ଜବରଦଖଲକାରୀଙ୍କ କବଜାରେ ମହାପ୍ରଭୁଙ୍କ ଶହ ଶହ ଏକର ସମ୍ପତ୍ତି, ସାଧାରଣରେ ଅସନ୍ତୋଷ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମହାପ୍ରଭୁଙ୍କର କୋଟି କୋଟି ଟଙ୍କାର ଭୁସମ୍ପତ୍ତି ଲୁଣ୍ଠନ ହେଉଥିବାବେଳେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ସମସ୍ତେ ଜାଣିଶୁଣି ନୀରବ ରହିବା ଘଟଣା ବ୍ଲକ ଅଞ୍ଚଳର ଜନସାଧାରଣଙ୍କୁ ବିସ୍ମିତ କରିଛି। ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ୩ ଶହ ଏକରରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବରଦଖଲକାରୀଙ୍କ କବଜାରେ ରହିଛି । ବିନା ଅନୁମତିରେ ଜବରଦଖଲକାରୀମାନେ କେଉଁଠାରେ ପୋଖରୀ କରି ମାଛଚାଷ କରୁଛନ୍ତି ତ କେଉଁଠାରେ ସ୍ଥାୟୀ ଭାବେ ଘର କରି ରହୁଛନ୍ତି । ଆଉ କେଉଁଠାରେ କୋଠାଘର କରିଥିବାର ମଧ୍ୟ ଦେଖିବାକୁ ମିଳୁଛି। ଯାହାଦ୍ୱାରା ମହାପ୍ରଭୁଙ୍କର ଅଚଳାଚଳ ସମ୍ପତ୍ତିର ସୁରକ୍ଷା ଦିଗରେ ଆଶଙ୍କା ସୃଷ୍ଟି ହୋଇଛି । ଠାକୁରଙ୍କ ନାମରେ ଥିବା ବହୁ ମୂଲ୍ୟବାନ ସମ୍ପତ୍ତିକୁ ଜବରଦଖଲକାରୀ ମାନେ ଅକ୍ତିଆର କରି ସେଗୁଡିକ ବିକ୍ରି କରୁଥିବାବେଳେ ପ୍ରଶାସନ ସବୁ ଜାଣି କିଛି ନ ଜାଣିଲା ପରି ଚୁପ ରହୁଛି । ଏ ଦିଗରେ ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । କାର୍ୟ୍ୟାନୁଷ୍ଠାନ ଅଭାବରୁ ମହାପ୍ରଭୁଙ୍କ ସମ୍ପତ୍ତିକୁ ଲୋକମାନେ ନିର୍ଦ୍ୱନ୍ଦ୍ୱରେ ଦଖଲ କରିବା ପାଇଁ ସୁଯୋଗ ପାଉଛନ୍ତି । ଯାହାଦ୍ୱାରା ସରକାର ରାଜସ୍ବ ହରାଉଥିବା ବେଳେ ହଜାର ହଜାର କୋଟି ଟଙ୍କାର ସମ୍ପତିରୁ ମହାପ୍ରଭୁ ବଂଚିତ ହେଉଛନ୍ତି । ଏହି ଘଟଣାକୁ ନେଇ ଅନେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନା ଠାରୁ ଆରମ୍ଭ କରି ଅଦାଲତ ପର୍ୟ୍ୟନ୍ତ ମାମଲା ଚାଲିଛି । ଅଂଚଳରେ ଥିବା ଅନେକ ଠାକୁର ଠାକୁରାଣୀଙ୍କ ଏକର ଏକର ଜମିକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମାଡିବସି କରୁଥିବା ଫସଲ ସବୁକୁ ନିଜେ ଭୋଗ କରୁଥିବାବେଳେ ଅର୍ଥ ଅଭାବରୁ ସେହି ଠାକୁର ଠାକୁରାଣୀଙ୍କ ନୀତିକାନ୍ତି ଠିକ ଭାବରେ ହୋଇପାରୁ ନ ଥିବା ଜଣାପଡିଛି । ପ୍ରଶାସନ ପାଖରେ ଏ ସଂକ୍ରାନ୍ତରେ ଖବର ଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବା ନିଶ୍ଚୟ ପରିତାପର ବିଷୟ। ଅନେକ ସ୍ଥାନରେ ଠାକୁରଙ୍କ ଜମିରେ ପୋଖରୀ ଖୋଳାଯାଇ ପଂଚାୟତ ତାକୁ ନିଲାମ କରୁଛି। ଜଗନ୍ନାଥଙ୍କ ଜମିରେ ଥିବା ପୋଖରୀକୁ ପଂଚାୟତ ନେଲା କିପରି ଏବଂ କାହା ନିର୍ଦେଶ ବଳରେ ତାକୁ ନିଲାମ କରୁଛି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି।

ସେହିପରି ଦେଉଳି ପଂଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା-ସମନ୍ତରାପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆ ଏବଂ ଜଗନ୍ନାଥଙ୍କ ସମ୍ପତି ଉପରେ ଡଙ୍ଗରପଡ଼ା ଗ୍ରାମର ଜନୈକ ବ୍ୟକ୍ତି ଜବରଦଖଲ କରି ସ୍ଥାୟୀ ଭାବେ ବିଲ୍ଡିଂ ନିର୍ମାଣ କରିବା ଘଟଣାକୁ ନେଇ ଦୀର୍ଘ ୨୦ବର୍ଷ ହେଲା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଗ୍ରାମବାସୀମାନେ ସ୍ଥାନୀୟ ତହସିଲଦାର ଏବଂ ଥାନାଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାପାଳ, ଆରଡିସି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଏବଂ ସ୍ଥାନୀୟ ବିଧାୟକଙ୍କୁ ୧୫ବର୍ଷ ଧରି ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ବରଂ ଜବରଦଖଲକାରୀଙ୍କ ପ୍ରତି ପ୍ରଶାସନର ଅନୁକମ୍ପା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ସହାୟକ ହୋଇଛି । ସମ୍ପୃକ୍ତ ଜବରଦଖଲକାରୀଙ୍କ ପ୍ରତି ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବା ପଛରେ କଣ ରହସ୍ୟ ରହିଛି ତାହା ଜନସାଧାରଣଙ୍କୁ ସନ୍ଦେହରେ ପକାଇଛି । ପ୍ରଶାସନିକ କାର୍ୟ୍ୟାନୁଷ୍ଠାନ ଅଭାବ ଯୋଗୁଁ ବେଗୁନିଆ ତହସିଲ ଅଂଚଳ ଏବେ ଜବରଦଖଲକାରୀଙ୍କ ଭୂସ୍ବର୍ଗ ପାଲଟିଛି । ଡଙ୍ଗରପଡ଼ା-ସମନ୍ତରାପୁର ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗ ଉପରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ୨୦୧୭ ଅଗଷ୍ଟ ୪ ତାରିଖରେ ଚିଠି ନଂ ୮୪୧୯ରେ ସମ୍ପୃକ୍ତ ଜାଗାରୁ ଜବରଦଖଲକାରୀଙ୍କୁ ଉଛେଦ କରିବା ପାଇଁ ବେଗୁନିଆ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ତତସହିତ ଜିଲ୍ଲାପାଳ ଖୋର୍ଦ୍ଧା, ଶ୍ରୀମନ୍ଦିର ତହସିଲ ଜଟଣୀ କାର୍ୟ୍ୟାଳୟକୁ ଜଣାଇଥିଲେ। ଏହାସତ୍ତ୍ୱେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।

ସେହିପରି ଜନସାଧାରଣ ପୁନଶ୍ଚ ୨୬ ମେ ୨୦୦୫ରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ତାଙ୍କର ମେମୋ ନଂ ୧୧୦ରେ ସେହିଦିନ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ସେହି ଜାଗାରୁ ଉଛେଦ କରିବା ପାଇଁ ବେଗୁନିଆ ଥାନା ଏବଂ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ତାପରେ ମଧ୍ୟ ଫଳ ଘର ଶୂନ୍ୟ । ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଶାସନଙ୍କ ନାମରେ ଥିବା ୩୫୦ ଡ଼ିସିମିଲ ଜମିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ନିର୍ଦେଶ ଦେବା ପରେ ଜବରଦଖଲକାରୀ ଉଚ୍ଚ ନ୍ୟାୟାଳୟରେ କରିଥିବା ଡବ୍ଲ୍ୟୁ ପି(ସି)ନଂ୨୦୯୪/୧୮ ଅନୁଯାୟୀ ୧୨ ଅପ୍ରେଲ ୨୦୧୮ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଭିତ୍ତି କରି ମନ୍ଦିର ପ୍ରଶାସନ ପୁରୀ ପୁନଶ୍ଚ ତାଙ୍କର ଚିଠି ନଂ ୭୩୬୦ରେ ଗତ ଅକ୍ଟୋବର ମାସ ୧୪ ତାରିଖରେ ବେଗୁନିଆ ତହସିଲଦାରଙ୍କୁ ନିର୍ଦେଶ ଦେଇଥିବାବେଳେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ମେମୋ ନଂ୭୩୬୧ ଏବଂ ଅତିରିକ୍ତ ସେଟଲମେଣ୍ଟ ଅଧିକାରୀ ଜଟଣୀଙ୍କୁ ମେମୋ ନଂ୭୩୬୨ରେ ଜଣାଇଥିଲେ। କିନ୍ତୁ ଆଜି ପର୍ୟ୍ୟନ୍ତ ଜବରଦଖଲକାରୀଙ୍କୁ ସମ୍ପୃକ୍ତ ଜାଗାରୁ ଉଚ୍ଛେଦ କରା ନ ଯିବା ଯୋଗୁଁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି। ଜନସାଧାରଣ ଆଇନକୁ ହାତକୁ ନେଇ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି।

 

Comments are closed.