ସରକାରୀ ଗାଡିର ଦୂରୁପଯୋଗ : ହେଡକ୍ୱାର୍ଟରରେ ରହୁ ନାହାନ୍ତି ଅଧିକାରୀ

ଲୋଇସିଂହା : ଲୋଇସିଂହା ତହସିଲ ପରିସରରେ ଅଧିକାରୀମାନେ ରହିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୩ ଟି ଷ୍ଟାଫ କ୍ୱାର୍ଟର ନିର୍ମାଣ ସହ ବିଦ୍ୟୁତ ଓ ପାଣି ବ୍ୟବସ୍ଥା ହୋଇ ରହିଥିଲେ ହେଁ ସେଠାରେ କେହି ଅଧିକାରୀ କିମ୍ବା ଷ୍ଟାଫ ରହୁ ନ ଥିବାରୁ ତାହା ଏବେ ଭୂତ କୋଠି ହୋଇ ପଡି ରହିଛି। ଏପରିକି ଏହାର ଚର୍ତୁପାର୍ଶ୍ୱରେ କଣ୍ଟା ଗଛ ଲତାରେ ଭରି ରହିଥିବା ଯୋଗୁଁ ପରିବେଶ ଅତ୍ୟନ୍ତ ଆଶ୍ୱସ୍ତିକର ହୋଇ ପଡି ରହିଛି। ଏହି ପରିସ୍ଥିତିରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିଲେ ଏହା ଅଧିକାରୀ ରହିବା ଯୋଗ୍ୟ କ୍ୱାଟର କି ବୋଲି ଓଲଟି ତହସିଲଦାର ପ୍ରଶ୍ନ କରିଛନ୍ତି।

ଅନ୍ୟ ପକ୍ଷରେ ତହସିଲର ସରକାରୀ ଗାଡିର ବ୍ୟାପକ ଦୂରୁପଯୋଗ ହେଉଥିବା ଅଭିଯୋଗ ହେଉଛି। ନିୟମିତ ଭାବରେ ତହସିଲଦାରଙ୍କୁ ନେବା ଓ ଆଣିବା ପାଇଁ ଏକ କି.ମି. ଦୂର ରେଲୱେ ଷ୍ଟେସନକୁ ଦୈନିକ ୪ ଥର ଯାତାୟତ କରୁଥିବା ବେଳେ ଅନେକ ଦିନ ୨୦ କି.ମି. ଦୂର ଡୁଙ୍ଗୁରିପାଲିକୁ ମଧ୍ୟ ଯାତାୟାତ କରୁଥିବା ସ୍ଥାନୀୟ ଗ୍ରାମବାସୀ ଏବଂ ବିଭାଗୀୟ କର୍ମଚାରୀ ମହଲରେ ଚର୍ଚ୍ଚା ବିଷୟ ହୋଇଛି। ତେବେ ଉକ୍ତ ସରକାରୀ ଗାଡି ଡ୍ରାଇଭର ସନ୍ତୋଷ ତ୍ରିପାଠୀଙ୍କୁ ପଚାରିବାରେ ସେ ପ୍ରତିଦିନ ରେଲୱେ ଷ୍ଟେସନକୁ ଏବଂ ଦିନେ ଦିନେ ସାଲେଭଟା ପର୍ଯ୍ୟନ୍ତ ତହିସିଲଦାରଙ୍କୁ ନେବା ଆଣିବା କରୁଥିବା ସ୍ୱୀକାର କରି ଅଧିକାରୀଙ୍କ ନିର୍ଦ୍ଦେଶ ମାନିବାକୁ ପଡିବ ବୋଲି କହିଛନ୍ତି।

ଜଣେ ଦୁଇଜଣ ପିଅନ ଓ କର୍ମଚାରୀଙ୍କୁ ଛାଡିଦେଲେ କୌଣସି କର୍ମଚାରୀ ସଦର ଦପ୍ତରରେ ରହୁ ନ ଥିବା ସଂପର୍କରେ ସ୍ଥାନୀୟ ତହସିଲ ଓ ସବ-ରେଜେଷ୍ଟ୍ରୀ ଅଫିସର କେତେକ କର୍ମଚାରୀଙ୍କୁ ପଚାରିବାରେ ସେମାନେ ସିଧା ସଳଖ ଅଧିକାରୀ ମାନଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ଅଧିକାରୀ ମାନେ ତ ରହୁ ନାହାନ୍ତି, ତଳିଆ କର୍ମଚାରୀଙ୍କୁ କାହିଁକି ପଚାରୁଛ ବୋଲି ପ୍ରଶ୍ନ କରିଛନ୍ତି। ଏହି ପରିସ୍ଥିତିରେ ଲୋଇସିଂହା ତହସିଲରେ ନିୟମିତ ଭାବରେ କର୍ମଚାରୀ ନିର୍ଦ୍ଦିଷ୍ଟ ସମୟ ସୀମାରେ ରହୁ ନ ଥିବାରୁ ଅଞ୍ଚଳବାସୀ ତହସିଲ କୁ ବିଭିନ୍ନ କାମ ପାଇଁ ଏବଂ ଜମି ରେଜେଷ୍ଟ୍ରୀ ପାଇଁ ଆସି ବହୁ ହଇରାଣ ହେଉଥିବା ପରିଲକ୍ଷିତ ହୋଇଛି।

Comments are closed.