ପ୍ରେମିକ ଏଏସ୍‌ଆଇ ନିଲମ୍ବିତ

ଯୁବତୀଙ୍କୁ ଏସିଡ୍‌ ପକାଇବା ଧମକ

ଭୁବନେଶ୍ୱର : ଫେସ୍‌ବୁକ୍‌ରେ ଯୁବତୀଙ୍କ ସହିତ ବନ୍ଧୁତା। ପରେ ସମ୍ପର୍କ ବଢ଼ାଇ ପ୍ରେମ ନିବେଦନ କରିବାକୁ ଉଦ୍ୟମ। ଏଥିରେ ବିଫଳ ହେବା ପରେ ଯୁବତୀଙ୍କୁ ଧମକ ଦେଇଛନ୍ତି ଜଣେ ଏଏସ୍‌ଆଇ।
ଯୁବତୀଙ୍କୁ ଏସିଡ୍‌ ପକାଇବା ଭଳି ଧମକ ଦେଇ ଏଏସ୍‌ଆଇ ଜଣକ ଅଡୁଆରେ ପଡ଼ିଛନ୍ତି। ଯୁବତୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ଏସସିଆରବି(ରାଜ୍ୟ ଅପରାଧ ନଥି ବ୍ୟୁରୋ)ରେ କାର୍ଯ୍ୟରତ ଏଏସ୍‌ଆଇ ସୁବ୍ରତ ଜ୍ଞାନରଞ୍ଜନଙ୍କୁ ଗିରଫ କରିଛି। ଏସ୍‌ସିଆର୍‌ବିର କୋଭିଡ୍‌ କ‌େ‌ଣ୍ଟ୍ରାଲ୍‌ରୁମ୍‌ ନମ୍ବରକୁ ଦୂରୁପଯୋଗ କରିଥିବା ଏଏସ୍‌ଆଇ ସୁବ୍ରତଙ୍କୁ ନିର୍ଦେଶକ ରାଜେଶ କୁମାର ନିଲମ୍ବନ କରିଛନ୍ତି। କୋଭିଡ୍‌ ସହାୟତା ପାଇଁ ପାସ୍‌ ଯୋଗାଇ ଦେବା ଲାଗି କ‌େ‌ଣ୍ଟ୍ରାଲ୍‌ରୁମ୍‌ରେ ସୁବ୍ରତ କାର୍ଯ୍ୟ କରୁଥିଲେ। ମହିଳା ଥାନା ପୁଲିସ ରାତିରେ ସୁବ୍ରତଙ୍କ ବୟାନ ରେକର୍ଡ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ।
ପୁଲିସ ସୂଚନା ଅନୁସାରେ ଗିରଫ ଏଏସ୍‌ଆଇ ସୁବ୍ରତଙ୍କର ୨ ସନ୍ତାନ ଅଛନ୍ତି। ତଥାପି ତାଙ୍କର ନିଶା
ଛାଡ଼ିନାହିଁ। ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। କଟକ ଅଞ୍ଚଳର ଏହି ଯୁବତୀଙ୍କ ଫୋନ୍‌ ନମ୍ବର ସଂଗ୍ରହ କରି ପରେ ହ୍ବାଟ୍‌ସ୍‌ଆପ୍‌ ମାଧ୍ୟମରେ ପ୍ରେମ ନିବେଦନ କରିଥିଲେ। ସେଥିରେ ଅସଫଳ ହେବା ପରେ ତାଙ୍କୁ ଏସିଡ୍‌ ପକାଇ ମାରିଦେବାକୁ ଧମକ ଦେଇଥିଲେ। ଯୁବତୀ ଜଣକ କଟକର ଚାଉଳିଆଗଞ୍ଜ ଓ ଜଗତପୁର ଥାନାରେ ଏତଲା ଦେଇଥିଲେ। ପରେ ସୋମବାର ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଏହାର କିଛି ଦିନ ପୂର୍ବରୁ କ୍ୟାପିଟାଲ ଥାନାର ଏସ୍‌ଆଇ ରାକେଶ ସାମଲ ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିିଶ୍ରୁତି ଦେଇ ସମ୍ପର୍କ ବଢ଼ାଇଥିଲେ। ପରେ ତାଙ୍କୁ ପ୍ରତାରଣା କରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ ବୋଲି ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଆଇ ରାକେଶଙ୍କୁ ନିଲମ୍ବନ କରାଯାଇଥିଲା।

Comments are closed.