇଁ ଉଭୟ ପରିବାର ପକ୍ଷରୁ ମିଳି ନ ଥିଲା ସ୍ୱୀକୃତି। ଶେଷରେ ଉଭୟ ଆତ୍ମହତ୍ୟା କରିବାପାଇଁ ନେଇଥିଲେ ଚରମ ନିଷ୍ପତି। ଏପରିକି ଭୁଲ୍‍ ବୁଝାମଣା ଯୋଗୁଁ ଯୁବତୀ ଜଣକ ନିଜ ହାତ କାଟିଦେଇଥିବା ବେଳେ ଯୁବକ ଜଣକ ମଧ୍ୟ ଆତ୍ମହତ୍ୟା ପାଇଁ ସଂପୂର୍ଣ୍ଣଭାବେ ପ୍ରସ୍ତୁତି ହୋଇଥିଲେ। ତେବେ ଯୁବତୀ ଜଣକ ହାତ କାଟିବା ପରେ ଖବର ଯାଇ ପହଞ୍ଚିଥିଲା ସମାଜସେବୀ ଚନ୍ଦ୍ର ମୋହନ ନାୟକଙ୍କ ପାଖରେ। ଖବର ପାଇ ସେ ଯୁବତୀଙ୍କ ଘରେ ପହଞ୍ଚିବା ସହିତ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଯୁବତୀଙ୍କଠାରୁ ସୂଚନା ପାଇଁ ସମାଜସେବୀ ପହଞ୍ଚିଥିଲେ ଯୁବକଙ୍କ ପାଖରେ ଯିଏ ପ୍ରସ୍ତୁତ ହେଉଥିଲେ ଆତ୍ମହତ୍ୟା ପାଇଁ। ଉଭୟଙ୍କ ଉଦ୍ଧାର କରିବା ପରେ ହୋଇଥିଲା ରାତ୍ର ପ୍ରାୟ ୧୦ଟା ସମୟରେ ବିବାହ ସଂପୂର୍ଣ୍ଣ। ଏଥିରେ ସହଯୋଗ କରିଥିଲେ ଅନ୍ୟତମ ସମାଜସେବୀ ବେଣୁଧର ମୁଖୀ। ଶେଷରେ ଦଶହରା ଦିନ ରାତ୍ରରେ ବିବାହ କରାଇଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ସମାଜସେବୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ୨ଟି ଜୀବନ ବଞ୍ଚିଯାଇଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ତେବେ ଉଭୟ ପ୍ରେମିକ-ପ୍ରେମିକା ସାବାଳକ ବୋଲି ଜଣାଯାଇଛି। ପ୍ରେମି ଯୁଗଳଙ୍କ ବାହାଘର କରାଇ ଏକ ଉଦାହରଣ ମଧ୍ୟ ସାଜିଛନ୍ତି ଉଭୟ ସମାଜସେବୀ। ଦଶହରା ଦିନ ଏହି ଜଗନ୍ନାଥ ମନ୍ଦିର ପରିସରରେ ଥିବା ଦୁର୍ଗା ମଣ୍ଡପରେ ଏହି ବିବାହ କରାଯାଇଥିବା ପ୍ରକାଶ।

ଖବର ପ୍ରକାରେ, ଫିରିଙ୍ଗିଆ ବ୍ଲକ କାଶିନିପଦର ପଂଚାୟତ ଅନ୍ତର୍ଗତ ତରଘାବାଲି ଗ୍ରାମର ଜଣେ ଯୁବକ ଫିରିଙ୍ଗିଆ ସହରର ଜଣେ ସାବାଳକ ଝିଅକୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ। କିନ୍ତୁ ବିବାହ ପାଇଁ ପାରିବାରିକ ସ୍ୱୀକୃତି ମିଳିନଥିଲା। ଶେଷରେ ଉଭୟ ପ୍ରେମିକ ଓ ପ୍ରେମିକା ଦଶହରା ଦିନ ମୋବାଇଲରେ କିଛି ଭିଡ଼ିଓ ସୁଟିଂ କରି ଆତ୍ମ ହତ୍ୟା କରିବା ପାଇଁ ସ୍ଥିର କରିଥିଲେ। ଉଭୟ ଉଭୟଙ୍କୁ ମଧ୍ୟ ସମୟ ଦେଇଥିଲେ। ଯୁବକ ଜଣକ ପୂର୍ବ ପ୍ରସ୍ତୁତି ପ୍ରକାରେ ଆସି ଏକ ସ୍ଥାନରେ ଅପେକ୍ଷା କରିବା ସହିତ ସେହିଦିନ ତାହାର ଜୀବନର ଶେଷଦିନ ବୋଲି ଚିନ୍ତା କରି ଆତ୍ମବିଭୋର ହେବା ସହିତ ଖୁସିରେ କିଛି ନିଶା ଦ୍ରବ୍ୟ ସେବନ କରିଥିଲେ। ତେବେ ସମୟ ମୁତାବକ ଯୁବକ ଜଣକ ଯୁବତୀଙ୍କ ପାଖରେ ପହଞ୍ଚିନଥିବାରୁ ଯୁବଜୀ ଜଣକ ନିଜ ହାତକୁ ନିଜେ କାଟିଦେଇଥିିଲେ। ହାତ କାଟିବା ପରେ ପ୍ରବଳ ରକ୍ତଶ୍ରାବ ଯୋଗୁଁ କଥା ପ୍ରଘଟ ହୋଇଥିବା ବେଳେ ଖବର ପାଇ ପହଞ୍ଚିଥିଲେ ସମାଜସେବୀ ଚନ୍ଦ୍ର ମୋହନ। ସଂପୂର୍ଣ୍ଣ ଖବର ଜାଣିବାରେ ଏକ ସ୍ଥାନରେ ଅପେକ୍ଷା କରିଥିବା ଯୁବକଙ୍କ ପାଖରେ ପହଞ୍ଚି ତାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ସମୟ ମୁତାବକ ଯୁବତୀ ଜଣକ ତାଙ୍କ ପାଖରେ ପହଞ୍ଚି ନଥିବାର ଯୁବକ ଜଣକ ମଧ୍ୟ ଆତ୍ମହତ୍ୟା ପାଇଁ ନେଇଥିଲେ ଚରମ ନିଷ୍ପତି ବୋଲି ପଚାରିବାରେ ଜଣାପଡ଼ିଛି ବୋଲି ପ୍ରକାଶ କରିଛନ୍ତି ସମାଜସେବୀ। ସଂପୂର୍ଣ୍ଣ ଘଟଣା ଜାରିବା ପରେ ଉଭୟଙ୍କ ମଧ୍ୟରେ ଭୁଲ୍‍ ବୁଝାମଣା ଯୋଗୁଁ ଉଭୟ ଉଭୟଙ୍କ ପାଖରେ ପହଞ୍ଚି ପାରି ନ ଥିବା ଯୋଗୁଁ ଏକ ନିଶ୍ଚିତ ଆତ୍ମହତ୍ୟାରୁ ଉଭୟ ବର୍ତ୍ତିଥିବା ବେଳେ ସମାଜେସବୀଙ୍କ ହସ୍ତକ୍ଷେପ ପରେ ଉଭୟଙ୍କ ବିବାହ ହୋଇଥିଲା। ବର୍ତ୍ତମାନ ପ୍ରେମୀ ଯୁଗଳଙ୍କୁ ଉଭୟ ପରିବାର ଲୋକେ ସ୍ୱିକାର କରିଥିବା ବେଳେ ନବ ବିବାହିତ ପ୍ରେମୀ ଯୁଗଳଙ୍କୁ ଉଭୟ ପରିବାରର ସଦସ୍ୟମାନେ ଆଶିର୍ବାଦ ମଧ୍ୟ ଦେଇଥିବା ଜଣାପଡିଛି। ଯୁବକ ଜଣକ ଏକ ଲେଦ୍‍ରେ କାମ କରୁଥିବା ବେଳେ ସେ ଘରର ଏକ ମାତ୍ର ପୁଅ ଅଟନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏଭଳି ୨୫ ଜଣ ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଦରେ ବାନ୍ଧିଥିବାର ସମାଜସେବୀ ଶ୍ରୀ ନାୟକ ପ୍ରକାଶ କରିଥିବା ବେଳେ ସମସ୍ତେ ଭଲରେ ଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି।

Comments are closed.