ମୌଳିକ ସୁବିଧାରୁ ବଞ୍ଚିତ ଗୋବିନ୍ଦପୁର ପଞ୍ଚାୟତର ଟାଙ୍ଗିଲିପଦର ଗାଁ

ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ ରହିଥିବା ୩୯ଟି ପଞ୍ଚାୟତ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ। ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏଠାକାର ବିପର୍ୟ୍ୟସ୍ତ ରାସ୍ତା ସାଙ୍ଗକୁ ବିଦ୍ୟୁତ ତାର ଧରି ଭରା (ଉଛୁଳା) ନଦୀ ପାର ହେବା, କୂଅ ଓ ଚୁଆଁର ଦୂଷିତ ଜଳ ବ୍ୟବହାର କରିବା, ଅନଲାଇନରେ ପାଠପଢ଼ା ପାଇଁ ପାହାଡ଼ ଓ ଗଛ ଚଢିବା, ଝାଟିମାଟି କୁଡିଆ ଘରେ ବାସ କରିବା ଉପାନ୍ତ ଅଞ୍ଚଳ ଲୋକଙ୍କ ନିତିଦିନିଆ ଘଟଣା। ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ବିକାଶର ଛାପ ଏଠି ଅପହଞ୍ଚ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଲୋକେ କିନ୍ତୁ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ପଞ୍ଚାୟତ ନିର୍ବାଚନ ଆସିଲେ ୱ।ର୍ଡ ମେମ୍ବର ଠାରୁ ସରପଞ୍ଚ, ବିଧାୟକ, ସାଂସଦ ଗାଁ ଗାଁ ବୁଲି ଭୋଟ ଭିକ୍ଷା ମାଗିଥାନ୍ତି। ଗାଁରେ ରହିଥିବା ସମସ୍ୟାର ସମାଧାନ କରିଦେବୁ ବୋଲି ପ୍ରତିଶୃତି ଦେଇଥାନ୍ତି କିନ୍ତୁ ଜିତି ଗଲା ପରେ ସବୁ କଥା ଭୁଲିଯାଆନ୍ତି। ଏଭଳି କୁଜି ନେତାଙ୍କ କଥା ଶୁଣି ଶୁଣି ଗ୍ରାମର ମୌଳିକ ସୁବିଧା ପୂରଣ ନହେବାରୁ ଗତ ୨୦୧୭ ଫେବୃଆରୀ ୨୧ର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିଲେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନ ଦୁର୍ଗମ ଆଦିବାସୀ ଓ ଦଳିତ ବର୍ଗର ଗାଁ ‘ଟାଙ୍ଗିଲିପଦର ‘କ୍ଷଏହି ଗ୍ରାମରେ ୧୦୦ ପରିବାରର ୪ ଶହରୁ ଉର୍ଦ୍ଧ୍ଵ ଲୋକ ବସବାସ କରନ୍ତି। ଭୋଟର ସଂଖ୍ୟା ୨୩୦ ଓ ଗ୍ରାମର ଲୋକମାନେ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବାହାରେ ବିକ୍ରୀ କରି ଓ କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ଗ୍ରାମକୁ ଲାଗି ଦୁଇ ପାର୍ଶ୍ଵରେ ମୋହନା ବ୍ଳକ ଓ ପଞ୍ଚାୟତକୁ ମାଟି ରାସ୍ତା ଥିଲେ ମଧ୍ୟ ନଥିବା ସଙ୍ଗେ ସମାନ।

ବ୍ଳକ ଠାରୁ ୧୩ କିମି ଦୂରରେ ରହିଛି ଟାଙ୍ଗିଲିପଦର ଗ୍ରାମ। ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ରାଇସିଂ ଛକ ଠାରୁ ରାଇସିଂ ଗ୍ରାମ ପର୍ୟ୍ୟନ୍ତ ମାତ୍ର ୩ କିମି ପିଚୁ ରାସ୍ତା ରହିଛି। ସେଠାରୁ ୭କିମି ପାହାଡ଼ିଆ ପଥୁରିଆ ରାସ୍ତାରେ ସାଇକେଲ ନେଇ ଯିବା ମଧ୍ୟ ସମ୍ଭବ ନୁହେଁ। ଗାଁ ଲୋକେ ପଞ୍ଚାୟତକୁ ଯିବାକୁ ହେଲେ ପାଦଚଲା ରାସ୍ତାରେ ୭ କିମି ଆସି ସେଠାରୁ ଅଟୋ ଭଡା କରି ୨୫ କିମି ଗୋବିନ୍ଦପୁର ପଞ୍ଚାୟତ କାର୍ୟ୍ୟାଳୟକୁ ଯାଇ ବାର୍ଦ୍ଧକ ଭତ୍ତା, ରାସନ ଚାଉଳ ଆଣିଥାନ୍ତି। ଗ୍ରାମ ପାର୍ଶ୍ଵରେ ରହିଛି ଅନ୍ୟ ଏକ ରାସ୍ତା । ଏଠାରୁ ୪ କିମି ଦୂରରେ ରହିଛି କେନ୍ଦୁପଦା ଗ୍ରାମ। ସେଠାରୁ ପଞ୍ଚାୟତକୁ ଯିବାକୁ ହେଲେ ୧୫ କିମି ଖରାପ ରାସ୍ତା ଦେଇ ଯିବାକୁ ପଡ଼େ । ଗାଁଠାରୁ କୌଣସି ଗର୍ଭବତୀ ମହିଳା କିମ୍ଵା ଗୁରୁତର ରୋଗୀଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ହେଲେ କାନ୍ଧରେ ବୋହି କିମ୍ଵା ଦୋଳା କରି ୭କିମି ଆସିବା ପରେ ଗାଡିର ସୁବିଧା ମିଳିଥାଏ। ବର୍ଷାଦିନେ ଗମନାଗମନ କରିବା ସମ୍ଭବପର ନୁହେଁ। ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ । ଗାଁଠାରୁ ୧ କିମି ଦୂରରେ ରହିଥିବା ବିଲ ମଧ୍ୟରେ ରହିଛି ଏକ ପରିତ୍ୟକ୍ତ କୂଅ। ତାହାର ଦୂଷିତ ଗୋଳିଆ ଜଳକୁ ଲୋକେ ବାଧ୍ୟ ହୋଇ ବ୍ୟବହାର କରନ୍ତି। ଏହି ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବସ୍ତୁଧା ଜଳ ପ୍ରକଳ୍ପ ଏହି ଗ୍ରାମ ପାଇଁ ସାତ ସପନ। ଗ୍ରାମର ୧୦୦ ପରିବାର ମଧ୍ୟରୁ ମାତ୍ର ୩ ପରିବାର ପାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ କାର୍ୟ୍ୟାଦେଶ। ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାର ଆବାସ ଗୃହ ନିର୍ମାଣ କରିଛନ୍ତି। ଅନ୍ୟ ୨ ପରିବାର ରାସ୍ତା ସମସ୍ୟା ଯୋଗୁଁ ଘର ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆଣିବା କଷ୍ଟ ସାଧ୍ୟ ବୋଲି କହିଛନ୍ତି। ଗ୍ରାମ ର ବହୁ ପରିବାର ଝାଟିମାଟି ଓ ଟିଣ ଛପର ଘରେ ଦୁଃଖ କଷ୍ଟରେ ରହି ଆସୁଛନ୍ତି। ବିଦ୍ୟାଳୟଟି ଭଙ୍ଗାରୁଜା ହୋଇ ପଡି ରହିଛି।

ସୂଚନା ଥାଉ କି, ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ମୌଳିକ ସୁବିଧାର ସମାଧାନ ନହେବାରୁ ଗ୍ରାମବାସୀ କରିଥିଲେ ପଞ୍ଚାୟତ ଭୋଟ ବର୍ଜନ । ସେହି ସମୟରେ ମୋହନା ତହସିଲଦାର ଟାଙ୍ଗିଲିପଦର ଗ୍ରାମରେ ପହଞ୍ଚି ଲୋକଙ୍କୁ ବହୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଭୋଟ ବର୍ଜନ କରିଥିଲେ। ଏହା ମଧ୍ୟରେ ୫ ବର୍ଷ ବିତିଗଲାଣି ପୁଣି ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଳକ କିମ୍ଵା ଜିଲ୍ଲା ପ୍ରଶାସନ ଗ୍ରାମର ସମସ୍ୟା ପ୍ରତି ଧ୍ୟ୍ୟାନ ଦେଇ ନାହାନ୍ତି। ଏଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। କେବେ ଟାଙ୍ଗିଲିପଦର ଗ୍ରାମର ଭାଗ୍ୟ ଖୋଲିବ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବେନି ସେହି ଦିନକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।

Comments are closed.