ବିକାଶ ଖୋଜୁଛି ରାସ୍ତା; ଆଦିବାସୀ ଅଧ୍ୟୁଷିତ ଜନକପୁରରେ ମୌଳିକ ସୁବିଧା ସାତ ସପନ

କାଲେମା ନାଳ ସାଜିଛି କାଳ

ମୋହନା: ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏବେବି ଆଦିବାସୀ ଅଧ୍ୟୁଷିତ ଅନେକ ଗାଁରେ ପହଞ୍ଚି ପାରିନି ବିକାଶର ଛାପ । ଲୋକଙ୍କ ପାଇଁ ମୌଳିକ ସୁବିଧା ପାଇବା ହୋଇଯାଇଛି ସାତ ସପନ। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ପାହାଡ଼ ପର୍ବତ ଘେରା ଜଙ୍ଗଲ ମଧ୍ୟରେ ଥିବା ଗାଁ ହେଉଛି ଜନକପୁର। ଏହି ଗାଁର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।

ଜନକପୁର ନିକଟରେ ରହିଥିବା ଉପର ଡକରପଙ୍କା, ତଳ ଡକରପଙ୍କା, ପୁଟାସିଂ ଓ ଡୁଲିପଙ୍କାଳ ଗ୍ରାମର ଶହ ଶହ ଲୋକେ ଚାଷବେଉସା ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିବା ସହ ଏହି ଉପାନ୍ତ ଅଞ୍ଚଳରେ ବସବାସ କରି ଆସୁଛନ୍ତି । ଜନକପୁର ଗ୍ରାମର ଜନସଂଖ୍ୟା ୧୫୫ ହୋଇଥିବା ବେଳେ ଘରସଂଖ୍ୟା ୨୭। ସେହିଭଳି ନିକଟରେ ରହିଥିବା ଗ୍ରାମ ଉପର ଡକରପଙ୍କା, ତଳ ଡକରପଙ୍କା, ପୁଟାସିଂ ଓ ଜନକପୁର ଗ୍ରାମଠାରୁ ୪ କିମି ଦୂରରେ ରହିଥିବା ନୂଆଁଗଡ ବ୍ଳକର ଡୁଲିପଙ୍କାଳ ଆଦି ଗାଁର ମୋଟ ଜନସଂଖ୍ୟା ୧୨ ଶହରୁ ଉର୍ଦ୍ଧ୍ୱ ଓ ଘର ସଂଖ୍ୟା ୩ ଶହ ରହିଛି। ପଞ୍ଚାୟତ କାର୍ୟ୍ୟାଳୟ ରାଇପଙ୍କା ଠାରୁ ଜନକପୁର ଗାଁ ମାତ୍ର ୧୧ କିମି ହେଉଥିବା ବେଳେ ଗାଁ କୁ ଯିବା ପାଇଁ ନାହିଁ ଭଲ ରାସ୍ତା । ରାସ୍ତା ପାଲଟିଛି ମରଣଯନ୍ତା । କେଉଁଠି ଆଣ୍ଠୁଏ ଆଣ୍ଠୁଏ ଖାଲ ତ ଆଉ କେଉଁଠି ରାସ୍ତା ଉପରେ ପାଣି ଜମି ରହିଥିବା ବେଳେ କେଉଁଠି ପଥର ମୁଣ୍ଡଟେକି ବିପଦକୁ ହାତ ଠାରି ଡ଼ାକୁଛି। ଗାଁ ଲୋକଙ୍କ ପାଇଁ ଏହି ରାସ୍ତାଟି ହେଉଛି ଜୀବନ ଜୀବିକାର ମାଧ୍ୟମ। ଦୈନନ୍ଦିନ ଯାତାୟତର ମାଧ୍ୟମ ହୋଇଥିବାରୁ ଏହି ରାସ୍ତାରେ ଚାଲି କରି ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଅତ୍ୟାବଶ୍ୟକୀୟ କାର୍ୟ୍ୟ ପାଇଁ ଲୋକେ ଜୀବନକୁ ବାଜି ଲଗାଇ ବହୁକଷ୍ଟରେ ଏହି ରାସ୍ତା ଦେଇ ଯାତାୟତ କରନ୍ତି । କିଏ ପିକଅପ୍ ଗାଡ଼ି ଧରି ଯାଉଛି ତ କିଏ ମୋଟର ସାଇକେଲରେ ବିପଦପୂର୍ଣ୍ଣ ସ୍ଥିତିରେ ଜୀବନକୁ ବାଜି ଲଗାଇ ଗମନାଗମନ କରନ୍ତି । ଏଭଳି ସମସ୍ୟା ଯୋଗୁଁ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ନେଟୱାର୍କ ଭଳି ଅନେକ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଥିବା ବେଳେ ପିଲାଙ୍କ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଆଡକୁ ଠେଲି ହୋଇଯାଉଛି । ନେଟଓ୍ବର୍କ ଓ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଜରୁରୀ କାଳୀନ ଚିକିତ୍ସା ପାଇଁ ୧ଙ୮ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି।

ଅପରପକ୍ଷେ ବଜାର ସଉଦା ଓ ଚିକିତ୍ସା ପାଇଁ ବିରିକୋଟ, ଅଡବା, ମୋହନା, ଓ ଚନ୍ଦ୍ରଗିରି ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡେ । ଅନ୍ୟ ଏକ ରାସ୍ତା ଜନକପୁର ଠାରୁ ଲଦିଗୁଡା ଦେଇ ବିରିକୋଟ ଗାଁ କୁ ସଂଯୋଗ କରୁଥିବା ବେଳେ ଜନକପୁର ଠାରୁ ଲଦିଗୁଡା ପର୍ୟ୍ୟନ୍ତ ୨ କିମି ରାସ୍ତା ମଧ୍ୟ ମରଣଯନ୍ତ୍ରା । ଖାଲ,ଢିପ, କାଦୁଅଭରା ହୋଇ ରହିଥିବା ବେଳେ ବାଟରେ ପଡେ ପଥରରେ ପରିପୂର୍ଣ୍ଣ କାଲେମା ନାଳ । ସାଧାରଣ ବର୍ଷାରେ ରାସ୍ତାଟି କାଦୁଅ ପଚପଚ ହେଉଥିବା ବେଳେ ବର୍ଷାଦିନେ ଓ ଅଦିନିଆ ଲଘୁଚାପ ବର୍ଷା ହେଲେ ନାଳରେ ପାହାଡର ବର୍ଷା ଜଳ ଲହଡି ଭାଙ୍ଗିବା ଯୋଗୁଁ ଯାତାୟତ ଠପ ହୋଇଯାଏ । ଫଳରେ ଏଭଳି ରାସ୍ତା ଓ ନାଳ ଦେଇ ଆମ୍ବୁଲାନ୍ସ ଆସିପାରେ ନାହିଁ। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯାହାଫଳରେ ପ୍ରସବ ବେଦନା ହେଲେ ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ଆବଶ୍ୟକ ଥିବା ରୋଗୀ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି ତ କେତେବେଳେ ରୋଗୀଙ୍କୁ ଦୋଳାରେ ବୋହି ନାଳ ପାର କରାଇଥାନ୍ତି ଅଞ୍ଚଳବାସୀ। ଗାଁରେ ନାହିଁ ଗୋଟିଏ ବି ନଳକୂପ । ଲୋକେ ବାଧ୍ୟ ହୋଇ ପରିତ୍ୟକ୍ତ କୂଅର ଦୂଷିତ ଜଳକୁ ବ୍ୟବହାର କରୁଛନ୍ତି। ଖରାଦିନେ କୂଅ ପାଣି ଶୁଖିଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୂଅର ଦୂଷିତ ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ଜନିତ, ଜ୍ୱର, କାଶ, ମେଲେରିଆ ଆଦି ବହୁ ରୋଗରେ ପୀଡିତ ହେଉଥିବା କହିଛନ୍ତି। ଗ୍ରାମରେ ବିଦ୍ୟୁତ ରହିଥିଲେ ମଧ୍ୟ ବିଭାଗର ମନମୁଖୀ କାର୍ୟ୍ୟକଳାପ ଯୋଗୁ ଦିନରେ ୩ ରୁ ୪ ଘଣ୍ଟା ବିଦ୍ୟୁତ ରହୁଛି। ଖରା ଓ ବର୍ଷା ଦିନେ ବିଦ୍ୟୁତର ଚାଲେ ଲୁଚକାଳି ଖେଳ। ଜନକପୁର ଓ ପାଖାପାଖି ଗାଁଗୁଡିକର ଶିକ୍ଷା ବ୍ୟବସ୍ଥା ଶୋଚନୀୟ । ଏଠାରେ ବିଦ୍ୟାଳୟ ନାହିଁ। ପାଠ ପଢ଼ିବାକୁ ହେଲେ ଗାଁ ଠାରୁ ୧୧ କିମି ଦୂର ରାଇପଙ୍କା, ବିରିକୋଟ, ଗୁଲୁବା ଗଲେ ପିଲାମାନେ ପାଠପଢିବେ ଏଣୁ ଏତେ ବାଟ ଯାଇ ପାଠ ପଢିବା ସମ୍ଭବପର ନ ଥିବାରୁ ବହୁତ ପିଲା ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଜନକପୁର ଠାରୁ ୪ କିମି ଦୂର ଉପର ଡକରପଙ୍କାଠାରେ ରହିଛି ଅଙ୍ଗନାୱାଡି କେନ୍ଦ୍ର। ଦୂରତ୍ଵ ଯୋଗୁ ଛୋଟ ପିଲାମାନେ ଯାଇ ପାଠପଢିବା ସମ୍ଭବପର ନୁହେଁ। ନିରୀହ, ଶାନ୍ତ, ସରଳ ଆଦିବାସୀ ଲୋକେ ଦୁଃସାଧ୍ୟ ଜୀବନ ଯାପନ ଅତିବାହିତ କରୁଥିବା ବେଳେ ଅଞ୍ଚଳବାସୀ ପ୍ରଶାସନକୁ ମୌଳିକ ସୁବିଧା ପାଇବା ଉଦ୍ଦେଶ୍ୟରେ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଇଁ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ବ୍ଲକ୍ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ୟ୍ୟାଳୟ ଘେରାଉ କରି ରାଜରାସ୍ତାକୁ ଅବରୋଧ କରିବା ପାଇଁ ସଜବାଜ ହେଉଥିବା କହିଛନ୍ତି । ଏଣୁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

Comments are closed.