ପୁଲିସ ହାତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, ୪ ଗିରଫ

-ପିସ୍ତଲ ସହ ଗୁଳି ଜବତ -ବଲାଙ୍ଗିର ପୁଲିସ ହାତରେ ଦୁର୍ଦ୍ଦାନ୍ତ ଲୁଟେରା ବଣ୍ଟି

ବଲାଙ୍ଗିର : ଗତ କିଛି ମାସ ଭିତରେ ବଲାଙ୍ଗିରରେ ହୋଇଥିବା ଦୁଇଟି ଲୁଟ ମାମଲାରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ଟାଉନ ପୁଲିସ । ଜାନୁୟାରୀ ମାସରେ ଏୟାରଟେଲ ଅଫିସ ଓ ଏହାର ନିକଟରେ ଥିବା ଏକ ବ୍ୟାଟେରୀ ଦୋକାନରୁ ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣକୁ ପୁଲିସ ଗିରଫ କରିଛି । ଶନିବାର ଏହି ଚାରି ଜଣ ଲୁଟେରାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ।

ଗତ ଜାନୁୟାରୀ ୨୦ ତାରିଖ ରାତିରେ ବଲାଙ୍ଗିର ମାଲପଡାରେ ଥିବା ଏୟାରଟେଲ ଫ୍ରାଞ୍ଚାଇଜି କମ ପେମେଣ୍ଟ ବ୍ୟାଙ୍କରେ କିଛି ଅଜଣା ବ୍ୟକ୍ତି ପଶି ବନ୍ଧୁକ ଦେଖାଇ ଲୁଟ କରିଥିଲେ । ପାଖାପାଖି ୪ ଲକ୍ଷ ଟଙ୍କାର ନଗଦ ଓ ସାମଗ୍ରୀ ଲୁଟ ହୋଇଥିବା ନେଇ ଅନିଲ କୁମାର ମିଶ୍ର ଲିଖିତ ଅଭିଯୋଗ ହେବା ପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କେସ ନଂ ୩୪ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ଟେର ପାଇନଥିଲା ପୁଲିସ । ସେହିପରି ଗତ ସେପ୍ଟେମ୍ବର ୧୩ ତାରିଖରେ ଏୟାରଟେଲ ଅଫିସ ପାଖରେ ଥିବା ମେହେର ବ୍ୟାଟେରୀ ଦୋକାନକୁ କିଛି ଯୁବକ ପଶି ବନ୍ଧୁକ ଦେଖାଇ ଲୁଟ କରିଥିଲେ । ନଗଦ ପାଞ୍ଚ ହଜାର ଟଙ୍କା, ମୋବାଇଲ ଓ ବ୍ୟାଟେରୀ ଲୁଟ କରି ଅଭିଯୁକ୍ତମାନେ ଫେରାର ହୋଇଥିଲେ। ଏନେଇ ଦୋକାନ ମାଲିକ ଶିବରାମ ମେହେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଉନ ପୁଲିସ କେସ ନଂ ୩୮୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଦୁଇଟି ଲୁଟ ଘଟଣାରେ ପୁଲିସ ହାତରେ ଲୁଟେରା ଲାଗୁ ନଥିବା ବେଳେ ପୁଲିସ ଉପରେ ଚାପ ବଢିବାରେ ଲାଗିଥିଲା । ପୁଲିସର ପାରିବା ପଣିଆ ନେଇ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ।

ଏହି ଦୁଇଟି ମାମଲାରେ ସାମିଲ ଥିବା ଚାରି ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏସଡିପିଓ ଶ୍ରୀ ବାରିକଙ୍କ ସୂଚନା ଅନୁସାରେ ଗାନ୍ଧୀନଗରପଡା ଅଞ୍ଚଳର ଜଣେ ଯୁବକ ମାମିଲ ମହାଲିଙ୍ଗର ସଂପର୍କ ଦୁଇ ଜଣ ଦୁର୍ଦ୍ଦାନ୍ତ ଲୁଟେରା ମଙ୍ଗଳୁ ଝାଙ୍କର ଓରଫ ଅମିତ ଓ ବିଭୂତି ଭୂଷଣ ସୁନା ଓରଫ ବଣ୍ଟି ସହ ରହିଥିଲା । ଗତ ଜାନୁୟାରୀ ମାସରେ ଏୟାରଟେଲ ଲୁଟ ପୂର୍ବରୁ ମାମିଲ ବଣ୍ଟି ସହ ଯୋଗାଯୋଗ କରିଥିଲା । ବଣ୍ଟି ଦୁଇ ଜଣ ବିହାରୀ ଲୁଟେରାକୁ ଡାକି ତାଙ୍କ ସହ ମିଶି ଏହି ଲୁଟ କରିଥିବା ବେଳେ ସେପ୍ଟେମ୍ବର ମାସରେ ହୋଇଥିବା ଲୁଟ ଘଟଣାରେ ବୌଦ୍ଧ ଅଞ୍ଚଳର ଦୁଇ ଜଣ ଲୁଟେରା ସହ ମିଶି ଲୁଟ କରିଥିବା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି । ମାମିଲ ମହାଲିଙ୍ଗ ମେହେର ବ୍ୟାଟେରୀ ଦୋକାନରେ କାମ କରୁଥିବା ବେଳେ ମେହେର ବ୍ୟାଟେରୀ ଦୋକାନ ପୂର୍ବରୁ ଏୟାରଟେଲ ଫ୍ରାଞ୍ଚାଇଜି ସହ ମଧ୍ୟ ସଂପର୍କରେ ରହିଥିଲା । ଯାହାଫଳରେ ସେହି ଦୋକାନର ଆର୍ଥିକ କାରବାର ବିଷୟରେ ସେ ସୂଚନା ପାଇ ବଣ୍ଟି ସହ ମିଶି ଲୁଟର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି । ଏହି ଦୁଇଟି ମାମଲାରେ ପୁଲିସ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର କ୍ଷେତରାଜପୁରର ବିଭୂତି ଭୂଷଣ ସୁନା ଓରଫ ବଣ୍ଟି, ବାଉଁସୁଣୀ ଥାନା ଅନ୍ତର୍ଗତ ପେଙ୍ଗାଲବେଡା ଗାଁର ଅମିତ ଝାଙ୍କର ଓରଫ ମଙ୍ଗଳୁ, ଗାନ୍ଧୀନଗରପଡା ଜୁନହାଡିହିର ମାମିଲ ମହାଲିଙ୍ଗ ଓ ମେଘନାଦପଡାର ମହାଦେବ ସାହୁ। ଚାରିଜଣ ଗିରଫ ହୋଇଥିବା ବେଳେ ଏହି ଦୁଇ ଘଟଣାରେ ସଂପୃକ୍ତ ଥିବା ଆଉ ଚାରି ପାଞ୍ଚ ଜଣ ଅଭିଯୁକ୍ତ ଫେରାର ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି । ଲୁଟେରା ମାନଙ୍କ ପାଖରୁ ଲୁଟ ବେଳେ ବ୍ୟବହୃତ ପିସ୍ତଲ, ତିନି ରାଉଣ୍ଡ ଅଫୁଟା ଗୁଳି, ସାତୋଟି ମୋବାଇଲ ଫୋନ, ତିନୋଟି ବାଇକ ଓ ଦୁଇଟି ବ୍ୟାଟେରୀ ଜବତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ବାରିକଙ୍କ ସହିତ ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Comments are closed.